ବେତନଟୀ,(ବି.ବି.ନୁ୍ୟଜ୍): କାଳ ହେଲା ଜାତୀୟ ରାଜପଥରେ ମର୍ଣ୍ଣିଂୱାର୍କ । ପ୍ରତ୍ୟେକଦିନ ଭଳି ଶୁକ୍ରବାର ଭୋରୁ ମର୍ଣ୍ଣିଂୱାର୍କରେ ବାହାରିଥିବା ଜନୈକ +୨ ଛାତ୍ରଙ୍କ ଅଜଣାଗାଡି ଧକ୍କାରେ ଶୋଚନୀୟ ମୃତୁ୍ୟ ଘଟିଛି । ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଲଙ୍ଗଳକଟା ଗ୍ରାମର ଫ୍ରାନସିସ୍ ମୁର୍ମୁଙ୍କ ପୁଅ ଲିଟୁ(୧୭) ।
ସୂଚନା ମୁତାବକ ଲିଟୁ ପ୍ରତ୍ୟେକଦିନ ଭଳି ଶୁକ୍ରବାର ଭୋର ସମୟରେ ୧୮ନଂ ଏନଏଚ୍ରେ ଲଙ୍ଗଳକଟାରୁ ରାଗ୍ଧାଛକ ପର୍ଯ୍ୟନ୍ତ ୩ କିଲୋମିଟର ମର୍ଣ୍ଣିଂୱାର୍କରେ ଯାଇଥାନ୍ତି । ଘଟଣାଦିନ ବଡ଼ିଭୋରୁ ରାଗ୍ଧାଛକରୁ ଫେରୁଥିବା ସମୟରେ ଏକ ଅଜଣାଗାଡି ଲିଟୁଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା । ଗାଡିଧକ୍କାରେ ଲିଟୁ ଏନ୍ଏଚ୍ରୁ ପ୍ରାୟ ୧୦ଫୁଟ ତଳକୁ ଖସି ମୁହଁମାଡି ପଡିଯାଇଥିଲା । ଏବଂ ତାଙ୍କ ମୋବାଇଲଟି ପାଖାପାଖି ୨୫ଫୁଟ ଦୂରକୁ ଛିଟିକି ପଡିଥିଲା । ସକାଳ ହେବାପରେ ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବରପାଇ ଏସଆଇ ବିନୟ ରଞ୍ଜନ ପରିଡା, କୃଷ୍ଣଚନ୍ଦ୍ରପୁର ଫାଣ୍ଡିଅଧିକାରୀ ଏଏସଆଇ ଚନ୍ଦ୍ରକାନ୍ତ ରଣଜିତ, ବଡଜାମବଣି ଫାଣ୍ଡିଅଧିକାରୀ ଏଏସଆଇ ପବିତ୍ରମୋହନ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ୨୧୬/୨୨୦ରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ଲିଟୁ ସ୍ଥାନୀୟ ରାଗ୍ଧା ଯୁକ୍ତଦୁଇ କଲେଜର ଛାତ୍ର ଥିଲେ । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed, but trackbacks and pingbacks are open.