ମାହାଙ୍ଗା କୁସୁପୁର ଗଣହତ୍ୟା:କାଳିଆବୁଦାରେ ଜଳିଲା ୫ ଜୁଇ

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ବୁ୍ୟରୋ): ବାପା, ମା’, ଝିଅ ଓ ଦୁଇ ପୁଅ, ପୂରା ପରିବାରର ପାଞ୍ଚ ଜଣଙ୍କ ଚିତା ସଜଡ଼ା ଯାଇଥିଲା ପାଖାପାଖି । ପୈତୃକ ଘର ମାହାଙ୍ଗା କୁସୁପୁର ଗାଁଠାରୁ ୫୦ କିଲୋମିଟର ଦୂରରେ କଟକ ସହରର କାଳିଆବୁଦା ଶ୍ମଶାନଘାଟରେ ଏକାସଙ୍ଗେ ଆଜି ଜଳିଥିଲା ୫ଟି ଜୁଇ । ଗଣହତ୍ୟାର ଶିକାର ହୋଇଥିବା ପୂରା ପରିବାରର ଅନ୍ତିମ ସଂସ୍କାର ହୋଇଥିଲା ଏମିତିକା ଶୋକାକୁଳ ପରିବେଶରେ । ବାଟଚଲା ଦେଖଣାହାରୀଙ୍କ ଆଖିରେ ବି ଲୁହ ରହିନଥିଲା ଏ ଦୁଃଖଦ ଛାତିଫଟା ଦୃଶ୍ୟ ଦେଖି ।
ଅନ୍ୟପକ୍ଷରେ, ଏମାନଙ୍କ ହତ୍ୟାକାରୀ, ରକ୍ତ-ସମ୍ପର୍କରେ ଭାଇ/ଦିଅର/ଦାଦା ବୋଲାଉଥିବା ଅଭିଯୁକ୍ତ ଶିବ ସାହୁକୁ ପୁଲିସ୍ ଆଜି କୋର୍ଟ ଚାଲାଣ କରିଛି । ଏ ଭିତରେ ମାହାଙ୍ଗା କୁସୁପୁର ନରସଂହାର ଘଟଣାକୁ ଦୁଇ ଦିନ ବିତିଛି । କିନ୍ତୁ ହତ୍ୟାକାଣ୍ଡ ସହ ଜଡ଼ିତ ଆହୁରି ଅନେକ ଅସମାହିତ ପ୍ରଶ୍ନ ଓ ରହସ୍ୟ ପୁଲିସ ନଜରରୁ ଓ ତଦନ୍ତ ପରିସରରୁ ଦୂରରେ ରହିଯାଇଛି । ଏ ଦିଗରେ ଖୋଳତାଡ଼ ଜାରି ରହିଥିବା ବେଳେ ଅଭିଯୁକ୍ତ ଶିବକୁ ରିମାଣ୍ଡ୍ରେ ଆଣି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବାକୁ ଏବଂ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ୍ ଯୋଜନା କରିଥିବା ସୂଚନା ମିଳିଛି ।
ହତ୍ୟାକାଣ୍ଡକୁ ନେଇ ସବୁଠୁ ବଡ଼ ପ୍ରଶ୍ନ ଆଜି ବି ତଦନ୍ତକାରୀ ଟିମ୍କୁ ଘାରୁଛି । ଗୋଟିଏ ଘରେ ଶୋଇଥିବା ୫ ଜଣଙ୍କୁ ଏକଲା ଜଣେ ବ୍ୟକ୍ତି କେମିତି ହତ୍ୟା କଲା? ପ୍ରତିବାଦ, ପ୍ରତିରୋଧ କିପରି କେହି କଲେନି? କୋଠରୀରେ ଧସ୍ତାଧସ୍ତିର ଚିହ୍ନ କାହିଁକି ନାହିଁ? ହତ୍ୟାକାରୀର ଶରୀରରେ ବା ପୋଷାକରେ ରକ୍ତଛିଟା କେମିତି ନାହିଁ? ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ଦିଗରେ ତଦନ୍ତ କରୁଛି ପୁଲିସ୍ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୃତ ଝିଅ ସ୍ମୃତିସନ୍ଧ୍ୟା ସାହୁ(ପାୟଲ୍)ଙ୍କ ହାତରେ ଜଣେ ମହିଳାଙ୍କ ଚୁଟି ଲାଗିଥିବାର ପୁଲିସ୍ ଦେଖିବାକୁ ପାଇଛି । ସାଇଣ୍ଟିଫିକ୍ ଟିମ୍ର ଅନୁସନ୍ଧାନ ସମୟରେ ଏହା ନଜରକୁ ଆସିଛି । ତେବେ ଏ ଚୁଟି କାହାର ସେ ନେଇ ଏବେ ପ୍ରଶ୍ନ ଉଠିଛି । ଚୁଟି ଲମ୍ବା ହୋଇଥିବାରୁ ଏହା ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଛି । ତେବେ ହତ୍ୟାକାଣ୍ଡ ଘଟିଥିବା ସେହି ରୁମ୍ ଭିତରେ ପାୟଲ୍ ଓ ତାଙ୍କ ମା’ ମୃତ ରଶ୍ମିରେଖା ସାହୁ ଥିଲେ । ମା’ଙ୍କୁ ବଞ୍ଚାଇବା ବେଳେ ପାୟଲ୍ଙ୍କ ହାତକୁ ରଶ୍ମିରେଖାଙ୍କ ଚୁଟି ଆସିଛି କିମ୍ବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ କାହାର ଏ ଚୁଟି, ତାକୁ ନେଇ ପୁଲିସ୍ ଅନୁସନ୍ଧାନ ଜାରି ରଖିଛି । ତେବେ ସାଇଣ୍ଟିଫିକ୍ ରିପୋର୍ଟ ଓ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଏ ରହସ୍ୟରୁ ପର୍ଦ୍ଧା ଉଠିବ ବୋଲି ପୁଲିସ୍ କହିଛି । ଅନ୍ୟପକ୍ଷରେ ପୁଲିସ୍ ଆଜି ହତ୍ୟାକାରୀ ଶିବର ପତ୍ନୀ ସୁନୀତା ସାହୁଙ୍କୁ ପଚରାଉଚରା କରିଛି । ହତ୍ୟାକାଣ୍ଡ ରାତିର ସମସ୍ତ ଆଖି ଦେଖା ଘଟଣାକୁ ପୁଲିସ୍କୁ କାନ୍ଦିକାନ୍ଦି କହିଛନ୍ତି ସୁନୀତା ।
ହତ୍ୟାକାଣ୍ଡର ଶିକାର ହୋଇଥିବା ୫ଜଣ, ଅଲେଖ ପ୍ରସାଦ ସାହୁ(୪୬), ତାଙ୍କ ପତ୍ନୀ ରଶ୍ମିରେଖା ସାହୁ(୩୮), ଝିଅ ସ୍ମୃତିସନ୍ଧ୍ୟା ସାହୁ(ପାୟଲ୍, ୧୮ ବର୍ଷ), ବଡ଼ପୁଅ ସ୍ମୃତିସାହିଲ୍ ସାହୁ(ଗୁଡୁ, ୧୬ବର୍ଷ) ଓ ସାନପୁଅ ସ୍ମୃତିସୌରଭ ସାହୁ(ରିଷି, ୧୫ବର୍ଷ)ଙ୍କ ମୃତ ଦେହକୁ ଆଜି କଟକ ବଡ ମେଡିକାଲରେ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ ଗାଁକୁ ନ ନେଇ କଟକ କାଳିଆବୁଦା ଶ୍ମଶାନରେ ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏ ଅସହ୍ୟ ଦାରୁଣ ଦୁଃଖରୁ ଗ୍ରାମବାସୀଙ୍କୁ ଦୂରେଇ ରଖିବାକୁ ଗ୍ରାମର କିଛି ମୁରବିଙ୍କ ନିଷ୍ପତ୍ତି କ୍ରମେ କାଳିଆବୁଦାଠାରେ ୫ଜଣଙ୍କ ଜୁଇ ଜଳିଥିଲା । ଅଲେଖଙ୍କ ସାନ ଶଳା ଦିଲ୍ଲୀ ପୃଷ୍ଟି ସମସ୍ତଙ୍କୁ ମୁଖାଗ୍ନି ଦେଇଥିଲେ । ଅନ୍ୟପକ୍ଷରେ ଅଲେଖଙ୍କ କୁସୁପୁର ସ୍ଥିତ ଘରକୁ ମାହାଙ୍ଗା ପୁଲିସ୍ ତରଫରୁ ସିଲ୍ କରି ଦିଆଯାଇଛି । ପୁଲିସ୍ ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରିଛି । ଅଲେଖଙ୍କ ଶାଶୁ ରୀନା ପୃଷ୍ଟିଙ୍କ ଏତଲା ଆଧାରରେ ମାହାଙ୍ଗା ଥାନାରେ ୮୧/୨୨ ରେ ଏକ ମାମଲା ରୁଜୁ ହୋଇଛି ଓ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି । ତେବେ ଅଧିକ ତଦନ୍ତ ପାଇଁ ପୁଲିସ୍ ଅଭିଯୁକ୍ତ ଶିବକୁ ରିମାଣ୍ଡ୍ରେ ଆଣିବାକୁ ଯୋଜନା କରୁଛି । ରିମାଣ୍ଡ୍ରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରି ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ଚେଷ୍ଟା କରିବ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗତକାଲି (ମଙ୍ଗଳବାର) ଭୋର୍ରୁ ବଡ଼ଭାଇ ଅଲେଖ ସାହୁଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରିଥିଲା ସାନଭାଇ ଶିବପ୍ରସାଦ ସାହୁ । ପରେ ହତ୍ୟା କରିଥିବା ନେଇ ଏକ ସ୍ୱୀକାରୋକ୍ତି ଭିଡ଼ିଓ ଜାରି କରିବା ସହ ବାଲିଚନ୍ଦ୍ରପୁର ଥାନାରେ ଅତ୍ମସମର୍ପଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons