ରୋଗୀଣା ମାଁଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ ପରିବାର

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ): ପୁଅଝିଅଙ୍କ ସେବାରେ ନିଜର ଜୀବନ ଯୌବନ ଅଜାଡ଼ି ଦେଇଥିବା ମାଁ ପରିଣତ ବୟସରେ ପୁଅ ପାଇଁ ଅଲୋଡା ପାଲଟିଯାଇଛି । ଖାଲି ସେତିକି ନୁହେଁ ରୋଗୀଣା ହେବା ପରେ ସେବା ସୁଶ୍ରୁସା ବଦଳରେ ମାଁଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଦୀର୍ଘ ୧୫ ଦିନଧରି ଏକାକୀ ବୁଢ଼ୀମାଁ ବଣର ନିରବତା, ଜୀବଜନ୍ତୁଙ୍କ ରଡ଼ି, ରାତିର ଭୟ ସହିତ ଜୁଝୁଥିଲେ । ତିନି ପୁଅ ସମେତ ଭରପୂର ପରିବାର ଥିବା ସତ୍ତେ୍ୱ ଏଭଳି ଅବସ୍ଥାରେ ଜଣେ ବୃଦ୍ଧାଙ୍କୁ ଜୀବନ କାଟିବାକୁ ପଡୁଛି । ଜଙ୍ଗଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ବେଳେ ବରଗଡ଼ର ସଙ୍କଳ୍ପ ପରିବାର ଦ୍ୱାରା ଆଜି ସଂପୃକ୍ତ ବୃଦ୍ଧାକୁ ଉଦ୍ଧାର କରାଯିବା ପରେ ସମୁଦାୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତର ଘନଘାଟି ଜଙ୍ଗଲରେ । ବାରପାହାଡ଼ ରେଞ୍ଜ ଅନ୍ତର୍ଗତ ଘୋର ଜଙ୍ଗଲରୁ ୮୦ ବର୍ଷିଆ ବୃଦ୍ଧା କୌଶଲ୍ୟା ବେହେରା ଉଦ୍ଧାର କରାଯିବା ଘଟଣା ପରିବାରର ରୁଗ୍ଣ ମାନସିକତାକୁ ପ୍ରମାଣିତ କରିଛି ।
ଘରେ ଥିଲି, ମଜାରେ ଖାଉଥିଲି ପିଉଥିଲି । ଜିଁ ଥାଉଥାଉ ମତେ ଜଙ୍ଗଲେ ଛାଡ଼ି ଦେଇଛନ, ବାଘଭାଲୁ ମୁହେଁ ଛାଡ଼ିଦେଇଛନ । ଘର୍କେ ଯିବାରଲାଗି ଇଚ୍ଛା ଲାଗୁଛଯେ ହେମାନେ ମତେ ନେବେ କାଁ? ଉଷୋକଷା କିଛି ନାଇ କଲେ, ଘରକେ ଗଲେ କାଣା କରମି ଯେ । ମଶା ଚବେଇକରି ପଡ଼ିରହିଛେ । ମୋର ଭାଗ୍ୟେ ଇଟା ଥିଲା, ପୁଓବହ ନାଇଁ ପଚରାଲେ ଆଉ କିଏ ପଚରାବା । ଭଗବାନ ବି ବହୁତ କଷ୍ଟ ଦେଉଛେ, ନେଇଗଲେ ନାଇଁ ହେତା…ବୋଲି କୌଶଲ୍ୟା କ୍ଷୋଭ ଏବଂ ଲୁହ ଭରା କଣ୍ଠରେ କହିଛନ୍ତି ।
ତିନିଝିଅର ବାହାଘର ସହ ବଡ଼ପୁଅର ମୃତୁ୍ୟ ପରେ କୌଶଲ୍ୟା ଓ ତାଙ୍କର ସ୍ୱାମୀ ବର୍ତ୍ତମାନ ସାନପୁଅ ବୋହୂ, ବଡ଼ବୋହୂ ଓ ନାତିନାତୁଣୀଙ୍କ ସହିତ ରହୁଥିଲେ । ସବକିଛି ଠିକଠାକ ଚାଲିଥିବା ବେଳେ କୌଶଲ୍ୟାଙ୍କ ଶରୀରରେ ଦେଖାଦେଇଥିବା ସାମାନ୍ୟ ରୋଗ ତାଙ୍କୁ ପରାଶ୍ରିତ କରିଦେଇଥିଲା । ମୁଣ୍ଡରେ ଘା’ ହେବା ସହିତ ହାତରେ ଧଳାଦାଗ ଦେଖାଦେବା ପରେ ଗ୍ରାମବାସୀ କୌଶଲ୍ୟାଙ୍କ ସମେତ ସମସ୍ତ ପରିବାରବର୍ଗଙ୍କୁ ଜାତି ସମାଜରୁ ବାଚ୍ଛନ୍ଦ କରିଥିଲେ । ଫଳରେ ପରିବାରବର୍ଗ ବାଧ୍ୟ ହୋଇ କୌଶଲ୍ୟାଙ୍କୁ ଘନଘାଟି ଜଙ୍ଗଲକୁ ନେଇ ବାହାପାହାଡ଼ ଘୋର ଜଙ୍ଗଲ ଭିତରେ ଗୋଟେ ଜରିପାଲ କୁଡ଼ିଆ ତିଆରି କରି ତାଙ୍କୁ ଛାଡ଼ି ଆସିଥିଲେ । ପରିବାରବର୍ଗ ଗାଁରେ ଭୋଜିଭାତ ଦେଇ ଜାତି କୁଟୁମ୍ବ ସହିତ ମିଶିଥିଲେ ମଧ୍ୟ କୌଶଲ୍ୟା ବିଷାକ୍ତ ସାପ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଏକକୀ ରହିବାକୁ ବାଧ୍ୟ ହୋଇଯାଇଥିଲେ । ଜରିପାଲ କୁଡ଼ିଆରେ ବନ୍ଦୀ ରହିଯାଇଥିବା କୌଶଲ୍ୟା ଭୋକ ଜ୍ୱାଳା ସହ ପଶୁପକ୍ଷୀ ତଥା ପ୍ରବଳ ବର୍ଷା, ମାଟିକାଦୁଅ ସହିତ ଲଢେ଼ଇ କରୁଥିବା ବେଳେ ୧୫ ଦିନ ପରେ ଭଗବାନ ଦୟା ପରବଶ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସଙ୍କଳ୍ପ ପରିବାରର ସଦସ୍ୟମାନେ ଘନଘାଟି ଜଙ୍ଗଲ ଭିତରେଥିବା ଗୋଟେ ଟାପୁ ଉପରେ ଥିବା କୌଶଲ୍ୟାଙ୍କୁ ଠାବ କରିଥିଲେ । ଦୀର୍ଘ ୨ କିଲେମିଟର ଧରି କୌଶଲ୍ୟାଙ୍କୁ ଗୋଟେ ଷ୍ଟେ୍ରଚରରେ ବୋହି ଚାଲିଚାଲି ଜଙ୍ଗଲ ଅତିକ୍ରମ କରି ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ଆଣିବାପରେ ସେ ବର୍ତ୍ତମାନ ଚିକିତ୍ସାଧିନ ଥିବା ସଙ୍କଳ୍ପ ପରିବାର ମୁଖ୍ୟ ବିକାଶ ଅଗ୍ରୱାଲଙ୍କଠାରୁ ଜଣାପଡ଼ିଛି । ତେବେ ଘନାମାଳଠାରେ ରହୁଥିବା କୌଶଲ୍ୟାଙ୍କ ପରିବାରବର୍ଗଙ୍କୁ ବୁଝାଇ ଡ଼ାକ୍ତରଖାନା ଆସିବାକୁ ସଙ୍କଳ୍ପ ତରଫରୁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ରାଜି ହୋଇନଥିବା ବେଳେ ଶେଷରେ ସାନପୁଅ ଧନମାଳି ବେହେରା ଖୋଦାପାଲି ଡ଼ିଏଚଏଚକୁ ଆସିବା ପରେ ମାଁ ମୁହଁରେ ଫୁଟିଥିବା ଚେନାଏ ହସ ସମସ୍ତଙ୍କ ଆଖିକୁ ଓଦା କରିଦେଇଥିଲା । ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଥିବାରୁ ସଙ୍କଳ୍ପ ପରିବାରକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons