ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Get real time updates directly on you device, subscribe now.

ଜଗତସିଂହପୁର,(ରାକେଶ ଦାସଙ୍କଠାରୁ): କୁଜଙ୍ଗ ଅତିରିକ୍ତ ଜିଲ୍ଳା ଓ ଦୌରଜଜ୍ ପ୍ରଣବ କୁମାର ରାଉତରାୟ ଏକ ହତ୍ୟା ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଥର୍ପ ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟରେ ଅଧିକ ୬ ମାସ ଜେଲ୍ ଦଣ୍ଡ ଲାଗି ରାୟରେ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତ ଥର୍ପର ଘର ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଡ଼ିହ ଗ୍ରାମରେ । ମାତ୍ର ସେ ରାମତରାରେ ରହି ଆସୁଥିଲା ।
ଏହି ହତ୍ୟାକାଣ୍ଡଟି ଘଟିଥିଲା ୧୯୯୯ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ । ରାତି ପ୍ରାୟ ୯ଟା ସୁଦ୍ଧା ଏରସମା ଥାନା ରାମତରା ଗ୍ରାମର ପ୍ରମିଳା ମଣ୍ଡଳ ଓ ତାଙ୍କ ସ୍ୱାମୀ ଭରତ ମଣ୍ଡଳ(୫୫) ପାନ ବରଜ ପାଇଁ ତାର ଆଣିବାକୁ ଯାଇ ଅଧରଗିରି ଛକରୁ ଫେରୁଥିଲେ । ଝାଉଁ ଜଙ୍ଗଲ ପାଖ ତଥା ସାଗର ମାଝୀଙ୍କ ଘର ନିକଟରେ ପୂର୍ବରୁ ଛକି ରହିଥିଲେ ଥର୍ପ ମାଝୀ ଓ ଅନ୍ୟ ଜଣେ ସହଯୋଗୀ । ସେମାନେ ବାଡ଼ିରେ ପ୍ରମିଳା ଓ ଭରତଙ୍କୁ ଆଖିବୁଜା ପିଟିଥିଲେ । କାନ ମୁଣ୍ଡାରେ ଶକ୍ତ ପାହାର ବାଜିବା ପରେ ଭରତ ତଳେ ପଡ଼ି ଛଟପଟ ହୋଇଥିଲେ । ତଥାପି ଉଭୟ ଆକ୍ରମଣକାରୀ ଭରତଙ୍କ ପେଟ ଓ ଛାତିକୁ ଗୋଇଠା ମାରିଥିଲେ । ପ୍ରମିଳା ଏଥିରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ପ୍ରମିଳା ଡାକ ପକାଇବାରୁ ଥର୍ପ ଓ ତା’ର ସହଯୋଗୀ ଘଟଣାସ୍ଥଳରୁ ଦୌଡ଼ି ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ଥିବା ସ୍ୱାମୀ ଭରତଙ୍କୁ ପ୍ରମିଳା ତାଙ୍କ ପରିଚିତ ସୁବଳ ଜେନାଙ୍କ ଘରକୁ ଧରି ଆଣିଲେ । କିନ୍ତୁ ମୁଣ୍ଡରେ ଓ ପାଟିରେ ପାଣି ଦେବା ପରେ ହିଁ ଭରତଙ୍କ ମୃତୁ୍ୟ ଘଟିଥିଲା । ଘଟଣା ବିଷୟରେ ପ୍ରମିଳା ନିଜ ଭାଇ ଏବଂ ଗ୍ରାମର ଅନ୍ୟ ଲୋକମାନଙ୍କୁ ଜଣାଇ ତା’ପରଦିନ ସକାଳୁ ଏରସମା ଥାନାରେ ଏତଲା ଦେଇଥିଲେ । ପୂର୍ବ ରାଗ ରଖି ଥର୍ପ ମାଝୀ ଭରତଙ୍କୁ ହତ୍ୟା କରିଥିଲା । ହତ୍ୟାକାଣ୍ଡର ଏକ ମାସ ପୂର୍ବରୁ ଥର୍ପ ଏକ ପ୍ରେମ ଚିଠି ପ୍ରମିଳାଙ୍କ ସାନ ଝିଅ ପାଖକୁ ପଠାଇଥିଲା । ଚିଠିଟି ହାତରେ ପଡ଼ିବା ପରେ ସଂପୃକ୍ତ ଝିଅ ଏହାକୁ ମା’ ପ୍ରମିଳା ଓ ବାପା ଭରତଙ୍କୁ ଦେଖାଇଥିଲେ । ତା’ପରଦିନ ପ୍ରମିଳା ନିଜ ଝିଅ ସହ ଭାଉଜ ବନଲତା ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ଘର ରାସ୍ତା ଦେଇ ଯାଉଥିବା ଥର୍ପଙ୍କୁ ଅଟକାଇ ଚିଠି ବିଷୟରେ ପଚାରିଥିଲେ ଏବଂ ଘର ଆଡ଼କୁ ନଆସିବାକୁ ତାଗିଦ୍ କରିଥିଲେ । ସତର୍କ କରାଇବା ସତ୍ତେ୍ୱ ପ୍ରମିଳାଙ୍କ ଘର ଆଡେ଼ ଥର୍ପ ଆସିବାରୁ ପ୍ରମିଳା ଓ ତାଙ୍କ ଝିଅ ଏହାକୁ ବିରୋଧ କରିଥିଲେ । ଏନେଇ ଯୁକ୍ତିତର୍କ ହୋଇଥିଲା । ଉଚ୍ଚବାଚ ଭିତରେ ଉଭୟ ମା’ ଓ ଝିଅ ଝାଡ଼ୁରେ ଥର୍ପଙ୍କୁ ସେଦିନ ପିଟିଥିଲେ । ଏଇ ରାଗକୁ ରଖି ଥର୍ପ ଭରତଙ୍କୁ ହତ୍ୟା କରିଥିଲା । ସରକାରଙ୍କ ପକ୍ଷରୁ ଆଇନଜୀବୀ ଜୋନାଲିନ୍ ରାଉତ ଓ ଦେବାଶିଷ କଣ୍ଠ ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons