ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥର ଜାମପାଲି ନିକଟସ୍ଥ ଏଚ୍ପି ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ ହେଲେ ମୁକୁନ୍ଦ ଚନ୍ଦ୍ର କିଶାନ ଓ ଖଗେଶ୍ୱର କିଶାନ ।
ବଣାଇଁର କୁରୁଡା ଅଞ୍ଚଳର ବାସିନ୍ଦା ମୁକୁନ୍ଦ ଓ ଖଗେଶ୍ୱର ରାଜଗାଙ୍ଗପୁର ସ୍ଥିତ ଓସିଏଲ୍ ରିଫ୍ରାକ୍ଟୋରୀରେ କାମ କରନ୍ତି । ଶନିବାର ରାତି ପ୍ରାୟ ସାଢେ଼ ୭ଟା ସମୟରେ ମୁକୁନ୍ଦ ଓ ଖଗେଶ୍ୱର ବାଇକ୍ (ଓଡ଼ି୧୪କେ ୨୩୭୩) ଯୋଗେ ୧୦ ନମ୍ବର ରାଜ୍ୟ ରାଜପଥ ଦେଇ ଯାଉଥିଲେ । ଜାମପାଲି ସ୍ଥିତ ଏଚ୍ପି ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ରାଜଗାଙ୍ଗପୁର ପୁଲିସ୍ ଘଟଣା ସସ୍ଥଳରେ ପହଞ୍ଚି ଶବ ଦ୍ୱୟକୁ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛି । ମୃତକ ଦ୍ୱୟ ସମ୍ପର୍କରେ ଶଳା ଓ ଭିଣୋଇ ଅନୁମାନ କରାଯାଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.