ଶବକୁ କାନ୍ଧ ଦେଇ ୨ କିମି ଆଣିଲେ ଏସଆଇ

Get real time updates directly on you device, subscribe now.

ବାଲିଗୁଡା, (ବି.ବି.ନୁ୍ୟଜ): ବାପା ଜନ୍ମ କଲା ପୁଅକୁ ମାରି ଗାଁ ନିକଟ ଜଙ୍ଗଲରେ ମାଟି ଖୋଳି ପୋତି ଦେଇଥିବା ଅଭିଯୋଗ । ପୁଲିସ ଯେତେବେଳେ ତଦନ୍ତ ପ୍ରକ୍ରିୟା ଆରମ୍ଭ କଲା ସେତେବେଳେ ସୃଷ୍ଟି ହୋଇଥିଲା ଏକ ଅଭାବନୀୟ ପରିସ୍ଥିତି । ମାଟି ଖୋଳି ମୃତଦେହ ସିନା ବାହାର କରାଗଲା । ହେଲେ ଶବ ପଚି ସଢି ଯାଇଥିବାରୁ କାନ୍ଧରେ ବୋହି ଆଣିବାକୁ ନା ପରିବାର ଲୋକ ରାଜି ହେଲେ ନା ଗ୍ରାମବାସୀ । ଶେଷକୁ ଏଥିପାଇଁ ଆଗେଇ ଆସିଲେ ନିଜେ ଏସ୍ଆଇ ରବୀନ୍ଦ୍ର ମୁଣ୍ଡାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର ରବୀନ୍ଦ୍ରଙ୍କ ଏହି କାର୍ଯ୍ୟ ଏବେ ଚର୍ଚ୍ଚିତ ତଥା ପ୍ରଶଂସିତ ହେଉଛି ।
ହତ୍ୟା ଅଭିଯୋଗର ତଦନ୍ତ ଭାର ନେଇ ଘଟଣାସ୍ଥଳକୁ ଯାଇ ଶବ ଖୋଳି ବାହାର କରିବା ସହ ଯାଞ୍ଚ କାର୍ଯ୍ୟରେ ଜୁଟି ଯାଇଥିଲେ ଏସ୍ଆଇ ରବୀନ୍ଦ୍ର । ଜଙ୍ଗଲ ମଧ୍ୟରେ ମାଟି ଖୋଳି ମୃତଦେହ ବାହାର କରାଯାଇ ଥିଲା । ମୃତଦେହ ବୋହି ଆଣିବାକୁ ଚାରି କାନ୍ଧ ଦେବା ପାଇଁ ଜଣେ ଲୋକର ଆବଶ୍ୟକତା ପଡିଥିଲା । କିନ୍ତୁ ଅନ୍ୟ କେହି କାନ୍ଧ ନ ଦେବାରୁ ସବ୍ଇନ୍ସପେକ୍ଟର ନିଜେ ଶବକୁ କାନ୍ଧ ଦେଇଥିଲେ । ଜଙ୍ଗଲିଆ ଓ ପାହାଡିଆ ଅଙ୍କାବଙ୍କା ରାସ୍ତାରେ ଶବକୁ କାନେ୍ଧଇ ତଳକୁ ଆଣିବା ସହ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ମହାପ୍ରୟାଣ ଗାଡି ପାଖକୁ ଆଣିଥିଲେ । ଗୋଟିଏ ପଟେ ତଦନ୍ତ ଦାୟିତ୍ୱ, ଆରପଟେ ଶବକୁ କାନେ୍ଧଇ ଆଣିବା କାର୍ଯ୍ୟକୁ ତୁଲାଇ ରବୀନ୍ଦ୍ର ମୁଣ୍ଡାରୀ ମାନବିକତାର ପରିଚୟ ଦେଇଥିଲେ । ବାଲିଗୁଡା ଏସ୍ଡିପିଓ ମନୋଜ ପୂଜାହାରି ଓ ଥାନାଧିକାରୀ ବାବା ଶଙ୍କର ସରାଫ ରବୀନ୍ଦ୍ର ମୁଣ୍ଡାରୀଙ୍କୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons