ରଣକ୍ଷେତ୍ର ପାଲଟିଲା ଶିବିର

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଚାଲିଥିଲା ମାଳିପର୍ବତ ପରିବେଶ ଜନଶୁଣାଣି । ଉପସ୍ଥିତ ଥିଲେ ପ୍ରଶାସନିକ ଅଧିକାରୀ, ସପକ୍ଷବାଦୀ ଏବଂ ଜନସାଧାରଣ । ମୁତୟନ ହୋଇଥିଲେ ୯ ପ୍ଲାଟୁନ ପୁଲିସ । କଡ଼ା ସୁରକ୍ଷା ଭିତରେ ଶୁଣାଣି ଚାଲିଥିବା ବେଳେ ହଠାତ୍ ପହଞ୍ଚିଲେ ଶହ ଶହ ବିପକ୍ଷବାଦୀ । ହାତରେ ଥିଲା ଖଣ୍ଡା, କାତି ସହ ବିଭିନ୍ନ ମାରଣାସ୍ତ୍ର । ସୁରକ୍ଷା କର୍ଡନ ଭାଙ୍ଗି ଜବରଦସ୍ତ ଶିବିରରେ ଧସେଇ ପଶିଲେ । ସଭାସ୍ଥଳରେ ବ୍ୟାପକ ଭଙ୍ଗାରୁଜା କରି ବିଭିନ୍ନ ସ୍ଲୋଗାନ ଦେଲେ । ଆକ୍ରମଣକାରୀଙ୍କ ଉଗ୍ରରୂପ ଦେଖି ପ୍ରଶାସନିକ ଅଧିକାରୀ ସଭାସ୍ଥଳରୁ ପଳାଇଲେ । ଅଧାରୁ ବନ୍ଦ ହୋଇଗଲା ଜନଶୁଣାଣି । ପୁଲିସ ସୁରକ୍ଷା ବଳୟରେ ଶୁଣାଣି କରୁଥିବା ଅଧିକାରୀମାନେ ଫେରିଗଲେ । ମୋଟାମୋଟି କହିବାକୁ ଗଲେ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା ଶିବିର । ସେମିଳିଗୁଡ଼ା ବ୍ଲକ କଙ୍କଡ଼ାଆମ୍ବରେ ଆଜି ଘଟିଥିଲା ଏହି ତୁମୁଳକାଣ୍ଡ । ଏ ସମ୍ପର୍କରେ ସେମିଳିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।
ଆଜି କଙ୍କଡ଼ାଆମ୍ବରେ ଚାଲିଥିଲା ପରିବେଶ ଜନଶୁଣାଣି । ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ତହସିଲର ଆଲିଗାଁ, ଶୋରିଷପଦର, କଙ୍କଡ଼ାଆମ୍ବ ଗାଁର ୨୬୮/୧୧ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ୍ ବrାଇଟ୍ ଉତ୍ତୋଳନ ଲାଗି ଜନଶୁଣାଣି ଆରମ୍ଭ ହୋଇଥିଲା । ଉପସ୍ଥିତ ଥିଲେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଉପଜିଲ୍ଲାପାଳ ଲଳିତ କୁମାର କହଁର, ପରିବେଶ ନିୟନ୍ତ୍ରଣ ବୋଡର଼୍ ଅଧିକାରୀ ପ୍ରଶାନ୍ତ କର ପ୍ରମୁଖ । ସୁରକ୍ଷା ଦୃଷ୍ଟିରୁ ମୁତୟନ ହୋଇଥିଲେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୨ ଜଣ ଡିଏସପି, ୩ ଜଣ ଇନସପେକ୍ଟର ଏବଂ ୯ ପ୍ଲାଟୁନ ଫୋର୍ସ । ଦିନ ୧୧ଟା ପରେ ପହଞ୍ଚିଥିଲେ ମାଳିପର୍ବତ ସୁରକ୍ଷା ସମିତିର ସମର୍ଥକ । ମାଳିପର୍ବତ ଆଖପାଖ ୧୦ କିମି ମଧ୍ୟରେ ଥିବା ୪୪ ଖଣ୍ଡ ଗ୍ରାମର ଲୋକ ଏଥିରେ ସାମିଲ ହୋଇଥିଲେ । ହାତରେ ଧରିଥିଲେ ଖଣ୍ଡା, କାତି ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର । ଶୁଣାଣିକୁ ପ୍ରବଳ ବିରେଧ କରିଥିଲେ । ସୁରକ୍ଷା ବ୍ୟବସ୍ଥାକୁ ବେଖାତିର୍ କରି ଶିବିରରେ ଧସେଇ ପଶିଥିଲେ । ଟେବୁଲ ଚେୟାର ଭଙ୍ଗାରୁଜା କରିବା ସହ ସାମିଆନା ଚିରି ଦେଇଥିଲେ । ମାଇକ୍ ଭାଙ୍ଗି ଦେଇଥିଲେ । ପୁଲିସ ଓ ପ୍ରଶାସନର ସମସ୍ତ ବ୍ୟବସ୍ଥାକୁ ବିଫଳ କରି ବିରୋଧୀ ଗୋÂୀ ଜନ ଶୁଣାଣିକୁ ଭଣ୍ଡୁର କରିବାରେ ସଫଳ ହୋଇଥିଲେ । କୌଣସି ପରିସ୍ଥିତିରେ ଖଣି ଖନନ କରିବରାକୁ ଦିଆଯିବ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ମାଳିପର୍ବତ ସୁରକ୍ଷା ସମିତିର ବିଜୟ ଖିଲ ।
ସୂଚନାଥାଉକି, ଖଣି ଖନନ ଲାଗି ପୂର୍ବରୁ ମାଳିପର୍ବତ ଖଣି ଅଞ୍ଚଳରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କଙ୍କଡ଼ାଆମ୍ବରେ ଦଳେଇଗୁଡ଼ା, ପାକଝୋଲା, ଖୁଡ଼ି ଏବଂ ଶୋରିଷପଦର ଆଦି ୪ଟି ପଞ୍ଚାୟତର ୧୮ଖଣ୍ଡ ଗାଁ ଲୋକ କମ୍ପାନି ସପକ୍ଷରେ ଶକ୍ତି ପଦର୍ଶନ କରିଥିଲେ । ଖଣି ଲିଜ୍ ଏବଂ ଖନନ ପ୍ରସଙ୍ଗକୁ ନେଇ ମାଳିପର୍ବତ ସୁରକ୍ଷା ସମିତି ଗାଁ ଗାଁରେ ପଦଯାତ୍ରା କରି ସମର୍ଥନ ଲୋଡ଼ିଥିଲା । ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା ମାଳିପର୍ବତ ଖଣି ପ୍ରସଙ୍ଗରେ କୋରାପୁଟରେ କରିଥିବା ସାମ୍ବାଦିକ ସମ୍ମିଳନୀକୁ ଖଣି ସପକ୍ଷବାଦୀ ତୀବ୍ର ବିରୋଧ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons