ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀ ମୃତ

Get real time updates directly on you device, subscribe now.

ପାଟଣାଗଡ଼,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ଘରେ ପୋଷିଥିବା ଏକ ଠେକୁଆର ଆକସ୍ମିକ ମୃତୁ୍ୟକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା କଳହ । ଠେକୁଆର ମୃତୁ୍ୟକୁ ନେଇ ଆରମ୍ଭ ହୋଇଥିଲା ବଚସା । ଏହାକୁ କେନ୍ଦ୍ର କରି ମାତାଲ ସ୍ୱାମୀର ଟାଙ୍ଗିଆ ଆକ୍ରମଣରେ ଘଟଣାସ୍ଥଳରେ ପତ୍ନୀର ମୃତୁ୍ୟ ହେବା ଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ । ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ପୁରନ୍ଦର ନାଏକ ଓରଫ ପଞ୍ଚୁ(୩୦) ଥାନାରେ ଆତ୍ମସମର୍ପଣ କରିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଅନୁସାରେ, ୭ବର୍ଷ ତଳେ ପୁରନ୍ଦର ଠେଲକୋଛାପର ଗାଁର ବଳରାମ ଠାକୁରଙ୍କ ଝିଅ ଲିପିକୁ ବିବାହ କରିଥିଲେ । ବିବାହର ୭ବର୍ଷ ପରେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ନଥିବାରୁ ସେମାନେ ଏକ ଠେକୁଆକୁ ଅତି ସରାଗରେ ପୋଷିଥିଲେ । ସେହି ଠେକୁଆଟି ତାଙ୍କ ପରିବାରର ଜଣେ ସଦସ୍ୟ ଭଳି ରହି ଆସୁଥିଲା । ଗତକାଲି ରାତି ୮ଟାରେ ପୁରନ୍ଦର ମାତାଲ ଅବସ୍ଥାରେ ଘରକୁ ପହଞ୍ଚିଥିଲେ । ଘରକୁ ପହଞ୍ଚିବା କ୍ଷଣି ଠେକୁଆଟି ପୁରନ୍ଦରର ଦେହକୁ ଚଢ଼ିଯାଇ ଥିଲା । ଏଣୁ ସେ ବିରକ୍ତି ପ୍ରକାଶ କରି ଠେକୁଆକୁ ଉଠାଇ ଦୂରକୁ ଫିଙ୍ଗି ଦେଇ ଥିଲେ । ଫଳରେ ଠେକୁଆଟିର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ତେବେ ଠେକୁଆର ମୃତୁ୍ୟ ହେବାଦେଖି ସ୍ତ୍ରୀ ଲିପି ଏବଂ ପୁରନ୍ଦରଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁରନ୍ଦର ଏକ କୋଦାଳ ଧରି ପିଟିବାକୁ ଯାଉଥିବା ବେଳେ ଲିପି ତା ହାତରୁ କୋଦାଳ ଛଡାଇ ନେଇଥିଲା । ଏହାପରେ ପୁରନ୍ଦର ଘର ବାରଣ୍ଡାରେ ଥିବା ଟାଙ୍ଗିଆ ନେଇ ଲିପିକୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଆକ୍ରମଣରେ ଲିପିଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ଖବର ପାଇ ପୁଲିସ ରାତିରେ ପହଞ୍ଚିବା ବେଳକୁ ପୁରନ୍ଦର ଘରୁ ଫେରାର୍ ହୋଇଯାଇଥିଲା । ସକାଳ ସାଢେ ୯ଟାରେ ସେ ଲରମ୍ଭା ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୂର୍ବାହ୍ନ ୧୧ଟାରେ ମାଜିଷ୍ଟେ୍ରଟ ଦାୟିତ୍ୱରେ ଉପଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଲିପିର ଶବକୁ ଲରମ୍ଭା ପୁଲିସ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons