ଅଗ୍ନିକାଣ୍ଡରେ ବୃଦ୍ଧା ଜୀବନ୍ତ ଦଗ୍ଧ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଆମାନାରା ଗାଁରେ ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ବୃଦ୍ଧା ଜଣକ ହେଲେ ଗାଁର ସୁରଜ ପଟେଲଙ୍କ ସ୍ତ୍ରୀ ରାହମିନ ପଟେଲ(୬୩) । ଘରେ ନିଆଁ ଲାଗିବା ପରେ ଏକୁଟିଆ ଥିବା ବୃଦ୍ଧା ଜଣକ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି ।
ଆମାନାରା ଗାଁରେ ସୁରଜ ଓ ରାମହିନ ନିଜ ଘର ସମ୍ମୁଖରେ ଏକ ଛୋଟ ହୋଟେଲ କରିଥିଲେ । ସେଥିରୁ କିଛି ରୋଜଗାର କରି ସ୍ୱାମୀ ସୁରଜ ଓ ସ୍ତ୍ରୀ ରାହମିନ ପେଟ ପୋଷୁଥିଲେ । ତାଙ୍କର ଦୁଇଟି ପୁଅ ଥିଲେ ବି ବିବାହ ପରେ ଅନ୍ୟତ୍ର ରହୁଥିଲେ । ଆଜି ଅପରାହ୍ନରେ ଦୁଇ ପୁଅ ଓ ପୁତ୍ର ବଧୁ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସ୍ୱାମୀ ସୁରଜ ଘର ପଛପଟେ କାମ କରୁଥିବା ବେଳେ ରାମହିନ ହୋଟେଲରେ କାମ କରୁଥିଲେ । ଏହି ସମୟରେ ଘର ଆଗପଟେ ନିଆଁ ଲାଗି ଯାଇଥିଲା । ନିଆଁ ଭୟରେ ବୃଦ୍ଧା ଜଣକ ଘର ଭିତରକୁ ପଶି ଯାଇଥିଲେ । ନିଆଁ ଏତେ ଭୟାବହ ଥିଲା ଯେ, କ୍ଷଣକ ମଧ୍ୟରେ ସମ୍ପୂର୍ଣ୍ଣ ଘର ଜଳି ଯାଇଥିଲା । ଏନେଇ ଗାଁ ଲୋକେ ଖରିଆରରୋଡ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଆସି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭାଇବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଘର ଭିତରେ ଫସି ଯାଇଥିବା ରାମହିନ ବାହାରି ନ ପାରି ଜୀବନ୍ତ ପୋଡ଼ି ଯାଇଥିଲେ । ଖବର ପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ସନ୍ଧ୍ୟାରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ବି ରାତି ହେବାରୁ ବ୍ୟବଚ୍ଛେଦ ହୋଇ ପାରିନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ଓ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଦିଲୀପ ଲାକ୍ରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons