ଅସହ୍ୟ ହେଲା ବାପାଙ୍କ ମାଡ଼: ବିଷ ପିଇ ଜୀବନ ହାରିଲେ ୨ ଭଉଣୀ

Get real time updates directly on you device, subscribe now.

କବିସୂର୍ଯ୍ୟନଗର,(ବି.ବି.ନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି । ସୀମା ପାରହୋଇଗଲା ବାପାଙ୍କ ମାଡ଼ । ଅସହ୍ୟ ହେଲା ଯନ୍ତ୍ରଣା । ଶେଷରେ ବାଧ୍ୟ ହୋଇ ଜୀବନ ହାରିଲେ ଦୁଇ ଭଉଣୀ । ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି ଗତକାଲି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମରେ । ଘରେ ବିଷ ପିଇ ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି । ମୃତକ ଦୁଇ ଭଉଣୀ ହେଲେ ଦୀପା ଭୂୟାଁ ( ୧୭) ଓ ଜିତା ଭୂୟାଁ (୧୧) । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଆଇଆଇସି ତପନ ପତି ।
ପଦ୍ମନାଭ ୨୨ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ଢ଼ିଙ୍କିଶାଳ ଗ୍ରାମର ରୀତା ଭୂୟାଁକୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଦୀପା, ଜିତା ଓ ଗୋଟିଏ ପୁଅ । କୌଣସି କାରଣରୁ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ପଦ୍ମନାଭ ୩ ବର୍ଷ ତଳେ ଦ୍ୱିତୀୟ ବିବାହ କରିଛନ୍ତି । ସେ ଦାଦନ ଖଟିବାକୁ ପ୍ରାୟ ବାହାର ରାଜ୍ୟକୁ ଯାଇଥାନ୍ତି । ଆସିବା ପରେ ମଦ ପିଇ ଘରେ ପାଟିତୁଣ୍ଡ ମାର୍ପିଟ୍ କରିଥାଏ । ଦୀପା ୯ମ ଶ୍ରେଣୀ ପଢ଼ି ଥିବାବେଳେ ବସ୍ତାନୀରେ ଡୋର ବାନ୍ଧି ଗାଁରେ ଥିବା ଏକ ମିକ୍ସଚର୍ କମ୍ପାନୀରେ କାମ କରି ଦି ପିଇସା ରୋଜଗାର କରୁଥିଲା । ସେହିପରି ଜିତା ୫ମ ଶ୍ରେଣୀ ଗାଁ ସ୍କୁଲରେ ପାଠପଢ଼େ । କିଛି ଦିନ ତଳେ ପଦ୍ମନାଭ ସୁରଟ୍ରୁ ଗାଁକୁ ଫେରିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଦପିଇ ଘରେ ମାରପିଟ୍ କରିନ୍ତି । ଗାଁରେ ସଭା କରି ଶାନ୍ତିରେ ରହିବାକୁ ପଦ୍ମନାଥକୁ ଗ୍ରାମବାସୀ ବୁଝାସୁଝା କରିଥିଲେ । ଗତକାଲି ସନ୍ଧ୍ୟାରେ ଘରେ କେବଳ ମାଆ ଥିବା ସମୟରେ ମୂଷା ମରା ଔଷଧ ଆଣି ଦୁଇ ଭଉଣୀ ପିଇ ଦେଇଥିଲେ । କିଛି ସମୟ ପରେ ଗ୍ରାମବାସୀ ଜାଣି ପାରି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଜିତାର ମୃତ୍ୟୁ ହୋଇଥିବାବେଳେ ଦୀପାକୁ ବ୍ରହ୍ମପୁର ଏମ୍କେସିଜି ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ମଧ୍ୟ ତାର ମୃତ୍ୟୁହୋଇଥିବା ଜଣାପଡ଼ିଛି । ଆଇଆଇସି ତପନ ପତି ପଦ୍ମନାଭକୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା କେସ୍ ନଂ ୭/୧୯ରେ ରୁଜୁ କରିଛି । ତଦନ୍ତକାରୀ ଅଫିସର ଏସ୍ଏନ୍ ପଟ୍ଟନାୟକ ଜିତାର ମୃତଦେହ ଆସିକା ଓ ଦୀପାର ମୃତଦେହ ବ୍ରହ୍ମପୁର ବ୍ୟବଚ୍ଛେଦ ପଠାଯାଇଥିବାବେଳେ ରିପୋର୍ଟ ଆସିବାପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି । ସରପଞ୍ଚ କୁମର ଜେନା ଓ ଗ୍ରାମବାସୀ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons