ଅନୁଗୁଳ ଡାକ୍ତରଖାନାରେ ମୃତ ଶିଶୁକନ୍ୟାର ଆଖି ଗାଏବ ଘଟଣା:ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଦ୍ୱନ୍ଦ୍ୱରେ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗାର ମଧ୍ୟରେ ସଂରକ୍ଷିତ ଥିବା ୪ ବର୍ଷର ଏକ ମୃତ ଶିଶୁକନ୍ୟାର ଆଖି ଗାଏବ ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାର ତଦନ୍ତ ପାଇଁ ଶନିବାର ଅନୁଗୁଳ ଗସ୍ତରେ ଆସିଥିଲେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ କୁମାର ଷଡ଼ଙ୍ଗୀ । ଡା. ଷଡ଼ଙ୍ଗୀ ଶବାଗାର ପରିସର ଟିକିନିଖି ଯାଞ୍ଚ କରିବା ସହ ଡାକ୍ତରଖାନାର ଅନ୍ୟ ୱାର୍ଡ଼ ପରିଦର୍ଶନ କରିଥିଲେ । ପରେ ସିଡିଏମ୍ଓ ଡା. ପ୍ରତାପ ବେହେରାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ଘଟଣା ସମ୍ପର୍କରେ ନିର୍ଦ୍ଦେଶକ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଗଲା ସେ ନେଇ ନିର୍ଦ୍ଦେଶକ ଡା. ଷଡ଼ଙ୍ଗୀ ମଧ୍ୟ ଦ୍ୱନ୍ଦ୍ୱରେ ଥିବା ପ୍ରକାଶ କରିଥିଲେ ।
ଡା. ଷଡ଼ଙ୍ଗୀ କହିଛନ୍ତି, ମୂଷା ମୃତଦେହର ଆଖି ଖାଇଯିବା ଘଟଣା ସମ୍ଭବ ନୁହେଁ । କାରଣ ଫ୍ରିଜର୍ ମଧ୍ୟରେ ମୂଷା ପଶିପାରିବ ନାହିଁ । ପୁଣି ଫ୍ରିଜର୍ କାର୍ଯ୍ୟକ୍ଷମ ରହିଥିଲା । ଫ୍ରିଜର୍ ମଧ୍ୟରେ ଦୁଇଟି ଟ୍ରେ ରହିଛି । କଣା ଥିଲେ ଫ୍ରିଜର୍ କାର୍ଯ୍ୟକ୍ଷମ ହିଁ ହୋଇ ନଥାନ୍ତା ବୋଲି ସେ ମତ ରଖିଛନ୍ତି । ସେହିପରି କେହି ଆଖି ତାଡ଼ି ନେବା ଅଭିଯୋଗକୁ ବି ସେ ରୋକ୍ଠୋକ୍ ଅସ୍ୱୀକାର କରିଥିଲେ । ଯେହେତୁ ଶିଶୁଟି ରୋଗଗ୍ରସ୍ତ ଓ ଡିହାଇଡ଼୍ରେସନ୍ ଥିଲା, ତେଣୁ ମୃତ୍ୟୁ ପରେ ଆଖି କୋଟର ମଧ୍ୟକୁ ପଶି ଯାଇଥାଇ ପାରେ ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ ।
ଗୁରୁବାର ରାତିରେ ଶିଶୁର ମୃତଦେହ କେଉଁଠି ଥିଲା? ଫ୍ରିଜର୍ ମଧ୍ୟରେ ଥିଲା ନା ଶବାଗାର ଚଟାଣରେ ପଡ଼ିଥିଲା? ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ ନୁହେଁ । ଘଟଣାର ଅଧିକ ଅନୁସନ୍ଧାନ ଆବଶ୍ୟକତା ରହିଥିବା ବେଳେ ତଦନ୍ତରେ ଯେଉଁଠି ବି ଅବହେଳା ରିପୋର୍ଟ ଆସିବ ସଂପୃକ୍ତ କର୍ମଚାରୀ କମ୍ବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡା. ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ରାଜ୍ୟରେ ଅନ୍ୟ କେଉଁଠି ଯେପରି ଏଭଳି ଘଟଣାର ପୁନରାବୃତ୍ତି ନଘଟିବ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହୋଇ ଆବଶ୍ୟକ ପଦକ୍ଷେପମାନ ନିଆଯିବ ବୋଲି ଡା. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons