ମହାନଦୀରେ ପୁଣି ଅଘଟଣ:ଭାସିଗଲେ ବାପ, ପୁଅ, ଝିଅ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ବୁ୍ୟରୋ): ପୁଣିଥରେ ମହାନଦୀରେ ଅଘଟଣ । ସୋମବାର ମହାନଦୀର ଟାଉନ୍ ଥାନା ଅନ୍ତର୍ଗତ ମାରୱାଡିପଡ଼ା ଘାଟରେ ଗାଧୋଇବା ବେଳେ ବାପ,ପୁଅ, ଝିଅ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ୩ ଘଣ୍ଟାର ଖୋଜାଖୋଜି ପରେ ବାପ-ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତକଦ୍ୱୟ ହେଲେ ଧନୁପାଲି ଥାନା ପେନସନପଡ଼ାର ମହମ୍ମଦ ଅଲ୍ତାଫ(୪୫), ମହମ୍ମଦ ଅଫ୍ତାବ(୧୪) । ସନ୍ଧ୍ୟା ହେବାରୁ ଆସ୍କା ଲାଇଟ୍ ଦ୍ୱାରା ନିଖୋଜ ରୁକ୍ସାନା ପରବୀନ(୧୨)ଙ୍କ ଖୋଜା ଜାରି ରହିଥିଲା । ତେବେ ରାତି ପ୍ରାୟ ସାଢେ଼ ୮ଟା ଯାଏ ରୁକ୍ସାନାଙ୍କ ପତ୍ତା ନ ମିଳିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀ, ସମ୍ବଲପୁର ଓ ବୁର୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।
ସୂଚନା ଅନୁସାରେ, ସମ୍ବଲପୁର ସହରରେ ଦିନତମାମ୍ ବିଦୁ୍ୟତ୍ ସରବରାହ ବିଚ୍ଛିନ୍ନ ରହିଥିଲା । ଫଳରେ ଘରକୁ ପାଣି ନଆସିବାରୁ ଅଲତାଫ୍ ତାଙ୍କ ଏକମାତ୍ର ପୁଅ ଅଫ୍ତାବ ଓ ଝିଅ ରୁକ୍ସାନାକୁ ନେଇ ଗାଧୋଇବାକୁ ମାରୱାଡି ପଡ଼ା ଘାଟକୁ ଯାଇଥିଲେ । ଅପରାହ୍ଣ ପ୍ରାୟ ୪ଟା ୫୦ ସମୟରେ ବାପ,ପୁଅ, ଝିଅ ପାଣିରେ ଗାଧୋଉଥିବା ବେଳେ ରୁକ୍ସାନାଙ୍କ ଗୋଡ଼ ଖସି ଯାଇଥିଲା । ଭଉଣୀ ପାଣିରେ ବୁଡ଼ି ଯାଉଥିବା ଦେଖି ଭାଇ ଅଫ୍ତାବ ତାଙ୍କୁ ଉଦ୍ଧାର କରିବାକୁ ପାଣି ଭିତରକୁ ଡେଇଁ ପଡ଼ିଥିଲା । ଘଟଣାସ୍ଥଳରେ ନଦୀ ପ୍ରାୟ ୧୨-୧୫ ଫୁଟ ଗଭୀର ଥିବାରୁ ଉଭୟ ଶିଶୁ ପାଣିରେ ବୁଡ଼ି ଯାଇଥିଲେ । ପୁଅ-ଝିଅ ବୁଡ଼ି ଯାଉଥିବା ଦେଖି ବାପ ଅଲ୍ତତକାଫ କିଛି ଉପାୟ ନପାଇ ପାହାଚ ଚଢ଼ି ଘାଟ ଉପରକୁ ଆସି ଉଦ୍ଧାର କରିବାକୁ ଚିକ୍ରାର କରିଥିଲେ । କିନ୍ତୁ ପୁଣିଥରେ ଫେରିଯାଇ ପୁଅ-ଝିଅଙ୍କୁ ଉଦ୍ଧାର ପାଇଁ ନିଜେ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ସେପଟେ, ଚିକ୍ରାର ଶୁଣି ଆଖଆଖରେ ଥିବା ମତ୍ସ୍ୟଜୀବୀମାନେ ତାଙ୍କ ଡଙ୍ଗା, ଟିଉବ୍ ଓ ଜାଲ ନେଇ ନଦୀ ଭିତରେ ଖୋଜାଖୋଜି କରିଥିଲେ । ସୂଚନା ପାଇ ଟାଉନ୍ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଦେଢ଼ଘଣ୍ଟାର କସରତ ପରେ ମତ୍ସ୍ୟଜୀବୀମାନେ ପ୍ରଥମେ ଅଫ୍ତାବଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବ୍ରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟା ହୋଇଯିବାରୁ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ଅନ୍ୟ ୨ ଜଣଙ୍କୁ କାଳେ ଜୀବୀତ ଉଦ୍ଧାର କରାଯାଇପାରିବ ସେହି ଆଶାରେ ମତ୍ସ୍ୟଜୀବୀମାନେ ମାଛମରା ଲାଇଟ୍ ନେଇ ଖୋଜିବାକୁ ବାହାରି ଯାଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୩ଟି ଆସ୍କା ଲାଇଟ୍ ମଗାଯାଇ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ପରେ ବାପ ଅଲ୍ତାଫଙ୍କୁ କିଛି ଦୂରରୁ ଉଦ୍ଧାର କରାଯାଇଥିଲା । ମାତ୍ର ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ରାତି ସାଢେ଼ ୮ଟା ଯାଏ ରୁକ୍ସାନାଙ୍କର ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣିଥରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ । ଏହି ଘଟଣାରେ ଟାଉନ୍ ପୁଲିସ୍ ଅପମୃତୁ୍ୟ ମାମଲା ରୁଜୁ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ସେପଟେ, ପରିବାରର ୩ ଜଣ ଏକାବେଳକେ ପାଣିରେ ବୁଡ଼ିଯିବା ଖବର ପାଇବା ପରେ ମାରୱାଡ଼ିପଡ଼ା ଘାଟ ଲୋକାରଣ୍ୟ ହୋଇଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ୍ ମୁତୟନ ଥିଲା । ସ୍ୱାମୀ ଓ ପୁଅକୁ ହରାଇଥିବା ଅଲ୍ତାଫଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କ କାନ୍ଦବୋବାଳି ମାରୱାଡି ପଡ଼ାଘାଟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons