ମନ୍ତ୍ରୀଙ୍କ ପାଇଲଟ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

Get real time updates directly on you device, subscribe now.

ମୋହନା, (ବି.ବି.ନୁ୍ୟଜ): ଗଜପତି ଜିଲ୍ଲା ଅଡବା ଥାନା ଉଲିଆପଦା ଗାଁ ନିକଟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ବାଟ କଢାଇ ନେଉଥିବା ପାଇଲଟ୍ ଭ୍ୟାନ୍ ରବିବାର ପୂର୍ବାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବୁଲାଣିରେ ପାଇଲଟ୍ ଭ୍ୟାନ୍ ସହ ଏକ ବାଇକ୍ ମୁହାଁମୁହିଁ ହୋଇ ଯାଇଥିଲା । ଅଚାନକ ସାମନାକୁ ଆସି ଯାଇଥିବା ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟ୍ ଭ୍ୟାନ ଡ୍ରାଇଭର୍ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିବା କୁହାଯାଉଛି । ଫଳରେ ଭ୍ୟାନ୍ରେ ଥିବା ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନେ ହେଲେ ଗଜପତି ରିଜର୍ଭ ପୁଲିସ ସବଇନ୍ସପେକ୍ଟର ବିମଳ ବିଶ୍ୱନାଥ, ହାବିଲଦାର ବି.ଜି.ଜେନା, କନଷ୍ଟେବଳ ଜିତୁ ପ;ନାୟକ, ମହିଳା କନଷ୍ଟେବଳ କମଳା ଦେବୀ, ମଞ୍ଜୁଳା ଭୂୟାଁ ଓ ଡ୍ରାଇଭର୍ ପି.ମୋହନ ରାଓ । ମନ୍ତ୍ରୀ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇବା ବ୍ୟବସ୍ଥା କରିଥିଲେ । ଏଥିପାଇଁ ପ୍ରାୟ ଅଧ ଘଣ୍ଟା ସେହି ସ୍ଥାନରେ ଅଟକି ଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା ।
ମିଳିଥିବା ସୂଚନା ପ୍ରକାରେ ରବିବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ମନ୍ତ୍ରୀ ଭୁବନେଶ୍ୱରରୁ ରାୟଗଡା ଯାଉଥିଲେ । ତାଙ୍କୁ ଗଜପତି ପୁଲିସ ପାଇଲଟ୍ ଭ୍ୟାନ୍ ତପ୍ତପାଣି ଠାରୁ ଆଗକକୁ ନେଉଥିବା ବେଳେ ଅଡବା ଥାନା ଅନ୍ତର୍ଗତ ଉଲିଆପଦା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଏଥିରେ ଥିବା ୬ ଜଣ ପୁଲିସ କର୍ମଚାରୀଙ୍କୁ ବିରିକାଟ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଡବା ଥାନାକୁ ନିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons