୧୦ ଲକ୍ଷର ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ଲମତାପୁଟ ବ୍ଲକ ସୀମାନ୍ତ ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଧରାପଡିଛି ଗଞ୍ଜେଇ । କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ପୁଲିସ୍ । ସେମାନେ ହେଲେ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲା ଭଦୌରା କଟରୱାରର ରାଜୀବ କୁଶୱାହା(୨୧), ମଦବାସ୍ର ମହମ୍ମଦ ଅନୀଶ(୨୪) ଏବଂ ଲମତାପୁଟ ବ୍ଲକ ଗୋଡ଼ିପୁଟର ସୁଶାନ୍ତ ମାଟାମ(୨୭) । ସୁଶାନ୍ତ ଗଞ୍ଜେଇ ବିକ୍ରେତା ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ କ୍ରେତା । ସେମାନଙ୍କ ପାଖରୁ ୧୦୨ କେଜି ଗଞ୍ଜେଇ ସହ ଗୋଟିଏ କାର୍ ଏବଂ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ଏକ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଖବର ମିଳିଥିଲା । କାର୍ଟି ଏନଏଚ୍-୩୨୬ ପାତ୍ରପୁଟ ପାର ହୋଇ ସହର ଅଭିମୁଖେ ଆସୁଥିବା ଜଣାପଡିଥିଲା । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ, ମନୋରଞ୍ଜନ ସାହୁ ଏବଂ ବିଭାଗୀୟ କର୍ମଚାରୀ ଛପି ରହିଥିଲେ । ଏହି ସମୟରେ କାର୍(ଏମପି ୬୬ ସି-୩୯୯୭) ଦ୍ରୁତ ଗତିରେ ଆସିଥିଲା । ଗାଡ଼ି ଅଟକାଇ ଯାଞ୍ଚ କରାଯାଇଥିଲା । ଅଭିଯୁକ୍ତମାନେ ଭିତରେ ବସିଥିବା ବେଳେ ସ୍ୱତନ୍ତ୍ର ଚାମ୍ବରରେ ଗଞ୍ଜେଇ ରହିଥିଲା । ପଚରାଉଚରା ବେଳେ ଲମତାପୁଟ ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ଲାଗି ଗଞ୍ଜେଇ ନେଉଥିବା ସେମାନେ ସ୍ୱୀକାର କରିଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତରେ ଏହାକୁ ଓଜନ କରାଯାଇଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୯ ମାସ ୧୦ ଦିନରେ ସଦର ପୁଲିସ ୩୩ଟି ଗଞ୍ଜେଇ ମାମଲାରେ ୮୦ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ୧୫ ହଜାର ୦୯୬ କେଜି ଗଞ୍ଜେଇ ଜବତ କରାଯାଇଛି । ବିଭିନ୍ନ କିସମର ଯାନବାହାନ ସହ ନଗଦ ୧୧ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ କୋଟି ୧୦ ଲକ୍ଷ ଟଙ୍କା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons