୩ ଲୁଟେରା ଗିରଫ, କୋଟିଏ ୮ ଲକ୍ଷ ଜବତ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ବୁ୍ୟରୋ): ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟୁକଣ୍ଟା ଅଞ୍ଚଳରୁ ଏଟିଏମ୍ରେ ଟଙ୍କା ଭର୍ତ୍ତି ଯାଉଥିବା ଭ୍ୟାନ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଢେଙ୍କାନାଳ ସଦର ଥାନା ପୁଲିସ୍ ଗୋଡ଼ାଇ ୩ ଲୁଟେରାଙ୍କୁ କାବୁ କରିଛି । ଜଣେ ଦୁର୍ବୃତ୍ତ ବିଲମାଳରେ ପଶି ଫେରାର୍ ହୋଇଯାଇଛି । ଅଭିଯୁକ୍ତଙ୍କ ନିକଟରୁ ୧ କୋଟି ୮ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା କାର୍, ୪ ପିସ୍ତଲ, ୨ ଖଣ୍ଡା, ୨ କଟୁରୀ ସହ ଟଙ୍କା ନେଇ ଯାଉଥିବା ଭ୍ୟାନ୍ ଜବତ ହୋଇଛି । ଗାଡ଼ିରେ ମୋଟ୍ ଏକକୋଟି ୨୯ ଲକ୍ଷ ଟଙ୍କା ଥିଲା ବୋଲି ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟାରେ ଆଠଗଡ଼ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଏଟିଏମ୍ରେ ଟଙ୍କା ଭର୍ତ୍ତି ଦାୟିତ୍ୱ ନେଇଥିବା ସିଏମ୍ଏସ୍ କମ୍ପାନୀର ଭ୍ୟାନ୍ ୧ କୋଟି ୨୯ ଲକ୍ଷ ଟଙ୍କା ବୋଝେଇ କରି ତିଗିରିଆ ଅଭିମୁଖେ ବାହାରିଥିଲା । ଭ୍ୟାନ୍ରେ ଗାଡ଼ି ଚାଳକଙ୍କ ସହ ତିନି ଜଣ ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷାକର୍ମୀ ଥିଲେ । ଖୁଣ୍ଟୁକଣ୍ଟା ନିକଟରେ ସେମାନେ ଭ୍ୟାନକୁ ରଖି ଏକ ଢାବାରେ ଖାଇବାକୁ ଯାଉଥିଲେ । ସେତିକି ବେଳେ ଏକ ଧଳାରଙ୍ଗର କାର୍ରେ ୪ ଜଣ ଲୁଟେରା ଆସି ସେମାନଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଟଙ୍କା ଭର୍ତ୍ତିଭ୍ୟାନ୍କୁ ହାଇଜ୍ୟାକ୍ କରିନେବାକୁ ଉଦ୍ୟମ କରିଥିଲେ । ବ୍ୟାଙ୍କ୍ କର୍ମଚାରୀ ଓ ସୁରକ୍ଷାକର୍ମୀ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ପରେ ଟଙ୍କା ଭର୍ତ୍ତି ଭ୍ୟାନ୍ ହାଇଜ୍ୟାକ୍ କରିନେଇ ଶଙ୍କରପୁର ରାସ୍ତାରେ ଢେଙ୍କାନାଳ ଆଡକୁ ପଳାଇ ଆସିଥିଲେ । ତିନି ଜଣ ଟଙ୍କା ଭର୍ତ୍ତି ଭ୍ୟାନ୍ରେ ରହିଥିବା ବେଳେ ଅନ୍ୟ ଜଣେ କାର୍ରେ ସେମାନଙ୍କୁ ପିଛା କରିଥିଲା । ସେପଟେ ବ୍ୟାଙ୍କ୍ କର୍ମଚାରୀମାନେ ଆଠଗଡ଼ ଓ ଢେଙ୍କାନାଳ ପୁଲିସକୁ ଏ ସମ୍ପର୍କରେ ଖବର ଦେବାରୁ ଉଭୟ ଥାନା ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ତତ୍କ୍ଷଣାତ୍ କସରତ୍ ଆରମ୍ଭ କରିଥିଲେ । ଆଠଗଡ଼ ପୁଲିସ ଲୁଟେରାଙ୍କ ପିଛା କରୁଥିବା ବେଳେ ଢେଙ୍କାନାଳ ଟାଉନ୍ ଥାନା ପୁଲିସ ସହରକୁ ନାକାବନ୍ଦୀ କରି ରଖିଥିଲା । ସଦର ଥାନା ପୁଲିସ ମଧ୍ୟ ନାକାବନ୍ଦୀ କରି ଲୁଟେରାଙ୍କୁ ଧରିବାକୁ ଜାଲ୍ ବିଛାଇଥିଲା । ଲୁଟେରାମାନେ ଢେଙ୍କାନାଳ ସ୍ଥିତ ସପ୍ତଶଯ୍ୟା ନିକଟରେ ଭ୍ୟାନ୍ରୁ ସମସ୍ତ ଟଙ୍କା କାର୍ରେ ରଖିଥିଲେ । ଭ୍ୟାନ୍ ଛାଡ଼ି ଦେଇ ବାଇପାସ୍ ରାସ୍ତାରେ ଆସି ୫୫ ନମ୍ବର ଜାତୀୟ ରାଜପଥ ଦେଇ ଅନୁଗୁଳ ଆଡ଼କୁ ଯିବାକୁ ଉଦ୍ୟମ କରୁଥିଲେ । ସଦର ଥାନା ପୁଲିସ ସେମାନଙ୍କୁ ବାଧା ଦେବାରୁ ଲୁଟେରା କାମାକ୍ଷାନଗର ରାସ୍ତାରେ ଖସିଯିବାକୁ ଉଦ୍ୟମ କରିଥିଲେ । ସଦର ଥାନା ଅଧିକାରୀ ଅଭିନବ ଡାଳୁଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେମାନଙ୍କୁ ପିଛା କରୁଥିବା ବେଳେ ଲୁଟେରାମାନେ କାମାକ୍ଷାନଗର ରାସ୍ତା ଦେଇ ଗେଙ୍ଗୁଟିଆ-ବାରଦା ରାସ୍ତାରେ ପଳାଇଥିଲେ । ଭୋଜଦେଇପୁର ଗାଁ ନିକଟ ଏକ ନାଳ ପାଖରେ ଆଗକୁ ଯିବାକୁ ଆଉ ରାସ୍ତା ନଥିବାରୁ ଲୁଟେରା ଗାଡ଼ି ଛାଡ଼ି ବିଲମାଳରେ ଦୌଡ଼ି ପଳାଉଥିଲେ । ପିଛା କରୁଥିବା ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣ ଲୁଟେରାଙ୍କୁ କାବୁ କରିଥିବା ବେଳେ ଜଣେ ଫେରାର୍ ହେବାରେ ସକ୍ଷମ ହୋଇଥିଲା ।
ପୁଲିସ ସେଠାରେ ଲୁଟେରାମାନେ ବ୍ୟବହାର କରିଥିବା କାର୍ ସହ ସେଥିରେ ଥିବା ୧ କୋଟି ୮ ଲକ୍ଷ ଟଙ୍କା, ୪ଟି ପିସ୍ତଲ, ୨ ଖଣ୍ଡା ଓ ୨ କଟୁରୀ ଜବତ କରିଛି । ପରେ ପରେ ଆଠଗଡ଼ ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ଏ ସମ୍ପର୍କରେ ଖବର ପାଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ କେ. ଶିବା ସୁବ୍ରମଣି, ସଦର ଏସଡ଼ିପିଓ ବିକାଶ ବେଉରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛି । ଗିରଫ ଲୁଟେରାମାନେ ଆଠଗଡ଼, କନ୍ଧମାଳ ଓ ନୟାଗଡ଼ ଅଞ୍ଚଳର ବୋଲି ଆଇଜି ଶ୍ରୀ ଭୋଳ ସୂଚନା ଦେଇଛନ୍ତି । ୨୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଫେରାର୍ ଲୁଟେରା ନେଇ ପଳାଇ ଯାଇଥିବା ସନେ୍ଦହ କରାଯାଉଛି । ଗିରଫ ଲୁଟେରାଙ୍କୁ ସଦର ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଭୋଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons