ଶିଶୁକନ୍ୟାର କଟାମୁଣ୍ଡ ଧରି ବୁଲିଲା ଦୁର୍ବୃତ୍ତ

Get real time updates directly on you device, subscribe now.

ଜମନକିରା,(ବି.ବି.ନୁ୍ୟଜ): ନାବାଳିକାଙ୍କୁ ପ୍ରଥମେ ହତ୍ୟା । ପରେ ଗାଁ ଦାଣ୍ଡରେ କଟାମୁଣ୍ଡ ଧରି ବୁଲିଲା ଦୁର୍ବୃତ୍ତ । ଗୋଟିଏ ହାତରେ ଫାର୍ସା ଅନ୍ୟହାତରେ କଟାମୁଣ୍ଡ ନେଇ ନଳକୂପକୁ ଧୋଇବାକୁ ଗଲା । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କସଡା ଗ୍ରାମରେ । ମୃତକ ନାବାଳିକାଜଣଙ୍କ ହେଉଛନ୍ତି ଗ୍ରାମର ନବକିଶୋର ଧୁରୁଆଙ୍କ ଝିଅ ପ୍ରଜାଳିନ(୮) । ଏନେଇ ଜମନକିରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଶାନ୍ତ ବଗାର(୩୦)କୁ ଗିରଫ କରିଥିବା ବେଳେ ମୃତଦେହ ଓ କଟାମୁଣ୍ଡକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣାସ୍ଥଳରେ କୁଚିଣ୍ଡା ଏସ୍ଡିପିଓ ରାଜକିଶୋର ମିଶ୍ର, ଜମନକିରା ଥାନାଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ହତ୍ୟାରେ ବ୍ୟବହୃତ ରକ୍ତଲଗା ଫାର୍ସା, ଅଭିଯୁକ୍ତର ମୋବାଇଲ୍ ଫୋନ୍, ଘଟଣାସ୍ଥଳରେ ପଡ଼ିଥିବା ରକ୍ତନମୁନାକୁ ମଧ୍ୟ ଜବତ କରାଯାଇଛି । ସେପଟେ, ଖବର ଲେଖାହେବା ଯାଏ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ଏସ୍ଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ସୂଚନାଯାଗ୍ୟ ଯେ, ଆଜି ସକାଳେ ନବକିଶୋରଙ୍କ ପରିବାର ମହୁଲ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ପ୍ରଜାଳିନ ଅନ୍ୟ ଏକ ଶିଶୁ କନ୍ୟା ସହ ଘର ନିକଟ ଚାଷଜମିକୁ ପାଣି ଢାଳ ଧରି ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ପ୍ରଶାନ୍ତ ଏକ ଫାର୍ସା ଦ୍ୱାରା ପ୍ରଜାଲିନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ପ୍ରଜାଲିନର ଗଣ୍ଡିମୁଣ୍ଡ ଅଲଗା ହୋଇଯାଇଥିଲା । ହେଲେ ସେତିକିରେ କଥା ସରିନଥିଲା । ଅଭିଯୁକ୍ତ ପ୍ରଶାନ୍ତ ପ୍ରଜାଲିନର କଟାମୁଣ୍ଡକୁ ଏକ ଗାମୁଛାରେ ଗୁଡ଼ାଇ ଗାଁକୁ ଆସିଥିଲା । ଗାଁ ଦାଣ୍ଡରେ ରକ୍ତର ଛିଟା ପଡ଼ି ଚାଲିଥିଲା । ଅଭିଯୁକ୍ତ ପ୍ରଶାନ୍ତ ଉକ୍ତ କଟାମୁଣ୍ଡକୁ ନେଇ ଗାଁ ଦାଣ୍ଡରେ ଥିବା ଏକ ନଳକୂପକୁ ଧୋଇବା ପାଇଁ ପହଞ୍ଚିଯାଇଥିଲା । ହତ୍ୟାରେ ବ୍ୟବହୃତ ଫାର୍ସାକୁ ନଳକୂପ ନିକଟସ୍ଥ ଘାସବୁଦାକୁ ଫିଙ୍ଗି ଦେଇ ପ୍ରଶାନ୍ତ କଟାମୁଣ୍ଡକୁ ଧୋଇବାକୁ ଲାଗିଥିଲା । ଗ୍ରାମବାସୀ ଏହି ଘଟଣା ଦେଖୁଥିଲେ ବି ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ସାହାସ କରିନଥିଲେ । ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । କୌଶଳକ୍ରମେ ପ୍ରଥମେ ଅଭିଯୁକ୍ତ ପ୍ରଶାନ୍ତକୁ ପୁଲିସ୍ କାବୁ କରିଥିବା ବେଳେ ଶବର ମୁଣ୍ଡ, ଗଣ୍ଡି ଜବତ କରିଥିଲା । ସେପଟେ, ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ପ୍ରଶାନ୍ତର ଘର ପୋଡ଼ିଦେବାକୁ ଲୋକେ ଧମକ ଦେଇଥିଲେ । ତେଣୁ ପ୍ରଶାନ୍ତର ପରିବାରଲୋକଙ୍କୁ ପୁଲିସ୍ ଥାନାକୁ ନେଇଯିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଅଭିଯୁକ୍ତ ପ୍ରଶାନ୍ତ ସହ ପୂର୍ବରୁ କୌଣସି ଶତ୍ରୁତା ନଥିବା ବେଳେ କୌଣସି ମନ୍ଦ ଉଦେ୍ଧଶ୍ୟ ରଖି ସେ ଏଭଳି ଅଭାବନୀୟ କାଣ୍ଡ ଭିଆଇଥିବା ପ୍ରଜାଳିନଙ୍କ ବାପା ଶ୍ରୀ ଧରୁଆ କହିଥିବା ବେଳେ ଝିଅର ହତ୍ୟାକାରୀକୁ ଫାସୀ ଦେବାକୁ ତାଙ୍କ ମା’ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଆଗରୁ ପ୍ରଶାନ୍ତ ନିଜ ସ୍ତ୍ରୀ ଓ ଗ୍ରାମର ଅନ୍ୟ ଜଣେ ବୃଦ୍ଧାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ନଜିର ରହିଛି । ପ୍ରାୟ ସମୟରେ ସେ ଗ୍ରାମବାସୀଙ୍କୁ ଭୟଭୀତ କରାଉଥିବା ଗ୍ରାମବାସୀ କହିଛନ୍ତି । ଖବର ଲେଖାହେବା ଯାଏ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ ପାରିପାଶ୍ୱିର୍କ ସ୍ଥିତି କିଛି ଭିନ୍ନ ବଖାଣୁଥିବା ଗାଁ ବାସୀ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons