୭ ଦିନିଆ ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ଗିରଫ ୫ ଜଣ ଅଭିଯୁକ୍ତଙ୍କୁ ଶନିବାର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍(ଏସଆଇଟି) ରିମାଣ୍ଡରେ ନେଇଛି । ସମସ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ମୁଖ୍ୟାଳୟ କଟକକୁ ନେଇ ଅଧିକ ପଚରାଉଚରା କରାଯିବ । ସେମାନଙ୍କ ନିକଟରୁ ଖୁବଶୀଘ୍ର ଡିଆରଡିଓ ତଥ୍ୟ ଲିକ୍ ଗୁମର ଖୁଲାସା ହେବ । ଡିଆର୍ଡିଓର କେଉଁ ତଥ୍ୟ କାହାକୁ ପଠାଯାଇଛି? ଏହା ପଛରେ କେଉଁ ଦେଶର ହାତ ରହିଛି? କେଉଁ ଏଜେନ୍ସି ବା ସଂଗଠନର ହାତ ରହିଛି? ଏସବୁର ଘଣ୍ଟାଚକଟା କରିବ, ଏସ୍ଆଇଟି । ଗୁପ୍ତ ତଥ୍ୟ ପ୍ରଦାନ ପାଇଁ କେତେ ଟଙ୍କା କାରବାର ହୋଇଛି । କେଉଁ ମାଧ୍ୟମରେ ଏହି ଟଙ୍କା ଆସିଛି । ଏସବୁ ଉପରେ ଆଗାମୀ ଦିନରେ ସୂଚନା ମିଳିବ ବୋଲି ଏସ୍ଆଇଟି ଆଶାବ୍ୟକ୍ତ କରିଛି ।
ସୁଚନା ଥାଉକି, ଗୁପ୍ତ ତଥ୍ୟ ଲିକ୍ ମାମଲାରେ ପ୍ରଥମେ ଚାନ୍ଦିପୁର ଥାନା ଅଧୀନ ଝାମ୍ପୁରାହାଟ ଅଞ୍ଚଳର ବସନ୍ତ ବେହେରା(୫୨), ଶ୍ରୀକୋଣା ଅଞ୍ଚଳର ସେକ୍ ମୁସାଫିର(୩୨), ପାଳସିଆ ଅଞ୍ଚଳର ତାପସ ରଞ୍ଜନ ନାୟକ(୪୧), ସଦର ଥାନା ଅନ୍ତର୍ଗତ ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ(୫୨)ଙ୍କୁ ଗିରଫ କରାଯାଇଥିଲା । ଏହାପରେ ଡିଆର୍ଡିଓରେ କାର୍ଯ୍ୟରତ ସ୍ଥାୟୀ ଡ୍ରାଇଭର ଉତ୍ତରପ୍ରଦେଶ ଅଞ୍ଚଳର ସଚିନ କୁମାରକୁ ଗିରଫ କରାଯାଇଥିଲା । ସେମାନଙ୍କୁ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ବାଲେଶ୍ୱରରୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି ।
ଅଭିଯୁକ୍ତମାନଙ୍କୁ ରିମାଣ୍ଡରରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା । ଏହା ଉପରେ ବିଚାର କରି କ୍ରାଇମବ୍ରାଞ୍ଚ ଟିମକୁ ଅଧିକ ତଦନ୍ତ କରିବା ପାଇଁ ଅଭିଯୁକ୍ତମାନଙ୍କୁ ୭ଦିନିଆ ରିମାଣ୍ଡରରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଅନୁମତିକ୍ରମେ କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଜେଲରୁ ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରରେ କଟକ ମୁଖ୍ୟ କାର୍ଯ୍ୟାଳୟକୁ ନେଇଛନ୍ତି । ସେଠାରେ ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବ । ଜଣେ ଅତିରିକ୍ତ ଏସିପି, ଜଣେ ସାଇବର ଇନ୍ସପେକ୍ଟର, ଆଉ ଜଣେ ଏସଆଇଙ୍କୁ ନେଇ ଏହି ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଛି । ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ ଏହି ସ୍ୱତନ୍ତ୍ର ଟିମ୍ । କାହାକୁ ସେମାନେ ତଥ୍ୟ ଦେଉଥିଲେ, କେମିତି ଡାଟା ପଠାଉଥିଲେ, ଏଥିରେ ସେମାନଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଅଛି କି ନାହିଁ ଏସବୁ ଦିଗ ଉପରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ । ଏପର୍ଯ୍ୟନ୍ତ ଏହି ଘଟଣାରେ ହିଁ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସହଯୋଗ ନିଆଯିବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଚାହିଁଲେ, ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons