ଆଉ ନାହାନ୍ତି ବିପ୍ଳବୀ କବି ରବି ସିଂ

Get real time updates directly on you device, subscribe now.

କଟକ: ବିପ୍ଳବି କବି ରବି ସିଂ ଆଉ ନାହାନ୍ତି। ୮୯ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ବାର୍ଦ୍ଧ୍ୟକ ଜନିତ ରୋଗ ପୀଡିତ ଥିଲେ। ଶେଷରେ କଟକ ଖପୁରିଆ ସ୍ଥିତ ତାଙ୍କ ନିଜସ୍ୱ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିପ୍ଳବି କବି। ଏଥି ସହିତ ଓଡ଼ିଆ ସାହିତ୍ୟରୁ ନିରବି ଯାଇଛି ଏକ ଶାଣିତ ସ୍ୱର। ତାଙ୍କର ମୃତ୍ୟୁରେ ସାହତ୍ୟିକ ମହଲରେ ଶୋକର ଲହରୀ ଖେଳି ଯାଇଛି।
କବି ରବି ସିଂ ଖାଲି ଜଣେ ବିପ୍ଳବି କବି ନ ଥିଲେ, ଥିଲେ ଜଣେ ସାମ୍ୟବାଦୀ ନେତା। ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା ୧୯୫୫ ମସିହା ପରେ । ତାଙ୍କ ଲେଖନୀରୁ ଝରୁଥିଲା ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ସ୍ୱର। ସବୁ କବିତାରେ ସ୍ପଷ୍ଟ ବାରି ହୋଇପଡ଼େ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ଭାଷା । ଶବ୍ଦ ଓ ଛନ୍ଦର ସଂଯୋଜନା ମଧ୍ୟ ଅନନ୍ୟ। ତାଙ୍କ ଲିଖିତ ପଥପ୍ରାନ୍ତର କବିତା , ଚରମ ପତ୍ର, ଲାଲ ପଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା , ଭୃକୁଟି, ବିଦୀର୍ଣ୍ଣ ଆଦି ଏବେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବି କରେ।
ସେତିକି ନୁହେଁ, ଅନୁବାଦ ସାହିତ୍ୟରେ ମଧ୍ୟ ସେ ଧୂରୀଣ । ବହୁ ଋଷିୟ ସାହିତ୍ୟକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି। ଅନୁବାଦ ସାହିତ୍ୟ ଦକ୍ଷତା ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଅନ୍ଧକାରର ସଙ୍ଗୀତ, ବିରସ କଷଣି, ନାୟକ ଆମ ସମୟର, ବୋତଲ ଭୂତ ଆଦି ତାଙ୍କ ଦ୍ୱାରା ଅନୁବାଦିତ ହୋଇଥିଲା।
ସେ ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଛନ୍ତି । ଓଡ଼ିଆ ସାହିତ୍ୟକୁ ଅନନ୍ୟ ଅବଦାନ ପାଇଁ ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons