୨୪ ଶିଶୁ ହୃଦରୋଗୀ ପାଇବେ ନୂଆ ଜୀବନ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଦେବଶ୍ରୀତା ପାଢୀ ଓ ପ୍ରମୋଦ ଭଟ୍ଟମିଶ୍ରଙ୍କ ପ୍ରଥମ ତଥା ଏକମାତ୍ର ସନ୍ତାନ ସ୍ୱସ୍ତିକ ଭଟ୍ଟମିଶ୍ର । ବୟସ ମାତ୍ର ୨ ବର୍ଷ ୬ ମାସ । ପୁଅ ଜନ୍ମ ବେଳେ ପିତାମାତା ବେଶ୍ ଖୁସି ଥିଲେ । ହେଲେ ସ୍ୱସ୍ତିକ ଯେତେବେଳେ ବାରମ୍ବାର ଅସୁସ୍ଥ ହୋଇପଡିଥିଲା ସେତେବେଳେ ଡାକ୍ତରଖାନାରେ ଯାଞ୍ଚ ବେଳେ ତାର ହୃଦୟରେ ଗର୍ତ୍ତଟିଏ ଥିବା ଜଣା ପଡିଥିଲା । ଭାଙ୍ଗି ପଡିଥିଲେ ଦେବଶ୍ରୀତା ଓ ପ୍ରମୋଦ । ହେଲେ ଏହି ଘଟଣା ସ୍ଥାନୀୟ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍ବିଏସ୍କେ) ଟିମ୍ ନଜରକୁ ଆସିଥିଲା । ସେମାନେ ସ୍ୱସ୍ତିକଙ୍କ ପରିବାର ନିକଟରେ ପହଞ୍ଚି ସମ୍ପୂର୍ଣ୍ଣ ଯାଞ୍ଚ ପରେ ତାହାର ଉନ୍ନତ ତଥା ଆଧୁନିକ ଚିକିତ୍ସା ସରକାରୀ ଖର୍ଚ୍ଚରେ କରାଇବାର ଆଶ୍ୱାସନା ଦେଇଥିଲେ । ଆଉ ରବିବାର ପୁଅ ସହ ପ୍ରମୋଦ, ଦେବଶ୍ରୀତା ଅହମ୍ମଦାବାଦର ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲ୍ ଅଭିମୁଖେ ରେଳ ଯୋଗେ ବ୍ରହ୍ମପୁର ଷ୍ଟେସନ୍ରୁ ଯାତ୍ରା କରିଛନ୍ତି । ସ୍ୱସ୍ତିକର ଚିକିତ୍ସା ସହ ଜଣେ ମାତ୍ର ଅଭିଭାବକ (ମା’)ଙ୍କ ଚିକିତ୍ସା ଅବଧି ମଧ୍ୟରେ ରହଣୀ ଓ ଖାଦ୍ୟପେୟ ଆଦି ବ୍ୟବସ୍ଥା ସରକାରୀ ଖର୍ଚ୍ଚରେ ହେବ । ସ୍ୱସ୍ତିକଙ୍କ ଡିଭାଇସ୍ ମାଧ୍ୟମରେ ସେଠି ଅପରେସନ୍ ହେବ । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବ ସେ, ନୂଆ ଜୀବନ ପାଇବ କୁନି ସ୍ୱସ୍ତିକ ।
ତେବେ କେବଳ ସ୍ୱସ୍ତିକ ନୁହଁନ୍ତି, ତାଙ୍କ ସହ ମୋଟ ୨୪ ଜଣ ଶିଶୁ ଜଣେ ଲେଖାଏଁ ଅଭିଭାବକ ଏବଂ ସ୍ୱାସ୍ଥ୍ୟ ବିଭାଗର ୫ ଜଣ ଏସ୍କର୍ଟ (ସହାୟକ)ଙ୍କ ସହ ରବିବାର ଅହମ୍ମଦାବାଦ ଯାତ୍ରା କରିଛନ୍ତି । ଗାଲେରୀର ରୁଦ୍ର ବେହେରା (୨ ବର୍ଷ ୧୦ ମାସ), ହିଞ୍ଜିଳିକାଟୁର ଚୈରସ୍ମିତା ସାହୁ (୩ ବର୍ଷ), ଖଲ୍ଲିକୋଟର ସୋମନାଥ ନାୟକ (୩ ବର୍ଷ ୬ ମାସ)ଙ୍କ ଠାରୁ ଆରମ୍ଭ କରି କବିସୂର୍ଯ୍ୟନଗରର ଲୁସ୍ମିନି ସାହୁ (୧୫ ବର୍ଷ), କୋଦଳାର ମନୋଜ କୁମାର ସାହୁ (୧୪ ବର୍ଷ), ଖଲ୍ଲିକୋଟର ସମ୍ବିତ ପଟ୍ଟନାୟକ (୧୩ ବର୍ଷ) ଆଦି ଅନେକ ଶିଶୁଙ୍କ ପିତାମାତାଙ୍କ ପ୍ରାର୍ଥନା ସେମାନଙ୍କ ଛୁଆମାନେ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ସୁସ୍ଥ ଅବସ୍ଥାରେ ଫେରନ୍ତୁ । ହସଖୁସିରେ ସେମାନଙ୍କ ଶୈଶବ ପୁଣି ଖେଳି ଉଠୁ । ତା ପୁଣି ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଉପରେ ଅଧିକ ବୋଝ ନପକାଇ, ସରକାରୀ ଖର୍ଚ୍ଚରେ ଛୁଆର ଆଧୁନିକ ଚିକିତ୍ସା ହୋଇପାରିବ ଯାହା ସେମାନଙ୍କ ମନରେ ନୂଆ ଆଶା ଉଦ୍ଜୀବିତ କରିଛି ।
ଏହି ୨୪ ଜଣଙ୍କ ମଧ୍ୟରେ ୧୨ ଜଣ ପୁଅ ଓ ୧୨ ଜଣ ଝିଅ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଡିଭାଇସ୍ ଦ୍ୱାରା ଓ ୧୧ ଜଣଙ୍କ ସର୍ଜରୀ ଜରିଆରେ ଚିକିତ୍ସା କରାଯିବାକୁ ନିର୍ଦ୍ଧାରିତ ହୋଇଛି । ପରିବାର ସହ ଜଣେ ଅଭିଭାବକଙ୍କ ଖର୍ଚ୍ଚ ସରକାର ବହନ କରିବେ । ଅଧିକ ଅଭିଭାବକ ଗଲେ ନିଜସ୍ୱ ଖର୍ଚ୍ଚ ଓ ବ୍ୟବସ୍ଥାରେ ଯାଇପାରିବେ । ଏମାନଙ୍କୁ ଜିଲ୍ଲା ତମାମ ଆର୍ବିଏସ୍କେ କାର୍ଯ୍ୟକ୍ରମ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଚିହ୍ନଟ କରିଛି ।ଯାତ୍ରା ପୂର୍ବରୁ ରବିବାର ପୂର୍ବାହ୍ଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଶିଶୁମାନଙ୍କ ଉଦେ୍ଧଶ୍ୟରେ ଏକ ଶୁଭେଚ୍ଛା ସଭା ଆୟୋଜିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ଶିଶୁଙ୍କ ସଫଳ ଚିକିତ୍ସା କାମନା କରିଛନ୍ତି । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ, ଡାଟା ଅପରେଟର୍ ନିହାର ରଞ୍ଜନ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୁଷ ଡାକ୍ତର ସିମାଞ୍ଚଳ ପଣ୍ଡା, ଫାର୍ମାସିଷ୍ଟ ପ୍ରଗତି ପ୍ରମୁଖ ଶିଶୁମାନଙ୍କ ସାଥିରେ ଯାଇଛନ୍ତି ।
ଆର୍ବିଏସ୍କେ ଜିଲ୍ଲା ସହ-ପରିଚାଳକ ସନ୍ଦୀପ ତ୍ରିପାଠୀଙ୍କ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ୨ଟି ଲେଖାଏଁ ଆର୍ବିଏସ୍କେ ଟିମ୍ ଅଛନ୍ତି ଯେଉଁମାନେ ପ୍ରତିଟି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ଏଭଳି ଶିଶୁ ରୋଗୀଙ୍କୁ ଚିହ୍ନଟ କରିଥାନ୍ତି । ପ୍ରତି ଆର୍ବିଏସ୍କେ ଟିମ୍ରେ ରହୁଛନ୍ତି ଜଣେ ଲେଖାଏଁ ପୁରୁଷ ଓ ମହିଳା ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଏଏନ୍ଏମ୍ । ସେମାନେ ଅଙ୍ଗନବାଡି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି । ଶିଶୁମାନଙ୍କର ୩୮ ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଉନ୍ନତ ସ୍ୱାସ୍ଥ୍ୟ ନିମନ୍ତେ ସିଟି ହସ୍ପିଟାଲ (ଡିଇଆଇସି- ଡିଷ୍ଟ୍ରିକ୍ଟ ଅର୍ଲି ଇଣ୍ଟର୍ଭେନ୍ସନ୍ ସେଣ୍ଟର୍)କୁ ନେଇଥାନ୍ତି । ସେଠାରୁ ସେମାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ଦେଶର ଯେକୌଣସି ଅତ୍ୟାଧୁନିକ ଡାକ୍ତରଖାନାକୁ ସରକାରୀ ବିଧିବ୍ୟବସ୍ଥା ମଧ୍ୟରେ ପଠାଯାଇ ଥାଏ । ଏହି କାର୍ଯ୍ୟକ୍ରମ ୨୦୧୩ରୁ ଆରମ୍ଭ ହୋଇଥିବା ଏଯାବତ୍ ସହସ୍ରାଧିକ ଶିଶୁଙ୍କ୍ ସଫଳ ଚିକିତ୍ସା ଓ ଅସ୍ତେ୍ରାପଚାର ସମ୍ପୂର୍ଣ ମାଗଣାରେ କରାଯାଉଛି । କେବଳ ହୃଦ୍ରୋଗ ନୁହେଁ, କେତେ ପିଲାଙ୍କ ପାଦ ବଙ୍କା, ଗ୍ରହଣ ଖଣ୍ଡିଆ ଆଦି ଅନେକ ଜନ୍ମଗତ ତ୍ରୁଟିର ଅସ୍ତେ୍ରାପଚାର କରାଯାଇ ପାରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons