ମହିଳାଙ୍କୁ ଛୁରି ଭୁସି ହତ୍ୟା

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ତଥା ଖମାର ଥାନା ଆଲୁରି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଗ୍ରାମର ଟିକେଶ୍ୱର ଶୁଣ୍ଢୀଙ୍କ ପତ୍ନୀ କୁମାରୀ ଶୁଣ୍ଡୀ(୨୯) । ଗତ ରାତିରେ ସ୍ୱାମୀଙ୍କ ଅନୁପସ୍ଥିତିରେ କୁମାରୀ ଓ ତାଙ୍କ ସାନଭଉଣୀ ଲକ୍ଷ୍ମୀ ଲାଗୁରୀ ଏକାଠି କବାଟ ବନ୍ଦ କରି ଶୋଇଥିଲେ । ଏଭଳି ପରିସ୍ଥିତିରେ କିଏ କେଉଁ ଉଦେ୍ଧଶ୍ୟରେ କୁମାରୀଙ୍କ ତଣ୍ଟିରେ ଛୁରି ଭୁସି ହତ୍ୟା କଲା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ନେଇ ଟିକେଶ୍ୱର ନିଜ ଶାଳୀ ଲକ୍ଷ୍ମୀ ଲାଗୁରୀ ଉପରେ ସନେ୍ଦହ ପ୍ରକଟ କରି ପୁଲିସରେ ଏତଲା ଦେଇଛନ୍ତି । ପୁଲିସ ଏକ ହତ୍ୟା ମକଦ୍ଧମା ରୁଜ୍ଜୁ କରିବା ସହ ଲକ୍ଷ୍ମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଟିକେଶ୍ୱର ପେସାରେ ଜଣେ ଡ୍ରାଇଭର । ସେ ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଅଞ୍ଚଳରେ ଏକ ଶିଳ୍ପ ସଂସ୍ଥାରେ ଠିକାସଂସ୍ଥା ଅଧୀନରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି । ଟିକେଶ୍ୱର କାରଖାନାରେ ଡୁ୍ୟଟି କରୁଥିବା ବେଳେ ଏକ ମାସ ହେଲା ଘରେ ତାଙ୍କ ଶାଳୀ ଲକ୍ଷ୍ମୀ ରହିଆସୁଥିଲା । ଗତ ରାତିରେ ଦୁଇ ଭଉଣୀ- କୁମାରୀ ଓ ଲକ୍ଷ୍ମୀ ଗୋଟିଏ ଘରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ବେଳେ କେହି ଅଜଣା ବ୍ୟକ୍ତି କୁମାରୀଙ୍କ ବେକରେ ଛୁରି ଭୁସି ଦେଇଥିବା ଟିକେଶ୍ୱର ଖବର ପାଇଥିଲେ । ଦୁର୍ବୃତ୍ତ କୁମାରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ବୋଲି ଲକ୍ଷ୍ମୀ ଜଣାଇଥିଲେ । ଟିକେଶ୍ୱର ଡୁ୍ୟଟି ଛାଡ଼ି ବିଳମ୍ବିତ ରାତିରେ ଖମାର ମେଡିକାଲ୍ରେ ପତ୍ନୀଙ୍କ ମୃତଦେହ ଦେଖିବା ପରେ ଖମାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖମାର ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଶବ ଜବତ କରିବା ସହ ମଙ୍ଗଳବାର ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଅନୁସନ୍ଧାନ ଚଳାଇଥିବା ବେଳେ କୁମାରୀଙ୍କ ସାନ ଭଉଣୀ ତଥା ଟିକେଶ୍ୱରଙ୍କ ଶାଳୀ ଲକ୍ଷ୍ମୀ ଲାଗୁରୀକୁ ପୁଲିସ ଅଟକ ରଖି ଜେରା କରୁଛି ।
ଟିକେଶ୍ୱରଙ୍କ କହିବା ଅନୁଯାୟୀ, ଗତ ଏକ ମାସ ଧରି ତାଙ୍କ ଘରେ ରହି ଆସୁଥିଲା ଲକ୍ଷ୍ମୀ । ହେଲେ ଅଧିକାଂଶ ସମୟ ସେ ଘଣ୍ଟା ଘଣ୍ଟା ମୋବାଇଲ୍ ଫୋନ୍ରେ କାହା ସହ ଗପସପ କରିଥାଏ । ଏ ସମ୍ପର୍କରେ ପଚାରିଲେ ସେ ପ୍ରସଙ୍ଗ ଏଡ଼ାଇ ଯାଇଥାଏ, ଏଣୁତେଣୁ କହି ଭୁଲାଇ ଦେଇଥାଏ । ଗତକାଲି ସନ୍ଧ୍ୟାରେ ବି ସେ କାହା ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିଥିଲା । ଟିକେଶ୍ୱର ସ୍ତ୍ରୀ ସହ କଥା ହେବାକୁ ଏକାଧିକ ଥର ଉଦ୍ୟମ କରିଥିଲେ ମଧ୍ୟ ଫୋନ୍ ବ୍ୟସ୍ତ ଥିଲା । ପରେ ସ୍ତ୍ରୀ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଦୁଇ ଭଉଣୀ ଏକାଠି ଶୋଇଥିବା ବେଳେ କେମିତି ଲକ୍ଷ୍ମୀଙ୍କ ଅଜାଣତରେ କୁମାରୀକୁ ଦୁର୍ବୃତ୍ତ ଛୁରି ଭୁସି ଦେଲା ବୋଲି ଟିକେଶ୍ୱର କହିଛନ୍ତି । ଅନ୍ୟପକ୍ଷରେ ଘଟଣାର ଅନୁସନ୍ଧାନ ଚାଲିଛି, ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବା ସହ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons