ସହଯୋଗୀର ଗୁଳିରେ ଚାଷୀ ଗୁରୁତର

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ): ଧାନ କ୍ଷେତରେ ଫୁଟିଲା ଗୁଳି । ବାର୍ହାଙ୍କୁ ଘଉଡାଇବା ପାଇଁ ଯାଇଥିବା ବେଳେ ସହଯୋଗୀର ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିବରାମ ନାୟକ (୫୫) ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଭଞ୍ଜନଗର ଥାନା ଅନ୍ତର୍ଗତ କୁଟୁଣିକୁମ୍ପା ଗାଁ ନିକଟରେ ମଙ୍ଗଳବାର ଭୋର୍ ପ୍ରାୟ ୩ଟା ବେଳେ ଏହି ଏହି ଘଟଣା ଘଟିଛି । ଗୁରୁତର ଶିବରାମଙ୍କୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପେଟ ପାଖ ଓ ଛାତି ତଳକୁ ୨ଟି ଗୁଳି ବାଜିଛି । ଘଟଣା ବେଳେ ସାଥିରେ ଥିବା ସହଯୋଗୀ ଫେରାର ହୋଇଯାଇଥିବା ବେଳେ ସମ୍ପର୍କୀୟଙ୍କୁ ପଚରାଉଚୁରା କରି ପ୍ରକୃତ ତଥ୍ୟ ବାହାର କରିବାକୁ ଚେଷ୍ଟା କରୁଛି ପୁଲିସ ।
ସୂଚନା ମୁତାବକ ବାର୍ହା ଆସି କ୍ଷେତ ନଷ୍ଟ କରୁଥିବାରୁ ଧାନ ଫସଲ ରକ୍ଷା ପାଇଁ କୁଟୁଣୁକୁମ୍ପା ଗ୍ରାମର କୃଷକ ଶିବରାମ ନାୟକ ଓ ଜଣେ ସହଯୋଗୀ ବନ୍ଧୁକ ସହ ମଙ୍ଗଳବାର ଭୋର ୩ଟାରେ ଜମି ନିକଟକୁ ଯାଇଥିଲେ । ଏମାନେ ଜମିରେ ଛକି ରହି ବାର୍ହାମାନଙ୍କ ଗତିବିଧି ଲକ୍ଷ୍ୟ କଲା ବେଳେ ସହଯୋଗୀଙ୍କ ବନ୍ଧୁକରୁ ହଠାତ୍ ଗୁଳି ଫୁଟି ଶିବରାମଙ୍କ ପେଟ ପାଖ ଓ ଛାତି ତଳେ ବାଜିଥିଲା । ଶିବରାମ ଚିକ୍ରାର କରି ଘଟଣାସ୍ଥଳରେ ପଡି ଛଟପଟ ହେଉଥିବା ବେଳେ ତାଙ୍କ ସହଯୋଗୀ ଭୟରେ ଫେରାର ହୋଇଯାଇଥିବା ଜଣାପଡିଛି । ଗୁଳି ଶବ୍ଦ ଶୁଣି ଗାଁର କିଛି ବ୍ୟକ୍ତି ଘଟଣାସ୍ଥଳରୁ ଶିବରାମଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଞ୍ଚି ଗୁଳି ଫୁଟାଇଥିବା ସହଯୋଗୀଙ୍କ ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚୁରା କରିଛି । ଶିବରାମଙ୍କ ପେଟରେ ୨ଟି ଗୁଳି ବାଜିଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons