
ବରଗଡ଼,(ବି.ବି.ନ୍ୟୁଜ୍): ସମାଜର ରକ୍ଷକ ଥିବା ସୁରକ୍ଷାକର୍ମୀ ଭକ୍ଷକ ସାଜିଛି । ଆଉ ଏଥିରେ ଆଇନର ମାର୍ଗଦର୍ଶକ ସହଯୋଗ କରିଛି । କଥାଟି ଜଣାପଡ଼ିଗଲା ପରେ ସୁରକ୍ଷା କର୍ମୀଙ୍କ ହାତରେ ହିଁ ଅଭିଯୁକ୍ତ ସୁରକ୍ଷାକର୍ମୀ ଧରାପଡ଼ିବା ପରେ ବରଗଡ଼ରେ ବାଡ଼ ଫସଲ ଖାଇବା ପୁଣି ଥରେ ପ୍ରମାଣିତ ହୋଇଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମାଓ ଅଧ୍ୟ୍ୟୁଷିତ ବୋଡ଼େନ ଥାନା ଅଞ୍ଚଳରେ । ୟୁନିଫର୍ମରେ ଜଣେ ପୁଲିସ୍ କର୍ମଚାରୀ ଓ ଜଣେ ଓକିଲ କିଛି ବ୍ୟକ୍ତିଙ୍କ ସହାୟତାରେ ବିରିପାଲି ଗାଁର ଜଣେ ବ୍ୟବସାୟୀଙ୍କ ଘରେ ପସି ସ୍କ୍ୱାଡ୍ ନାଁରେ ଚଢ଼ଉ କରିଥିଲେ । ଉକ୍ତ ବ୍ୟକ୍ତିଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା ସହ ଦେଢ଼ଭରି ଓଜନର ସୁନାଗହଣା ଲୁଟି ନେଲେ । ଏନେଇ ଅଭିଯୋଗରୁ ସେମାନେ ଧରାପଡ଼ିବା ପରେ ସମଗ୍ର ଜିଲ୍ଲାରେ ଅସଲି ପୁଲିସ୍ର ନକଲି ଚଢ଼ଉକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଘଟଣାର ତର୍ଜମା କରି ବୋଡ଼େନ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି । ତନ୍ମଧ୍ୟରୁ ହାବିଲଦାର ଶ୍ୟାମକୁମାର ଦୀପ ଓ ଆଇନଜୀବୀ ମାଣିକ ଦାସ ତଥା ସୁଦାମ ବରିହା ଅନ୍ୟତମ ବୋଲି ବୋଡ଼େନ ଥାନାଧିକାରୀ ଟି. କେରକେଟାଙ୍କ ଠାରୁ ଜଣାପଡ଼ିଛି ।
ସୂଚନା ମତେ ଗତ ୨୯ ତାରିଖ ରାତିରେ ହାବିଲଦାର ଶ୍ୟାମ ସୁନ୍ଦର ଦୀପ ପୁଲିସ୍ ବର୍ଦ୍ଦିରେ ଏକ କାର୍ରେ ନିକଟ ବିରିପାଲି ଗାଁର ଲକ୍ଷ୍ମଣ ବେହେରାଙ୍କ ଘରେ ପଶିଥିଲେ । ସ୍କ୍ୱାଡ୍ ପାର୍ଟି ଆସିଥିବା ସୂଚନା ଦେଇ ତାଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲେ । ଏଥିରେ ଦର୍ଲିଗୁଡ଼ା ଗାଁର ଆଇନଜୀବୀ ମାଣିକ ଦାସ ଓ ସୁଦାମ ବରିହାଙ୍କ ସମେତ ଆଉ ୨ ଜଣ ବ୍ୟକ୍ତି ସହଯୋଗ କରିଥିଲେ । ଉକ୍ତ ବ୍ୟକ୍ତି ଜଣକ କୁଆଡ଼େ ପ୍ରତିବନ୍ଧିତ କୌଣସି ଔଷଧର ବେଆଇନ ବ୍ୟବସାୟ କରୁଥିବା ଅଭିଯୋଗରେ ସେମାନେ ଚଢ଼ଉ କରିଥିଲେ । ତେବେ ଯାଞ୍ଚ ବାହାନରେ ସେମାନେ ନଗଦ ୨୦ ହଜର ଟଙ୍କା ସହ ଗୋଟିଏ ସୁନା ଚେନ ଓ ଗୋଟିଏ ସୁନାମୁଦି ନେଇ ବାହାରି ଆସିଥିଲେ । ସର୍ଚ୍ଚପାର୍ଟିର ଏଭଳି କାର୍ଯ୍ୟକଳାପରେ ସନ୍ଦେହ ବ୍ୟକ୍ତ କରି ଲକ୍ଷ୍ମଣ ଗ୍ରାମବାସୀଙ୍କୁ ଖବର ଦେବା ପରେ ବହୁ ଲୋକ ଠୁଳହୋଇ ସ୍କ୍ୱାଡ୍ ପାର୍ଟିକୁ କାବୁ କରି ବୋଡ଼େନ ପୁଲିସ୍ ଜିମାରେ ଦେଇଥିଲେ । ତାଙ୍କ ମଧ୍ୟରେ କୌଶଳକ୍ରମେ ଦୁଇ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପୁଲିସ୍ ହାବିଲଦାର ଶ୍ୟାମଙ୍କ ସହ ମାଣିକ ଓ ସୁଦାମଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିବା ସହ ପଦ୍ମପୁର ଏସ୍ଡିପିଓ ଏବଂ ବରଗଡ଼ ଏସ୍ପିଙ୍କୁ ଖବର କରିଥିଲେ । ପାରିପାଶ୍ୱିର୍କ ସ୍ଥିତି ଅନୁଧ୍ୟାନ କରି ପ୍ରମାଣ ପାଇବା ପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବୋଡ଼େନ ପୁଲିସ୍ ଆଜି ଅଭିଯୁକ୍ତ ତ୍ରୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବୋଡ଼େନ ଥାନାଧିକାରୀ ଶ୍ରୀ କେରକେଟାଙ୍କ ଠାରୁ ଜଣାପଡ଼ିଛି । ବୋଡ଼େନ ପୁଲିସ୍ ଫେରାର ଦୁଇ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଏନେଇ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି ।
ଅସଲି ପୁଲିସ୍ ବେଶରେ ଜଣକ ଘରକୁ ଯାଇ ନକଲି ଚଢ଼ଉ କରିଥିବା ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ଧରାପଡ଼ିଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆଲୋଡ଼ନ ଖେଳିଯାଇଛି । ଗୋଟିଏ ଦିନ ପୂର୍ବରୁ ଏକ ବିରାଟ ବଡ଼ ଡକାୟତ ଦଳକୁ କାବୁ କରିବା ସହ ବେଆଇନ ବନ୍ଧୁକ ଧରିବାରେ ସକ୍ଷମ ହୋଇଥିବା ବରଗଡ଼ ପୁଲିସ୍ର କାର୍ଯ୍ୟଧାରାକୁ ସଚେତନବର୍ଗ ସ୍ୱାଗତ କରିଥିବା ବେଳେ ପୁଲିସ୍ ହାତରେ ଆଜି ଜଣେ ପୁଲିସ୍ ଧରାପଡ଼ିଥିବାରୁ ବୁଦ୍ଧିଜୀବୀ ମହଲରେ ନୈରାଶ୍ୟ ଖେଳିଯାଇଛି । ଏନେଇ ଏସ୍ପି ମୁକେଶ କୁମାର ଭାମୁଙ୍କୁ ପଚାରିବାପରେ ଆଇନ ତା ବାଟରେ ଯିବ ଏବଂ ଆଇନ ଭଗ୍ନକାରୀକୁ ଛଡ଼ାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.