ସେବାୟତଙ୍କୁ ଚୁନ ଲଗାଇଲେ ବଙ୍ଗୀୟ ମହିଳା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀର ଜଣେ ସେବାୟତଙ୍କୁ ବୀମା କରାଇ ଦେବାକୁ କହି ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଜଣେ ବଙ୍ଗୀୟ ମହିଳା । ସଂପୃକ୍ତ ସେବାୟତ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ବଙ୍ଗୀୟ ମହିଳା କ୍ରିଷ୍ଣା ବୋଷଙ୍କୁ (୩୯) ସ୍ପେଶାଲ୍ ସ୍କ୍ୱାଡ୍ ସହଯୋଗରେ ଗିରଫ କରିଛି ସହିଦନଗର ଥାନା ପୁଲିସ୍ । ତାଙ୍କଠୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି । କ୍ରିଷ୍ଣା ଦୀର୍ଘ ବର୍ଷ ହେବ ପୁରୀର ବଳିଆପଣ୍ଡା ଅଞ୍ଚଳରେ ରହୁଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି ।
ସହିଦନଗର ଥାନା ପୁଲିସ କହିଛି, ଅକ୍ଟୋବର ୧୫ ତାରିଖରେ ପୁରୀ ଜିଲ୍ଳା ଦୋଳମଣ୍ଡପ ସାହି ଦଇତା ଲେନ୍ରେ ରହୁଥିବା ଜୟକୃଷ୍ଣ ଦାସ ମହାପାତ୍ର ଗତ ୧୫ ତାରିଖ ମଧ୍ୟାହ୍ନରେ ଥାନାରେ ପହଞ୍ଚି ଚୋରି ସମ୍ପର୍କିତ ଏତଲା ଦେଇଥିଲେ । ସେ ଏତଲାରେ ଦର୍ଶାଇଥିଲେ, ତାଙ୍କର ବାଙ୍ଗୁଆଳସ୍ଥିତ ରିଭର୍ ଆପାର୍ଟମେଣ୍ଟ ସି-ବ୍ଲକ୍ରେ ଏକ ଫ୍ଲାଟ୍ ରହିଛି । ଅକ୍ଟେବର ୯ ତାରିଖ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ପାଖକୁ କୋଲକାତାର ଜଣେ ମହିଳା ଆସିଥିଲେ । ସେ ନିଜକୁ କିଟ୍ କଲେଜର କର୍ମଚାରୀ ବୋଲି ପରିଚୟ ଦେଇ ଜୟକୃଷ୍ଣଙ୍କ ସହ କଥା ହୋଇଥିଲେ । ଏଥି ସହିତ ପାର୍ଟଟାଇମ୍ରେ ସେ ବୀମା ଏଜେଣ୍ଟ ଭାବେ କାମ କରନ୍ତି ବୋଲି ପରିଚୟ ଦେଇଥିଲେ । ଜୟକୃଷ୍ଣଙ୍କ ବୀମା କରିଦେବେ ବୋଲି କହିଥିଲେ । ତେବେ ବୀମାର ବିଭିନ୍ନ ସ୍କିମ୍ କଥା ଆଲୋଚନା ବେଳେ ବିଳମ୍ବିତ ରାତି ହୋଇ ଯାଇଥିଲା । ତେଣୁ ଜୟକୃଷ୍ଣ ତାଙ୍କ ଫ୍ଲାଟ୍ର ଏକ ରୁମ୍ ତାଙ୍କୁ ରହିବାକୁ ଦେଇଥିଲେ । ରାତିରେ ସଂପୃକ୍ତ ବଙ୍ଗୀୟ ମହିଳା ଜୟକୃଷ୍ଣଙ୍କ ଖାଦ୍ୟରେ ନିଶା ଦେଇ ତାଙ୍କ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୨ଟି ଦାମୀ ଫୋନ୍, ୨୦ ହଜାର ଟଙ୍କା, ଏଟିଏମ୍କାର୍ଡ ଓ ଅନ୍ୟ ସବୁ ଜିନିଷପତ୍ର ନେଇ ପଳାଇଛନ୍ତି । ଏତଲା ପାଇବା ପରେ ପୁଲିସ୍ ଜୟକୃଷ୍ଣଙ୍କୁ ପଚାରିଥିଲା, ୯ ତାରିଖରେ ଚୋରି ହୋଇଥିଲା । ୧୫ ତାରିଖରେ ଏତଲା କ’ଣ ପାଇଁ ଦେଉଛ? ଖାଦ୍ୟରେ ନିଶା ଦିଆ ଯାଇଥିଲା ବୋଲି କେମିତି ଜାଣିଲ? ଅଜଣା ମହିଳାଙ୍କୁ କ’ଣ ପାଇଁ ଫ୍ଲାଟ୍ରେ ରାତିରେ ରହିବାକୁ ଦେଇଥିଲ? ସେ ମହିଳାଙ୍କୁ ଆଗରୁ ଜାଣି ଥିଲ କି ? ପୁଲିସ୍ର ମାଳ ମାଳ ପ୍ରଶ୍ନରେ ବିବ୍ରତ ହୋଇ ଯାଇଥିଲେ ଜୟକୃଷ୍ଣ । ଶେଷରେ ପୁଲିସକୁ ସେ ସତ କଥା ଜଣାଇଥିଲେ ।
ଏହାପରେ ପୁଲିସ୍ ମାମଲା ରୁଜୁ କରି କ୍ରିଷ୍ଣାଙ୍କୁ ଧରିବାକୁ ବିଭିନ୍ନ ଆଡେ଼ ଚଢ଼ଉ କରିଥିଲା । ହେଲେ ତାଙ୍କର ପତ୍ତା ମିଳି ନଥିଲା । ଗତକାଲି ରାତିରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ସହିଦ୍ନଗର ଥାନା ପୁଲିସ୍ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଚଢ଼ଉ କରି କ୍ରିଷ୍ଣାଙ୍କୁ ଗିରଫ କରିଥିଲେ । ତାଙ୍କ ଠାରୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି । ବାକି ସୁନା ସେ ବିକ୍ରି କରି ଦେଇଥିବା ଜଣାପଡିଛି । ହେଲେ ୨ଟି ଦାମୀ ଫୋନ୍ ଜବତ ହୋଇନାହିଁ । ଉକ୍ତ ଫୋନ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଜୟକୃଷ୍ଣ ପୁଲିସ୍କୁ କହିଛନ୍ତି । ଅଭିଯୁକ୍ତ କ୍ରିଷ୍ଣା ବିରୋଧରେ ପୁଲିସ୍ ଦଫା ୩୭୯ (ଚୋରି ନିମନ୍ତେ ଦଣ୍ଡ), ୩୨୮ (ଅପରାଧ କରିବା ଉଦେ୍ଧଶ୍ୟରେ ବିଷ ଦ୍ୱାରା ଆଘାତ), ୧୨୦-ବି ( ଅପରାଧିକ ଷଡଯନ୍ତ୍ର) ଲାଗିଛି । ବୁଧବାର ଅପରାହ୍ଣରେ ପୁଲିସ୍ କିଷ୍ଣାଙ୍କୁ କୋର୍ଟ ଚାଲାଣ କରିଛି । ସବୁ ଠାରୁ ବଡ଼ କଥା ହେଲା କି୍ରଷ୍ଣାଙ୍କର ୩ ସ୍ୱାମୀ ଓ ୨ଟି ପିଲା ଥିବା ପୁଲିସ ଜାଣିବାକୁ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons