ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ମାରିଦେଲେ

Get real time updates directly on you device, subscribe now.

ରଘୁନାଥପୁର,(ବି.ବି.ନୁ୍ୟଜ): ଶୁକ୍ରବାର ରାତିରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ୧୦ରୁ ଅଧିକ ବ୍ୟକ୍ତି ସଂଘବଦ୍ଧ ଭାବେ ଦୁଇ ଜଣ ଯୁବକଙ୍କୁ କାଠଫାଳିଆ ଓ ବାଉଁଶରେ ପିଟିବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତୁ୍ୟ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏବେ କଟକ ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ମୃତ ଯୁବକ ହେଲେ ରଘୁନାଥପୁର ଗ୍ରାମ ହୁରାସାହିର ସୁନାକର ରଣାଙ୍କ ପୁଅ ହିମାଂଶୁ ରଣା (୨୩) । ଗୁରୁତର ଯୁବକ ହେଲେ ଟୁକୁନା ପରିଡ଼ାଙ୍କ ପୁଅ ଶ୍ରୀକାନ୍ତ ପରିଡ଼ା (୨୨) । ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଆଳି ପିଙ୍ଗଳ ବିଚାର ବିଭାଗୀୟ ଜେଲ୍କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ହେଲେ କିଶନନଗର ଥାନା ଅଧୀନ ବୋଦର ଗ୍ରାମର ଶୁକଦେବ ପଲେଇଙ୍କ ପୁଅ ପୀତବାସ ପଲେଇ ଓରଫ ଛବି (୩୯), ଅରକ୍ଷିତ ବେହେରାଙ୍କ ପୁଅ ବରଦା ବେହେରା ଓରଫ ଜାନି (୨୨), ଶରତ ବାରିକଙ୍କ ପୁଅ ମନୋରଂଜନ ବାରିକ ଓରଫ କାଲୁ (୩୩) ଓ ଶୁକଦେବ ଦାସଙ୍କ ପୁଅ ସନାତନ ଦାସ ଓରଫ ଟନା (୩୧) ।
ପୁଲିସ ଦେଇଥିବା ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢେ଼ ୮ଟା ବେଳେ ହିମାଂଶୁ ଓ ଶ୍ରୀକାନ୍ତ ଏକ ବାଇକ୍ରେ ଦେବୀ ମେଢ଼ ବୁଲିବା ପାଇଁ ଯାଇଥିଲେ । ତେବେ ସେମାନେ ଫେରିବା ବେଳେ ରଘୁନାଥପୁର ଅଯୋଧ୍ୟାପୁର ଠାରୁ କଲରାବାଙ୍କ ପାଇକା ନଦୀ ବନ୍ଧ ରାସ୍ତାର ଜେନାସାହି ନିକଟସ୍ଥ ଏକ ବରଗଛ ନିକଟରେ ବାଇକ୍ ଧକ୍କା ହୋଇଥିଲା । ସମ୍ମୁଖରୁ ବୋଦର ଗ୍ରାମର ବରଦା ବେହେରା ଏକ ବାଇକ୍ରେ ୩ଜଣଙ୍କୁ ବସାଇ ଯାଉଥିଲା ବେଳେ ତାଙ୍କ ଗାଡ଼ି ସହ ହିମାଂଶୁଙ୍କ ବାଇକ୍ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ବୋଦର ଗ୍ରାମର ଉକ୍ତ ୩ଜଣ ଯୁବକ ତାଙ୍କର ଅନ୍ୟ ୧୦ଜଣ ସାଙ୍ଗଙ୍କୁ ଫୋନରେ ଡକାଇଥିଲେ । ଘଟଣାସ୍ଥଳରେ ଆଉ ୭ଜଣ ଯୁବକ ଏକାଠି ହୋଇଯିବା ପରେ ସମସ୍ତେ ମିଳିମିଶି ହିମାଂଶୁ ଓ ଶ୍ରୀକାନ୍ତଙ୍କୁ କାଠ ଫାଳିଆ ଓ ବାଉଁଶରେ ନିର୍ମମ ଭାବେ ପିଟିଥିଲେ । ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁ ଓ ଶ୍ରୀକାନ୍ତଙ୍କୁ ରଘୁନାଥପୁର ମେଡିକାଲକୁ ନେଇ ଆସିଥିଲେ । ହେଲେ ରଘୁନାଥପୁର ମେଡିକାଲରେ ଡାକ୍ତର ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି ୧୦୮ ଆମ୍ବୁଲାନ୍ସରେ କଟକ ମେଡିକାଲକୁ ପଠାଇଥିଲେ ।
ଏନେଇ ମୃତ ହିମାଂଶୁଙ୍କ ଭାଇ ବଳରାମ ରଘୁନାଥପୁର ଥାନାରେ ଏତଲା ଦେବା ପରେ ରଘୁନାଥପୁର ଥାନା ଆଇଆଇସି ଦେବେନ୍ଦ୍ର ମହାପାତ୍ର, ଏସ୍ଆଇ ହିତାୟତ ଅହମ୍ମଦ ଓ ଏସ୍ଆଇ ଗୟଶ ମହମ୍ମଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ହତ୍ୟା ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏହି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଗାଁ ଛାଡ଼ି ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons