ଶହେ ଛେଳିଙ୍କୁ ଚାପିଦେଲା ଟ୍ରକ

Get real time updates directly on you device, subscribe now.

ଓଡ଼ଗାଁ,(ପବିତ୍ର ଦାସଙ୍କଠାରୁ): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅଧୀନ ରଙ୍ଗଣୀପାଟଣା ପଞ୍ଚାୟତର ବାହାଡାପିଠା ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ସାଢେ଼ ୧୨ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରକ(ଓଡି ୨୫ ଜି ୭୨୯୨) ରାସ୍ତାରେ ଯାଉଥିବା ଛେଳି ପଲ ଉପରେ ମାଡ଼ି ଯିବାରୁ ଶତାଧିକ ଛେଳିଙ୍କ ମୃତୁ୍ୟ ହୋଇଛି । ୨୦ରୁ ଅଧିକ ଖଣ୍ଡିଆଖାବରା ହୋଇଛନ୍ତି । ରାସ୍ତା ଉପରେ ରକ୍ତର ସୁଅ ଛୁଟିଥିଲା ବେଳେ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଯାଇଥିଲେ । ପୁଲିସ ଆସିବା ପୂର୍ବରୁ କେତେକ ଲୋକ ମଲା ଛେଳିଗୁଡ଼ିକୁ ବୋହି ନେଇଯାଇଥିଲେ ।
ଘଟଣା ଅନୁଯାୟୀ, ଓଡ଼ଗାଁ ଥାନା ଗୌଡ଼ପୁଟ ଗ୍ରାମ ଗୋଲାସାହିର ସୁବାସ ପାତ୍ର, ତାଙ୍କ ପୁଅ ରାଜେନ୍ଦ୍ର ପାତ୍ର ଓ ଛେଳି ଚରାଳି ଗଜେନ୍ଦ୍ର ବାରିକ ମିଶି ୨ଶହରୁ ଅଧିକ ଛେଳିଙ୍କୁ ଧରି ଗ୍ରାମକୁ ଯାଉଥିଲେ । ଦୁଇମାସ ତଳେ ଛେଳି ନେଇ ଶୁଳିଆ ଜଙ୍ଗଲରେ ରଖିବା ପରେ ଗତକାଲି ସେଠାରୁ ଛେଳି ଧରି ଗାଁକୁ ଫେରୁଥିଲେ । ଏହି ସମୟରେ ଓଡ଼ଗାଁରୁ ବାହାଡ଼ାଝୋଲାକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ସାମନା ପଟୁ ଛେଳି ପଲ ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ପାଖାପାଖି ୧୦୦ରୁ ଅଧିକ ଛେଳିଙ୍କ ଜୀବନ ଚାଲି ଯାଇଥିଲା । ୨୦ରୁ ଅଧିକ ଛେଳି ଖଣ୍ଡିଆଖାବରା ହୋଇଥିଲେ । ଏତେ ସଂଖ୍ୟକ ଛେଳି ହରାଇବା ପରେ ସୁବାସ ଏବଂ ତାଙ୍କ ପୁଅ ଭୋ ଭୋ ହୋଇ କାନ୍ଦିଥିଲେ ।
ଦୁର୍ଘଟଣା ପରେ ଟ୍ରକ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିଲା । ସୁବାସଙ୍କ ପୁଅ ରାଜେନ୍ଦ୍ର ତାଙ୍କ ବାଇକ୍ ଯୋଗେ ଓଡ଼ଗାଁ ଥାନାକୁ ଯାଇ ଅଭିଯୋଗ କରିବା ପରେ ଏସଆଇ ସଞ୍ଜୟ କୁମାର ପରିଡ଼ା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିଲେ । ସେତେବେଳକୁ କିଛି ବ୍ୟକ୍ତି ସେହି ମଲା ଛେଳିକୁ ବୋହି ନେଇ ଯାଇଥିଲେ । ମୃତ ଛେଳିଗୁଡ଼ିକୁ ଏକ ଭ୍ୟାନ୍ରେ ଥାନାକୁ ଅଣା ଯାଇଥିଲା । ଖଣ୍ଡେ ଦୂର ପର୍ଯ୍ୟନ୍ତ ରାସ୍ତାରେ ରକ୍ତର ସୁଅ ଛୁଟିଥିଲା । କିଛି ସମୟ ପାଇଁ ଯାନବାହାନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଓଡ଼ଗାଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରକ୍ତରଞ୍ଜିତ ରାସ୍ତାକୁ ପାଣି ମାରି ସଫା କରିଥିଲେ । ଏହି ଘଟଣା ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ପୁଲିସ ବୁଝାସୁଝା କରିବା ପରେ ବାକି ଛେଳିଙ୍କୁ ଧରି ସୁବାସ ଗାଁକୁ ଫେରିଥିଲେ ।
ଟ୍ରକଟି ଶରଣକୁଳ ଅଞ୍ଚଳର ବୋଲି ଜଣାପଡିଛି । ସୁବାସ ଛେଳି ପାଳନ କରି ତାଙ୍କ ୮ଜଣିଆ ପରିବାରକୁ ପ୍ରତିପୋଷଣ କରୁଥିଲେ । ବର୍ତ୍ତମାନ ଅଧାରୁ ଅଧିକ ଛେଳି ମରିଯିବା ପରେ ସେ ବେସାହାରା ହୋଇପଡିଛନ୍ତି । କ୍ଷତିପୂରଣ ଦେବାକୁ ସୁବାସ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons