ମହାନଦୀରେ ବୁଡ଼ିଗଲେ ୩ ସାଙ୍ଗ:ଜଣଙ୍କ ମୃତଦେହ ଉଦ୍ଧାର, ଦୁଇ ନିଖୋଜ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଯୋବ୍ରା ଆନିକଟ ନିକଟରେ ମହାନଦୀ ପୁଣି ନେଇଛି ମୁଣ୍ଡ । ତିନି ଜଣ ସାଙ୍ଗ ଗାଧୋଉଥିବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ଦମକଳବାହିନୀ ଏବଂ ଓଡ୍ରାଫ୍ ପକ୍ଷରୁ ଉଦ୍ୟମ ଜାରି ରହିଛି । ମୃତକ ହେଲେ ସେକ୍ ସାହିଲ୍ (୧୭) । ନିଖୋଜ ଅନ୍ୟ ଦୁଇ ଜଣ ହେଲେ ଛୋଟୁ ଓରଫ ଆୟୁର ଖାଁ (୨୦) ଏବଂ ରାଜ୍ ଓରଫ ସିଦ୍ଧିକ୍ ଖାଁ (୧୭) । ସାହିଲ ରଘୁନାଥ ଜିଉ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଏବଂ ସିଦ୍ଧିକ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର । ଅନ୍ୟପକ୍ଷରେ ଛୋଟୁ ଜଣେ ୱେଲଡିଂ ମିସ୍ତ୍ରୀ ବୋଲି ଜଣାପଡିଛି ।
ମୃତକ ଏବଂ ନିଖୋଜଙ୍କର ଘର ଯୋବ୍ରା ଚୂନଭାଟି ଗଳି ଚାରିଘରିଆ ସାହିର ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାନଦୀର ଏହି ଜାଗାରେ ବହୁବାର ଏଭଳି ଅଘଟଣ ଘଟିଛି । ଅତୀତରେ ରେଭେନ୍ସାର ଏକାଧିକ ଛାତ୍ର ଏହି ଜାଗାରେ ବୁଡ଼ି ପ୍ରାଣ ହରାଇଥିବାବେଳେ ପ୍ରତିବର୍ଷ କେହି ନା କେହି ଏଠାରେ ବୁଡ଼ିଯାଉଛନ୍ତି । ଏହା ସତ୍ତେ୍ୱ ଏଠାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି । ଜଗତପୁର ଥାନା ପୁଲିସ ଏସ୍ସିବି ମେଡିକାଲ୍ରେ ପହଞ୍ଚି ସାହିଲ୍ଙ୍କ ମୃତଦେହ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ଯୋବ୍ରା ଚାରିଘରିଆ ଅଞ୍ଚଳର ୬ ପିଲା ସାଙ୍ଗ ହୋଇ ଦୁଇଟି ଗାଡ଼ିରେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଆନିକଟ୍ ପାର୍କ ପାଶ୍ୱର୍ରେ ଥିବା ମନ୍ଦିର ପଛପଟ ବନ୍ଧ ଉପରେ ସିଦ୍ଧିକ୍, ସାହିଲ୍ ଓ ଛୋଟୁ ଆକ୍ଟିଭା ଗାଡ଼ି ରଖି ସାଙ୍ଗ ହୋଇ ମହାନଦୀ ବାଲିରେ ଚାଲିଚାଲି ନଦୀ ଭିତରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ସିଦ୍ଧିକ୍, ସାହିଲ୍ ଓ ଛୋଟୁ ପାଣି ଭିତରେ ବୁଡ଼ି ଯାଇଥିଲେ । ତେବେ କୂଳରେ ଗାଧୋଉଥିବା ଅନ୍ୟ ୩ ଜଣ ଏହାକୁ ଦେଖି ଭୟରେ ପାଣିରୁ ଉଠି, ବୁଡ଼ିଗଲେ ବୁଡ଼ିଗଲେ ବୋଲି ଚି+ାର କରିଥିଲେ । ଏମାନଙ୍କ ପାଟି ଶୁଣି ନିକଟରେ ଡଙ୍ଗାରେ ମାଛ ଧରୁଥିବା ନାଉରିଆମାନେ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ପାଣି ଭିତରୁ ସାହିଲକୁ ଉଦ୍ଧାର କରାଯାଇଥିଲା । ଅନ୍ୟ ଦୁଇ ନିଖୋଜଙ୍କୁ ପାଣି ଭିତରୁ ବାହାର କରିବା ପାଇଁ ଦମକଳବାହିନୀ ବହୁ ଉଦ୍ୟମ କରିଥିଲେ ।
କିନ୍ତୁ ଉଦ୍ଧାରରେ ଅଧିକ ଦମକଳବାହିନୀ କିମ୍ବା ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାନଯିବାରୁ ମହାନଦୀ ପଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ନଦୀରେ ବୁଡ଼ି ଯିବା ଘଟଣା ପାଖାପାଖି ଅପରାହ୍ନ ୨ଟାରେ ଘଟିଥିବା ବେଳେ ଓଡ୍ରାଫ୍ ଟିମ୍ ଓଏମ୍ପି ଛକରୁ ଯୋବ୍ରା ନିକଟରେ ପହଞ୍ଚିବାକୁ ଦୀର୍ଘ ଅଢେ଼ଇ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅପରାହ୍ନ ସାଢେ଼ ୪ଟା ବେଳେ ଓଡ୍ରାଫ୍ ଟିମ୍ ପହଞ୍ଚିବା ପରେ ବୋଟ୍କୁ ପ୍ରସ୍ତୁତ କରିବାକୁ ନେଇ କର୍ମଚାରୀ ନାକେଦମ୍ ହୋଇପଡିଥିଲେ । ନଦୀରେ ୩ ଜଣ ବୁଡ଼ି ଯାଇଥିବା ଖବର ପାଇ ମହାନଦୀ ପଠାରେ ଯୋବ୍ରା ଅଞ୍ଚଳର ହଜାର ହଜାର ଲୋକଙ୍କ ଗହଳି ଜମିଥିଲା । ବୁଡ଼ିି ଯାଇଥିବା ପିଲାମାନଙ୍କ ସମ୍ପର୍କୀୟଙ୍କ କାନ୍ଦରେ ମହାନଦୀ ପଠା ଫାଟିପଡ଼ିଥିଲା । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons