୨ କିମି ବୋହିଲେ ଝିଅର ଶବ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ବୁ୍ୟରୋ): ୨୦୧୬ ଅଗଷ୍ଟ ମାସରେ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ୧୦ କିମି ଦୂର ଚାଲିଚାଲି ଯାଇ ଚର୍ଚ୍ଚାକୁ ଆସିଥିଲେ କଳାହାଣ୍ଡିର ଦାନ ମାଝୀ । ସେତେବେଳେ ଦାନ ମାଝୀଙ୍କ ନିକଟରେ ସ୍ତ୍ରୀର ଶବ ନେବାକୁ ଟଙ୍କା ନଥିଲା । ସେହିଭଳି ସ୍ୱାଧୀନତାର ୭ ଦଶନ୍ଧୀ ପରେ ବି ଗାଁକୁ ସବୁଦିନିଆ ରାସ୍ତାଟିଏ ନଥିବାରୁ ଗୁରୁତର ଝିଅକୁ ଡାକ୍ତରଖାନାରେ ପହଞ୍ଚାଇ ପାରିନଥିଲା ବାପା । ୨ କିମି ରାସ୍ତା ଚାଲିଚାଲି ଆମ୍ବୁଲାନ୍ସ ନିକଟକୁ ପହଞ୍ଚିଲା ବେଳକୁ ଝିଅଟି ଆରପାରିକୁ ଚାଲିଯାଇଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତ କମଳାନାଳୀ ଗ୍ରାମରେ । ଏହି ଘଟଣାର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ରେଢ଼ାଖୋଲ ଉପ ଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଯୋଗାଯୋଗ କରିବାରେ, ଘଟଣା ନେଇ ଗଣମାଧ୍ୟମରୁ ସୂଚନା ପାଇଥିବା କହିଥିଲେ । ତେବେ ଗାଁକୁ ନିଜେ ଯାଇ ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ କମଳାନାଳୀ ଗାଁ ସୁଦସାହିରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ ଜଣେ ଝିଅ ଘର ନିକଟରେ ଖେଳୁଥିଲା । ଏହି ସମୟରେ ଅସାବଧାନତାବଶତଃ ଝିଅଟି କୂଅରେ ପଡ଼ି ଯାଇଥିଲା । ଘଟଣା ସମ୍ପର୍କରେ କେହି ଜାଣି ବି ନଥିଲେ । ପ୍ରାୟ ସାଢେ଼ ୬ଟା ୭ଟା ସମୟରେ ଗାଁର ଅନ୍ୟ କିଛି ମହିଳା ପାଣି ଆଣିବାକୁ କୂଅକୁ ଯାଇଥିବା ବେଳେ ଝିଅଟି ଭାସୁଥିବା ଦେଖିଥିଲେ । ଗ୍ରାମବାସୀ ଝିଅଟିକୁ ଉଦ୍ଧାର କରିବା ପରେ ତାହା ଅର୍ଜୁନ ଦେହୁରୀଙ୍କ ଝିଅ ମିତା (୫ ବର୍ଷ) ବୋଲି ଜଣାପଡ଼ିଥିଲା । ତୁରନ୍ତ ଶିଶୁକୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । କିନ୍ତୁ ଗ୍ରାମକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇନପାରି ଚମ୍ପାଳି ନାଳ ଆରପଟେ ଛିଡ଼ା ହୋଇଥିଲା । ଏହାରି ଭିତରେ ଝିଅ ମିତା ଆରପାରିକୁ ଚାଲି ଯାଇଥିଲା ।
ସେପଟେ, ସୂଚନା ପାଇ ରେଢ଼ାଖୋଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନ୍ୟ କିଛି ଉପାୟ ନଥିବାରୁ ଅର୍ଜୁନ ଝିଅକୁ କାନ୍ଧରେ ପକାଇ ୨ କିମି ରାସ୍ତା ଚାଲିଚାଲି ଚମ୍ପାଳୀ ନାଳ ପାର୍ କରିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ଚାଲି ଚାଲି ଯିବା ପାଇଁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଚାଲି ଯାଇଥିଲା । ଝିଅକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିବା ବେଳକୁ ତାକୁ ଡାକ୍ତର ମୃତ ଗ୍ରହଣ ଘୋଷଣା କରିଥିଲେ । ଏନେଇ ରେଢ଼ାଖୋଲ ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆଜି ଝିଅର ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସମ୍ବଲପୁର ଜିଲ୍ଲାରେ ଏହା ଯଦିଓ ନୂଆ ଘଟଣା ନୁହେଁ ତଥାପି ସ୍ୱାଧୀନତାର ଏତେ ବର୍ଷ ପରେ ବି ଜିଲ୍ଲାର ଚିତ୍ରରେ ସେଭଳି କୌଣସି ବିଶେଷ ପରିବର୍ତ୍ତନ ହୋଇପାରିନି । ବରଂ ଜିଲ୍ଲାର ୩ଟି ବ୍ଳକରେ ରହିଥିବା ଶତାଧିକ ଉପାନ୍ତ ଅଞ୍ଚଳରୁ ଏବେ ବି ନିତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଗର୍ଭବତୀଙ୍କୁ ଖଟିଆରେ ବୋହି ନିଆଯାଉଛି ତ ଆଉ କେତେବେଳେ ଖୋଦ୍ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ ଷ୍ଟେ୍ରଚରରେ କିଲୋମିଟର କିଲୋମିଟର ଦୂର ବୋହି ନେଉଥିବାର ନଜିର ରହିଛି । ମାତ୍ର ଏହାର ସ୍ଥାୟୀ ପ୍ରତିକାର କେବେ ହେବ ଓ ସବୁ ଗାଁକୁ ସବୁଦିନିଆ ରାସ୍ତା ହେବ ତାହା ସମୟ ହିଁ କହିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons