ମାନବ ବିହୀନ ବିମାନର ତଥ୍ୟ ପ୍ରଘଟ ଆଶଙ୍କା

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଚାନ୍ଦିପୁର ଡିଆର୍ଡିଓ ଗୁପ୍ତଚରବୃତ୍ତି ମାମଲା ତଥା ଆଇଟିଆର୍ରୁ ପ୍ରତିରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ପ୍ରଦାନ କରାଯିବା ଘଟଣାରେ କ୍ରାଇମ୍ବ୍ରାଞ୍ଚ୍କୁ ଆହୁରି କିଛି ଠୋସ୍ ତଥ୍ୟ ମିଳିଛି । ଗିରଫ ଡିଆର୍ଡିଓର ୫ ଜଣ ଯାକ କର୍ମଚାରୀ ସନ୍ଦିଗ୍ଧ ରହସ୍ୟମୟୀ ମହିଳାଙ୍କ ପ୍ରେମରେ ମତୁଆଲା ହୋଇ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସଘାତକତା କରିଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି ।
ମାସେ କିମ୍ବା ବର୍ଷେ ନୁହେଁ, ୨୦୨୦ ଫେବ୍ରୁଆରୀରୁ ସନ୍ଦିଗ୍ଧ ମହିଳାଙ୍କ ସହ ଡିଆର୍ଡିଓ କର୍ମଚାରୀମାନେ ଯୋଗାଯୋଗରେ ରହିଥିଲେ । ମହିଳା ଜଣକ ସମସ୍ତଙ୍କୁ ବାହା ହେବାର ପ୍ରସ୍ତାବ ଦେଇ ସେମାନଙ୍କ ଅନ୍ତରଙ୍ଗ ହୋଇଥିଲେ । ବାହା ହେବା ନିଶାରେ ଅଭିଯୁକ୍ତମାନେ ଆଇଟିଆର୍ର ପ୍ରତିରକ୍ଷା ସମ୍ପର୍କିତ ବହୁ ଗୋପନୀୟ ତଥ୍ୟ ଏବଂ ବାୟୁ ସେନାର କିଛି ଗୁପ୍ତ ତଥ୍ୟ ବାହାରକୁ ପଠାଇଥିବା ତଦନ୍ତରୁ ସୁରାକ୍ ମିଳିଛି । ଚୋରି ତଥ୍ୟ ମଧ୍ୟରେ ମାନବ ବିହୀନ ବିମାନ ସମ୍ପର୍କରେ କିଛି ତଥ୍ୟ ସନ୍ଦିଗ୍ଧ ମହିଳାଙ୍କ ପାଖକୁ ପଠାଯାଇଥିବା ଆଶଙ୍କା କରାଯାଉଛି । ବାୟୁ ସେନାର ମାନବ ବିହୀନ ବିମାନ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସେ ଦୃଷ୍ଟିରୁ ଉକ୍ତ ତଥ୍ୟ ପ୍ରଘଟ ସଂପର୍କରେ ବାସ୍ତବ କଥା ଜାଣିବା ପାଇଁ ପଶ୍ଚିମବଙ୍ଗରୁ ଆସିଥିବା ବାୟୁ ସେନାର ଅଧିକାରୀମାନେ ଅଭିଯୁକ୍ତ ବସନ୍ତ ବେହେରା, ସେକ୍ ମୁସାଫିର୍, ତାପସ ରଞ୍ଜନ ନାୟକ, ହେମନ୍ତ ମିସ୍ତ୍ରୀ ଓ ଡ୍ରାଇଭର ସଚିନ୍ କୁମାରକୁ ଦୁଇ ଦିନ ମାରାଥନ୍ ଜେରା କରିଥିବା ସୂଚନା ମିଳିଛି । ପଚରାଉଚରାରୁ ବାୟୁ ସେନା ଅଧିକାରୀ କିଛି ତଥ୍ୟ ହାସଲ କରିଥିବା କ୍ରାଇମ୍ବ୍ରାଞ୍ଚ୍ର ଜଣେ ବରିÂ ଅଧିକାରୀ କହିଛନ୍ତି ।
ଜେରାରେ ଅଭିଯୁକ୍ତମାନଙ୍କଠାରୁ ଏବେ ସୁଦ୍ଧା ଯେତିକି ତଥ୍ୟ ମିଳିଛି ତାହା ତଦନ୍ତକାରୀ ଅଧିକାରୀମାନଙ୍କୁ ତାଜୁବ୍ କରିଛି । ମହିଳା ଜଣକ ଅଭିଯୁକ୍ତମାନଙ୍କ ସହ ପୃଥକ୍ ପୃଥକ୍ ଭାବେ ଯୋଗାଯୋଗରେ ରହୁଥିଲେ ଓ ସମସ୍ତଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଥିଲେ । ସନ୍ଦିଗ୍ଧ ମହିଳା ଭିନ୍ନ ଭିନ୍ନ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ । ସେ ବ୍ରିଟେନ୍ର ଲିଭର୍ପୁଲ୍ରେ ରହୁଛନ୍ତି ଏବଂ ତାଙ୍କର ମିସାଇଲ ବାବଦରେ ଜାଣିବାକୁ ଇଚ୍ଛା ଥିବା ଜଣେ ଅଭିଯୁକ୍ତଙ୍କୁ କହିଥିଲେ । ଅନ୍ୟ ଜଣଙ୍କୁ କହିଥିଲେ ସେ ରାଜସ୍ଥାନରେ ଏକ ଗଣମାଧ୍ୟମ ସଂସ୍ଥାରେ ସାମ୍ବାଦିକ ଅଛନ୍ତି । ଅନ୍ୟ ଜଣଙ୍କୁ କହିଥିଲେ ସେ ପୋର୍ଟ ବ୍ଲେୟାରରେ ଷ୍ଟାଫନର୍ସ ଭାବେ କାମ କରୁଛନ୍ତି ଏବଂ ବିବାହ କରିବେ । ଆଉ ଜଣେ ଅଭିଯୁକ୍ତଙ୍କୁ କହିଥିଲେ ଚଣ୍ଡିଗଡ଼ରେ ଭାରତୀୟ ସେନାରେ ଜୁନିଅର କ୍ଲର୍କ ଅଛନ୍ତି । ହିନ୍ଦୀ ଓ ଇଂରାଜୀ ଭାଷାରେ ସେ କଥାବାର୍ତ୍ତା କରୁଥିଲେ । ଅଭିଯୁକ୍ତମାନେ ମହିଳାଙ୍କ ସହ ଫେସ୍ବୁକ୍, ହ୍ୱାଟସ୍ଆପ୍, ଭିଡିଓ କଲ୍ରେ ବହୁ ସମୟ ବିତାଉଥିଲେ । ଅନ୍ତରଙ୍ଗ କଥାବାର୍ତ୍ତା ଭିତରେ ମହିଳା ଜଣକ ଅଭିଯୁକ୍ତମାନଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇ ସେମାନଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିବା ଜଣେ ଅଭିଯୁକ୍ତ ସ୍ୱୀକାର କରିଛି । ଦୀର୍ଘ ଦିନର ବାର୍ତ୍ତାଳାପ ଏବଂ ବିବାହ ପ୍ରସ୍ତାବ, ଅନ୍ୟାନ୍ୟ ଲୋଭରେ ପଡ଼ି ଅଭିଯୁକ୍ତମାନେ ଉକ୍ତ ମହିଳାଙ୍କ ପାଖକୁ ରୀତିମତ ବିଭିନ୍ନ ତଥ୍ୟ ପଠାଉଥିଲେ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ।
ଏପରି ସ୍ଥିତିରେ ସନ୍ଦିଗ୍ଧ ମହିଳା ଏବେ କ୍ରାଇମବ୍ରାଞ୍ଚର ମୁଖ୍ୟ ଟାର୍ଗେଟ୍ରେ ରହିଛନ୍ତି । ସମ୍ପୃକ୍ତ ମହିଳା ବ୍ୟବହାର କରୁଥିବା ୟୁକେର ମୋବାଇଲ୍ ନମ୍ବରକୁ ଆଧାର କରି ତାଙ୍କୁ ଧରିବା କ୍ରାଇମ୍ବ୍ରାଞ୍ଚ୍ ପାଇଁ ଏବେ ଚାଲେଞ୍ଜ ହୋଇଛି । ୟୁକେର ମୋବାଇଲ୍ ନମ୍ବରକୁ ଟ୍ରାକିଂ କରି ମହିଳାଙ୍କୁ ଠାବ କରିବା ସହଜ ନଥିବାରୁ ଏଥିଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନଙ୍କ ସହାୟତା ନେଇ ୟୁକେ ତଦନ୍ତକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ କରାଯିବ ବୋଲି ସୂଚନା ମିଳିଛି । ସେହିପରି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ଦୁବାଇରୁ ଆସିଥିବା ଟଙ୍କା କେଉଁ ସୂତ୍ରରୁ ଆସୁଥିଲା ସେ ବାବଦରେ ଅଧିକ ତଦନ୍ତ ଲାଗି ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ।
ଅନ୍ୟପକ୍ଷରେ ଏହି ତଥ୍ୟ ଚୋରି ପଛରେ ଅଧିକ ଅର୍ଥ କାରବାର ହୋଇଥାଇପାରେ ବୋଲି ତଦନ୍ତକାରୀ ଟିମ୍ ଅନୁମାନ କରୁଛି । ଏ ଦିଗରେ ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତମାନଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ୍ ବାବଦରେ ଟିକିନିଖି ଖୋଳତାଡ଼ କରାଯାଉଛି ଓ କ୍ରାଇମ୍ବ୍ରାଞ୍ଚ୍ ସ୍ୱତନ୍ତ୍ର ଟିମ୍ କିଛି ପ୍ରାଥମିକ ସୁରାକ୍ ହାସଲ କରିଥିବା ଜଣାପଡ଼ିଛି । ୫ ଦିନର ଜେରା ମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କଠାରୁ କିଛି ତଥ୍ୟ ହାସଲ କରିଥିବା ବେଳେ ଆଗକୁ ଆହୁରି ଅନେକ ତଥ୍ୟ ସଂଗ୍ରହ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରଥମ ଦିନେ ଦୁଇ ଦିନ ଅଭିଯୁକ୍ତମାନେ ଜେରା ସମୟରେ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର କ୍ରାଇମବ୍ରାଞ୍ଚ ଯୋଗାଡ଼ କରିଥିବା ସିଡିଆର୍ ଆନାଲିସିସ୍ ରିପୋର୍ଟ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକରୁ ମିଳିଥିବା ତଥ୍ୟ ପ୍ରମାଣ ଦେଖାଇବା ପରେ ଅଭିଯୁକ୍ତମାନେ ସତ ଓକାଳିବାକୁ ବାଧ୍ୟ ହୋଇଥିଲେ । ଆହୁରି ଅନେକ କଥା ସେମାନେ ଲୁଚାଇ ରଖିଥିବା ଅନୁମାନ କରାଯାଉଛି । ମହିଳାଙ୍କ ମାୟାରେ ପଡ଼ି ସେମାନେ ଅନେକ ତଥ୍ୟ ଦେଇଥିବା ମାନୁଛନ୍ତି ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି । ଉକ୍ତ ମହିଳାଙ୍କ ସହ ଡିଆର୍ଡିଓର ଅନ୍ୟ କର୍ମଚାରୀମାନଙ୍କର ମଧ୍ୟ ସମ୍ପୃକ୍ତି ଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ଅନୁମାନ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons