ସଂସଦ ଭବନରେ ନବୀନ :ରାଷ୍ଟ୍ରପତି ନିର୍ବାଚନ କାର୍ଡ ଖୋଲିଲେନି

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଉପରେ ଏବେଠୁ କିଛି କହିବା ଅତି ଚଞ୍ଚଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ସଂସଦ ଭବନଠାରେ ଗଣମାଧ୍ୟମ ପ୍ରଶ୍ନରେ ସେ ଏହି ଉତ୍ତର ଦେଇଛନ୍ତି । ସାଂସଦ ଭବନରେ ବିଜେଡି ସାଂସଦମାନଙ୍କ ସହ ବୈଠକରେ ଯୋଗଦେଇ ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ କେନ୍ଦ୍ରୀୟ କକ୍ଷରେ ବିଭିନ୍ନ ଦଳର ସାଂସଦମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ନବୀନ କହିଛନ୍ତି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିବାର କୌଣସି ଯୋଜନା ନାହିଁ । ବିରୋଧୀ ଦଳର କୌଣସି ନେତାଙ୍କ ସହ ସାକ୍ଷାତ କରିବାର କୌଣସି କାର୍ଯ୍ୟକ୍ରମ ନଥିବା ନବୀନ କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ନେଇ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏବେ ଏନେଇ କହିବା ଅତି ଚଞ୍ଚଳ ହେବ । ସାମ୍ବାଦିକମାନେ ରାଷ୍ଟ୍ରପତି ନିର୍ବାଚନ, ବିରୋଧୀ ଦଳର ଏକତା ଏବଂ ବାରମ୍ବାର ନିର୍ବାଚନ ଜିତିବା ପଛରେ କ’ଣ ଗୁପ୍ତ ରହସ୍ୟ ରହିଛି ସେନେଇ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ । ବିରୋଧୀ ଦଳର ଏକତା ନେଇ ଆରମ୍ଭ ହୋଇଥିବା ପ୍ରୟାସ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏ ବିଷୟରେ ସେ କିଛି ଚିନ୍ତା କରିନାହାନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ବିଭିନ୍ନ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖାଯାଇଥିବା ଚିଠି ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ ପଟ୍ଟନାୟକ କହିଥିଲେ ଯେ ସେ ଏହି ପତ୍ର ଦେଖିନାହାନ୍ତି । ଗତ ୨୦ରୁ ୨୫ ବର୍ଷ ଧରି ଗୋଟିକରୁ ଗୋଟିଏ ନିର୍ବାଚନ ଜିତିବା ପଛରେ କ’ଣ ଗୁପ୍ତ ରହସ୍ୟ ରହିଛି ବୋଲି ଜଣେ ସାମ୍ବାଦିକ ଜାଣିବାକୁ ଚାହିଁବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କ ସରକାରଙ୍କ ସୁଶାସନ ଓ ଲୋକ କଲ୍ୟାଣକାରୀ ନୀତି ଏହା ପଛରେ ରହିଛି ।
୩ ବର୍ଷ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଖୁସି ଥିବା ଦେଖିବାକୁ ମିଳିଥିଲା । ସେ ମଧ୍ୟ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଓ କାହାକୁ ନିରାଶ କରିନଥିଲେ । ବୋଧହୁଏ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ନିର୍ବାଚନ ନେଇ ତାଙ୍କ କାର୍ଡ ଏବେ ଖୋଲିବାକୁ ଚାହାନ୍ତି ନାହିଁ ।
ସଂସଦ ଭବନର ଗେଟ୍ ନମ୍ବର ୪ଠାରେ ଲୋକସଭାରେ ଦଳର ନେତା ପିନାକୀ ମିଶ୍ର, ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଚୁ୍ୟତ ସାମନ୍ତଙ୍କ ସମେତ ଦଳର ସମସ୍ତ ସାଂସଦମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ସମସ୍ତେ ସଂସଦ ଭବନସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ସେଠାରେ ବିଜେଡି ସଂସଦୀୟ ଦଳର ବୈଠକରେ ଯୋଗ ଦେଇଥିଲେ । ବିଜେଡି କାର୍ଯ୍ୟାଳୟଠାରେ ଡିଏମ୍କେ ନେତା ଟି ଆର ବାଲୁ ଓ ଟି କେ ଏସ୍ ଇଲାନ୍ଗୋଭନ୍, ଏଆଇଏଡିଏମ୍କେର ନେତା ଏମ୍ ଥମ୍ବିଦୁରାଇ ଆସି ସାକ୍ଷାତ କରିଥିଲେ । ସଂସଦୀୟ ଦଳର କାର୍ଯ୍ୟାଳୟଠାରେ କିଛି ସମୟ ରହିବା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ କକ୍ଷକୁ ଯାଇଥିଲେ । ସେଠାରେ ସେ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଏକା ବେଞ୍ଚରେ ବସିଥିଲେ । ବିଜେଡିର ସମସ୍ତ ସାଂସଦମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ଭିନ୍ନ ଭିନ୍ନ ରାଜନୈତିକ ଦଳର ସାଂସଦମାନେ ନବୀନଙ୍କ ନିକଟକୁ ଆସି ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ଫଟୋ ଉଠାଇଥିଲେ । ତୃଣମୂଳ କଂଗ୍ରେସ ନେତା ସୁଦୀପ ବନେ୍ଦାପାଧ୍ୟାୟ ମଧ୍ୟ ତାଙ୍କ ସହ ଫଟୋ ଉଠାଇବା ସହ ଅଲଗା ଆଲୋଚନା କରିଥିଲେ । ଏହି ଆଲୋଚନାକୁ ତୃଣମୂଳ କଂଗ୍ରେସ ପକ୍ଷରୁ ସୌଜନ୍ୟମୂଳକ ଆଲୋଚନା ବୋଲି କୁହାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ କେନ୍ଦ୍ରୀୟ କକ୍ଷରେ ତାଙ୍କୁ ସାକ୍ଷାତ କରିଥିଲେ । ୱାଇଆରଏସ୍ କଂଗ୍ରେସ, ଟିଆରଏସ୍, କଂଗ୍ରେସ ଏବଂ ଓଡ଼ିଶା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସୁରେଶ ପୂଜାରୀଙ୍କ ସମେତ ପାଖାପାଖି ବିଭିନ୍ନ ଦଳର ୭୫ ସାଂସଦ ତାଙ୍କ ସହ ଫଟୋ ଉଠାଇଥିଲେ । ୨୦ ମିନିଟ ଧରି ସେ କେନ୍ଦ୍ରୀୟ କକ୍ଷରେ ରହିଥିଲେ । ଅପରାହ୍ନ ୧ଟା ୪୫ ମିନିଟ୍ରେ ମୁଖ୍ୟମନ୍ତ୍ରୀ ସଂସଦ ଭବନରୁ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons