ସ୍ୱାମୀଙ୍କ ଶବ ସହ ଦୁଇ ରାତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାମୀଙ୍କ ଶବ ସହ ଦୁଇ ଦିନ କାଟିଲେ ପତ୍ନୀ । ଘରୁ ଦୁର୍ଗନ୍ଧ ବାହାରକୁ ନ ଯିବାକୁ ଜାଳୁଥିଲେ ଧୂପକାଠି । ଆଜି ଲୁଚାଇ ସ୍ୱାମୀଙ୍କ ଶବ ଦାହ କରିବାକୁ ନେଲା ବେଳେ ଖବର ପାଇ ପହଞ୍ଚିଲା ପୁଲିସ୍ । ଶବ ଜବତ କରିବା ସହ ହତ୍ୟା ଅଭିଯୋଗରେ ପତ୍ନୀଙ୍କୁ ଅଟକ ରଖାଯାଇଛି ।
ଚନ୍ଦ୍ରଶେଖରପୁର ଥାନା ଡମଣା ମଣ୍ଡପବସ୍ତିରେ ଘଟିଛି ଏହି ଘଟଣା । ରବିବାର ଦିନ ଶ୍ୟାମ ମୁଣ୍ଡୁରି (୫୫)ଙ୍କ ସନେ୍ଦହଜନକ ଭାବେ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ପାରିବାରିକ କଳହକୁ କେନ୍ଦ୍ର କରି ଶ୍ୟାମଙ୍କୁ ପିଟି ପିଟି ହତ୍ୟା କରିଛି ସ୍ତ୍ରୀ ଝିଙ୍ଗି ମୁଣ୍ଡୁରି (୬୦) । ହତ୍ୟା କଲା ପରେ ସ୍ୱାମୀଙ୍କ ଶବ ସହ ୨ ରାତି ବିତାଇଥିଲେ ସ୍ତ୍ରୀ ଝିଙ୍ଗି । ସ୍ଥାନୀୟ ଥାନା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଝିଙ୍ଗିଙ୍କୁ ଅଟକ ରଖିଛି । ଗଳିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପତ୍ନୀ ଝିଙ୍ଗି କିନ୍ତୁ ହତ୍ୟାକାଣ୍ଡକୁ ଅସ୍ୱୀକାର କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।
ସୂଚନା ମୁତାବକ, ଶ୍ୟାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପଣସପାଳ ଗାଁରେ । ସେ ଦୀର୍ଘ ଦିନ ହେବ ଏଠାରେ ରହୁଥିଲେ । ଶ୍ୟାମ ଏବଂ ଝିଙ୍ଗି ଦୁହେଁ ବିଏମସିରେ ଠିକା କର୍ମଚାରୀ ଭାବେ କାମ କରନ୍ତି । ଉଭୟଙ୍କ ମଧ୍ୟରେ ନିଶା ଏବଂ ଟଙ୍କା ପଇସାକୁ ନେଇ ପ୍ରାୟ ସମୟ ଝଗଡ଼ା ହୁଏ । ସ୍ତ୍ରୀ ନିଶା ସେବନ କରି ସ୍ୱାମୀକୁ ମାରପିଟ୍ କରନ୍ତି ବୋଲି ସ୍ଥାନୀୟ ଲୋକ ପୂର୍ବରୁ ଦେଖିଛନ୍ତି । ଗତ ରବିବାର ଦିନ ଶ୍ୟାମ ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା ବୋଲି ପୁଲିସ୍ କହୁଛି । ତେବେ ଏହି ସମୟରେ ଶ୍ୟାମଙ୍କ ମୃତୁ୍ୟ ହୋଇଥିଲା । ମୃତୁ୍ୟ ପରେ ତାଙ୍କ ଶବକୁ ଝିଙ୍ଗି ୨ ଦିନ କାଳ ଘରେ ଲୁଚାଇ ରଖିଥିଲେ । ତେବେ ଆଜି ସକାଳେ ସାହି ପଡେ଼ାଶୀ ଏ ବିଷୟରେ ଜାଣିବାକୁ ପାଇଥିଲେ । ତେଣୁ ଝିଙ୍ଗି ତରବରରେ ସ୍ୱାମୀଙ୍କ ମୃତଦେହକୁ ପୋଡ଼ିବା ପାଇଁ ମଶାଣିକୁ ନେଇ ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଖବର ପାଇ ମୃତ ଶ୍ୟାମଙ୍କ ଭାଇ ଗାଁରୁ ଆସି ପହଞ୍ଚି ଭାଉଜ ଝିଙ୍ଗିଙ୍କ ନାଁରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଝିଙ୍ଗି ସ୍ୱାମୀଙ୍କୁ ହତ୍ୟା କରିନଥିବା ପୁଲିସ ଆଗରେ କହିଛି ।
ରବିବାର ଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଶ୍ୟାମଙ୍କୁ କାଠ ଫାଳିଆରେ ପିଟି ପିଟି ମାରି ଦେଇଥିବା ଲୋକମାନେ କହିଛନ୍ତି । ଏ ଘଟଣା କେହି ଜାଣିନଥିବା ଭାବି ଝିଙ୍ଗି ଘର ଭିତରେ ଚୁପ୍ଚାପ୍ ରହି ଯାଇଥିଲେ । କାମ ପଡିଲେ କାଁ ଭାଁ ବାହାରକୁ ଆସୁଥିଲେ । ସ୍ୱାମୀ ଶ୍ୟାମଙ୍କ ବିଷୟରେ କିଏ ପଚାରିଲେ କୁଆଡେ ଯାଇଥିବ କହି ଭୁଲାଇ ଦେଉଥିଲେ । ଏମିତି କି ପୁଅ ଝିଅଙ୍କୁ ବି ଜଣାଇନଥିଲା । ଦୁଇ ରାତି ଶବକୁ ଘର ଭିତରେ ପକାଇ ରଖିଥିଲେ । ଆଜି ସକାଳେ ସାହି ପଡିଶାଙ୍କୁ କହିଥିଲେ ସ୍ୱାମୀ ନିଶା ସେବନ କରି ମରିଯାଇଛି । ପୁଲିସ ନ ଜାଣିବା ପାଇଁ ତରବରିଆ ଭାବେ ଶବ ବୁହା ଗାଡ଼ି ଡକାଇ ପୋଡ଼ି ଦେବାକୁ ଶ୍ମଶାନ ନେଇ ଯାଉଥିଲା । ପୁଲିସ ପହଞ୍ଚି ଶବକୁ ଜବତ କରିଥିଲା ।
ରବିବାର ରାତିରେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବ ଧୀରେ ଧୀରେ ପଚିବାକୁ ଲାଗିଥିଲା । ଶବରୁ ଦୁର୍ଗନ୍ଧ ବାହାରିବା ପରେ ସାହି ପଡେ଼ାଶୀ କାଳେ ଜାଣି ଦେବେ ଭାବି ମୁଣ୍ଡ ଖଟାଇ ଥିଲା ଝିଙ୍ଗି । ଘରେ ଥିବା ଧୂପକୁ ସ୍ୱାମୀଙ୍କ ମୃତଦେହ ପାଖରେ ଲଗାଇ ଦେଇଥିଲା । ଘରେ ଯାହା ଧୂପ ଥିଲା ସୋମବାର ଦିନ ସାରା ଲଗାଇ ଦେଇଥିଲା । ଧୂପ ଧୂଆଁ ବାସ୍ନା ହେଉଥିବାରୁ ସାହି ପଡୋଶୀ କିଛି ଟେର ପାଇ ପାରିନଥିଲେ । ଶବ ଜବତ ପରେ ଘର ଭିତରେ ପୁଳା ପୁଳା ଧୂପ ଲଗା ଯାଇଥିବା ପୁଲିସ ଦେଖିବାକୁ ପାଇଛି ।
ଝିଙ୍ଗି ସ୍ୱାମୀଙ୍କୁ ସବୁବେଳେ ଅତ୍ୟାଚାର କରେ ବୋଲି ପଡେ଼ାଶୀ କହିଛନ୍ତି । ହାତରେ ଯାହା ପଡେ଼ ସେଥିରେ ସ୍ୱାମୀକୁ ନିର୍ଧୁମ ପିଟି ଦେହ ହାତ ଫଟାଇ ଦିଏ । କିଛି ବର୍ଷ ପୂର୍ବେ ପନିକିରେ ସ୍ୱାମୀ ହାତକୁ ଚୋଟ ପକାଇଥିବା ସାହି ପଡେ଼ାଶୀ କହିଛନ୍ତି । ସ୍ତ୍ରୀ ପିଟୁଥିବା ବେଳେ ସାହି ପଡେ଼ାଶୀ ଏବଂ ପୁଅ ଝିଅ ପହଞ୍ଚି ଶ୍ୟାମକୁ ମୁକୁଳାନ୍ତି ।
କିଛି ବର୍ଷ ପୂର୍ବରୁ ଝିଙ୍ଗିଙ୍କର ପ୍ରଥମ ସ୍ୱାମୀଙ୍କ ମୃତୁ୍ୟ ଘଟିଥିଲା । ସ୍ୱାମୀଙ୍କ ମୃତୁ୍ୟ ପୂର୍ବରୁ ଦୁଇଟା ଝିଅ ଓ ଗୋଟେ ପୁଅ ହୋଇଥିଲା । ଏହାପରେ ଝିଙ୍ଗି ଶ୍ୟାମଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଶ୍ୟାମ ଠାରୁ ଝିଙ୍ଗି ପ୍ରାୟ ୫ ବର୍ଷ ବଡ଼ । ଦ୍ୱିତୀୟ ବିବାହରେ ଆଉ କୌଣସି ପିଲାପିଲି ହୋଇନଥିଲା । ୫ ପ୍ରାଣୀ କୁଟୁମ୍ବ ଏଠାରେ ରହୁଥିଲେ । ପୁଅ ଓ ମଝିଆଁ ଝିଅ ବଡ଼ ହୋଇ ଯାଇଥିବା ବେଳେ ଆଉ ଗୋଟେ ସାନ ଝିଅ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons