ମାଓଗଡ଼ରୁ ବନ୍ଧୁକ କାରଖାନା ଠାବ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ବୁ୍ୟରୋ): ଏକଦା ସମ୍ବଲପୁର ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ଥିବା ଯୁଯୁମୁରା ବ୍ଲକ ଟାମ୍ପରଗଡ଼ରୁ ପୁଣିଥରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୁଲିସ୍ । ବର୍ଷ ବର୍ଷ ଧରି ଏହି କାରଖାନା ଚାଲିଆସିଥିବା ବେଳେ ଶହ ଶହ ବନ୍ଧୁକ ବି ତିଆରି ହୋଇ ଚାଲାଣ ହେଉଥିଲା । ଏନେଇ ମଙ୍ଗଳବାର ସୂଚନା ମିଳିବା ପରେ ଯୁଯୁମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଟାମ୍ପରଗଡ଼ ପଞ୍ଚାୟତ ଅନ୍ତର୍ଗତ ବାସୁପାଲି ଗ୍ରାମରେ ଚଢ଼ଉ କରିଥିଲା । ଏହି ସମୟରେ କାରଖାନା ମାଲିକ ତରଣୀ ପ୍ରଧାନ ଫେରାର୍ ହୋଇଯାଇଥିବା ବେଳେ ତରଣୀର ସ୍ତ୍ରୀ ଓ ଅନ୍ୟ ଜଣେ ସହଯୋଗୀକୁ ପୁଲିସ୍ ଗିରଫ କରିଛି । ଏସମ୍ପର୍କରେ ଯୁଯୁମୁରା ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଗିରଫ ସହଯୋଗୀ କେବଳ ସରଞ୍ଜାମ ଓ ତିଆରି ବନ୍ଧୁକ ଗଚ୍ଛିତ କରି ରଖୁଥିବା ବେଳେ କାହା ନିକଟକୁ ତାହା ଚାଲାଣ କରାଯାଉଥିଲା ସେନେଇ ତା’ ନିକଟରେ କୌଣସି ସୂଚନା ନଥିବା ଜଣାପଡ଼ିଛି ।
ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍ ଦେଶୀ ଡବଲ୍ ବ୍ୟାରେଲ୍ ଓ ସିଙ୍ଗଲ୍ ବ୍ୟାରେଲ୍ ବନ୍ଧୁକ ତିଆରି ପାଇଁ ରହିଥିବା କାଠ ଫ୍ରେମ୍, କାଠ ପଟା, ୬ଟି ବ୍ୟାରେଲ୍ ପାଇପ୍, ଭାଇସ୍, ଲୁହା କାଟିବା ପାଇଁ ଆରି, କରତ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ କରିଛି । ଏତେ ମାତ୍ରାରେ ବନ୍ଧୁକ ତିଆରି ସରଞ୍ଜାମ କେଉଁଠୁ ଆସୁଥିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବାନୁସାରେ, ଏହି ବନ୍ଧୁକ ତିଆରି କାରଖାନା ତରଣୀର ଘରେ ଚାଲିଥିଲା । ତେବେ ଯେଭଳି ଭାବେ ଘଟଣା ପ୍ରଘଟ ନହୁଏ ସେଥିପାଇଁ ସରଞ୍ଜାମଗୁଡ଼ିକୁ ପଡେ଼ାଶୀ ସହଯୋଗୀ ଘରେ ରଖାଯାଉଥିବା ବେଳେ ତିଆରି ବନ୍ଧୁକକୁ ବି ଅନ୍ୟ ସ୍ଥାନରେ ରଖାଯାଉଥିଲା । ବେଳେ ବେଳେ ଏକ ବଡ଼ ଗାଡ଼ି ବି ଉକ୍ତ ଘର ନିକଟକୁ ଆସୁଥିବା କୁହାଯାଉଛି । କିନ୍ତୁ ଉକ୍ତ ବନ୍ଧୁକ କେଉଁଠାକୁ ଚାଲାଣ କରାଯାଉଥିଲା ସେନେଇ ବର୍ତ୍ତମାନ ସୁଦ୍ଧା ପୁଲିସ୍ ନିକଟରେ କୌଣସି ସୂଚନା ନାହିଁ । ଅପରପକ୍ଷେ, ଫେରାର୍ ଅଭିଯୁକ୍ତ ତରଣୀ ୧ ଦଶନ୍ଧୀ ପୂର୍ବେ ଯୁଯୁମୁରା ଥାନାଞ୍ଚଳରୁ ଠାବ ହୋଇଥିବା ବନ୍ଧୁକ କାରଖାନାର ମାଲିକ ତଥା ମାଓବାଦୀ କାର୍ଯ୍ୟକଳାପ ମାମଲାରେ ଗିରଫ ହୋଇଥିବା ବିଦ୍ୟାଧର ପ୍ରଧାନର ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିବା ପରେ ଜିଲ୍ଲାବ୍ୟାପୀ ଆତଙ୍କ ସୃଷ୍ଟି ହୋଇଯାଇଛି ।
ଯୁଯୁମୁରା ବ୍ଲକ ମେଘପାଳ, ଟାମ୍ପରଗଡ଼ ଆଦି ଆଖପାଖ ଅଞ୍ଚଳ ପ୍ରାୟ ୧୫ ବର୍ଷ ପୂର୍ବେ ମାଓଗଡ଼ ଭାବେ ପରିଚିତ ଥିଲା । ୨୦୦୫ ମସିହାରେ ବ୍ଲକରେ ମାଓବାଦୀ ନିଜର ସ୍ଥିତି ଜାହିର କରିଥିଲେ । ପୂର୍ବତନ ସରପଞ୍ଚ କାଦର ସିଂଙ୍କ ହତ୍ୟା ଘଟଣା ବ୍ଲକରେ ମାଓବାଦୀଙ୍କ ସ୍ଥିତିକୁ ଆହୁରି ମଜବୁତ କରିଥିଲା । ପରେ ପରେ ବୁର୍ଦାରେ ମାଓବାଦୀଙ୍କ ଗଣହତ୍ୟା, କ୍ରସର ପୋଡ଼ି, ପୁଲିସ୍ ଏସ୍ଆଇ ନରସିଂହ ମହାକୁଡ଼ଙ୍କ ହତ୍ୟା ଆଦି ଘଟଣା ଟାମ୍ପରଗଡ଼, ମେଘପାଲରେ ମାଓବାଦୀଙ୍କୁ ନେଇ ଆତଙ୍କ ସୃଷ୍ଟି କରିଥିଲା । କୁଖ୍ୟାତ ମାଓବାଦୀ ଗିରିଶ, ଜେମ୍ସ, କମାଣ୍ଡର କୁନୁ ଦେହୁରୀ ମଧ୍ୟ ଏହି ଅଞ୍ଚଳକୁ ନିଜର ଗଡ଼ କରି ରଖିଥିଲେ । ୨୦୧୧ ମସିହା ପରଠାରୁ ଯଦିଓ ଏହି ଅଞ୍ଚଳରୁ ମାଓ ଗତିବିଧି ହ୍ରାସ ପାଇଥିଲା, ତଥାପି ମଧ୍ୟ ୨୦୧୯ ମସିହା ଯାଏ ଅଞ୍ଚଳକୁ ସୁରକ୍ଷା ବଳୟରେ ରଖାଯାଇଥିଲା । ମାତ୍ର ଏବେ ସ୍ଥିତି ପୁଣିଥରେ ବଦଳିବାକୁ ଲାଗିଥିବା କୁହାଯାଉଛି । କିଛି ଦିନ ପୂର୍ବେ ବୌଦ୍ଧ ଅଞ୍ଚଳରୁ ସମ୍ବଲପୁର ସୀମାକୁ ମାଓବାଦୀଙ୍କ ପ୍ରବେଶ ସୂଚନା ପରେ ସମ୍ବଲପୁର ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନ୍ କରାଯାଇଥିଲା । କିନ୍ତୁ ଏକଦା ମାଓଗଡ଼ ଭାବେ ପରିଚିତ ଥିବା ଏହି ଅଞ୍ଚଳରେ କମ୍ବିଂ ପାଇଁ ଏସ୍ଓଜି ଯବାନ୍ଙ୍କୁ ଧାରରେ ଆଣିବାକୁ ପଡ଼ିଥିଲା । ଏବେ ମେଘପାଳର ଫାଣ୍ଡି ଉଠି ଯାଇଥିବା ବେଳେ ସିଆର୍ପିଏଫ୍ର କ୍ୟାମ୍ପ୍ ବି ଉଠି ଯାଇଛି । କିଛି ଦିନ ପୂର୍ବେ ମାଓବାଦୀଙ୍କ ପ୍ରବେଶ ଘଟଣା, ପରେ ପରେ ପୁଣିଥରେ ବନ୍ଧୁକ କାରଖାନା ଠାବ ହେବା ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons