୧୦୩ ଲିଟର ମଦ ଜବତ, ୪ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ପାର୍ବଣରେ ବ୍ରହ୍ମପୁର ସହରରେ ଏବେ ବଢ଼ିଛି ନକଲି ମଦ କାରବାର । ଆଜି ଅବକାରୀ ଗୁଇନ୍ଦା ବିଭାଗ ୧୦୩ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ମାମଲାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଆକାଶ ବେହେରା, ସମୀର କୁମାର ଆଚାରି, ଶ୍ରୀରାମନଗରର ଏ.ସନ୍ତୋଷ କୁମାର ଓ ପାଣିଗ୍ରାହୀପେଣ୍ଠର ବି.ଗଗନ ପାତ୍ର । ଆଜି ଅବକାରୀ ଗୁଇନ୍ଦା ଦକ୍ଷିଣାଞ୍ଚଳ ଜୋନ୍ର ଏକ ଟିମ୍ ଚଢ଼ଉ କରି ଦୁଇଟି ଜାଗାରୁ ନକଲି ମଦ ଜବତ କରିଛି । ସେମାନଙ୍କ ଠାରୁ ଗୋଟିଏ ବାଇକ୍ ଓ ଅଟୋ ଜବତ ହୋଇଥିବା ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି । ଆଜି ଅବକାରୀ ଗୁଇନ୍ଦାର ତିନିଟି ଟିମ୍ ବିଭିନ୍ନ ଜାଗାରେ ପାଟ୍ରୋଲିଂ କରୁଥିଲା । ବାଇକ୍ ଏବଂ ଅଟୋରେ ନକଲି ମଦ ଚାଲାଣ ହେଉଥିବା ସୂଚନା ପାଇ ଡେଙ୍ଗାପଦର ଛକ ଓ ବାଲିପଡ଼ା ଛକରେ ଗାଡ଼ି ଯାଞ୍ଚ କରିଥିଲେ । ବାଲିପଡ଼ାରେ ବାଇକ୍ରେ ଯାଉଥିବା ଆକାଶ ବେହେରା, ସମୀର କୁମାର ଆଚାରୀଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ସେମାନଙ୍କ ଠାରୁ ୧୭ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିଲା । ଡେଙ୍ଗାପଦର ଛକରେ ଅଟୋରେ ଯାଉଥିବା ଶ୍ରୀରାମନଗରର ଏ.ସନ୍ତୋଷ କୁମାର ଓ ପାଣିଗ୍ରାହୀପେଣ୍ଠର ବି.ଗଗନ ପାତ୍ରଙ୍କୁ ଅଟକାଇ ପଚାରିବା ବେଳେ ସେମାନଙ୍କ ଠାରୁ ୮୬ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ଅବକାରୀ ଗୁଇନ୍ଦା ପୃଥକ ମାମଲା ରୁଜୁ କରିବା ସହ ନକଲି ମଦ ଏବଂ ବାଇକ୍ ଓ ଅଟୋ ଜବତ କରିଛି । ଅବକାରୀ ଗୁଇନ୍ଦା ଦକ୍ଷିଣାଞ୍ଚଳ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସ୍ଆଇ ସୁଦର୍ଶନ ବିଷୋୟୀ, ଏସ୍ଆଇ ଗୀତାଞ୍ଚଳି ସାହୁ ଓ ଅନ୍ୟ କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରିଥିଲେ ।
ବ୍ରହ୍ମପୁର ସହରରେ ଦୁଇ ବର୍ଷ ହେଲା ବିଭିନ୍ନ ଅଞ୍ଚଳରେ ନକଲି ମଦ ପ୍ରସ୍ତୁତ କରୁଛନ୍ତି କିଛି ମଦ ବ୍ୟବସାୟୀ । ନିଖୁଣ ଭାବେ ମଦ ପ୍ରସ୍ତୁତ କରି ବଜାରକୁ ଛଡାଯାଉଛି । ସ୍ପିରିଟ କିମ୍ବା ଇଥାଇଲ୍ ସହ ବିଭିନ୍ନ କେମିକାଲ ମିଶାଇ ନକଲି ମଦ ପ୍ରସ୍ତୁତ କରିବା ପରେ ବହୁ ନାମୀଦାମୀ କମ୍ପାନି ନାମରେ ବଜାରକୁ ଛଡାଯାଉଛି । ସେପଟେ ୨୦୧୨ରେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ଅଞ୍ଚଳରେ ହୋଇଥିବା ମଦମୃତୁ୍ୟ ମାମଲା ଏବେବି ଲୋକଙ୍କ ମନରୁ ଲିଭିନାହିଁ । ଅବକାରୀ ବିଭାଗ ନକଲି ମଦ ପ୍ରସ୍ତୁତକାରୀଙ୍କ ଉପରେ ଦୃଷ୍ଟାନ୍ତ ପଦକ୍ଷେପ ନେଉନଥିବାରୁ ଏହି କାରବାର ଦିନକୁ ଦିନ ବୃଦ୍ଧି ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons