ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ବିବାଦ ପିଛା ଛାଡୁନି । ଭିଜିଲାନ୍ସ, କ୍ରାଇମ୍ବ୍ରାଞ୍ଚ ପରେ ଏବେ କମିଶନରେଟ୍ ପୁଲିସ୍ ତାଙ୍କ ପଛରେ ପଡିଛି । ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍ ଠକେଇ ମାମଲାରେ ଆକାଶଙ୍କୁ କମିଶନରେଟ୍ ପୁଲିସ୍ ରିମାଣ୍ଡରେ ନେବା ଲାଗି ଯୋଜନା କରୁଛି ବୋଲି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଏଥିନେଇ କୋର୍ଟଙ୍କୁ ନିବେଦନ କରିବାକୁ ପୁଲିସ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି ।
ଆକାଶ ଟାଟା କମ୍ପାନୀର ଏମ୍ଡି ଭାବେ ପରିଚୟ ଦେଇ ସଂସ୍ଥାକୁ ଠକିଥିବା ଅଭିଯୋଗ ଆସିଛି । ଏ ବାବଦରେ ପୁଲିସ ତନାଘନା କରୁଛି । ଟାଟା କମ୍ପାନୀକୁ ଏ ବାବଦରେ ମଧ୍ୟ ସ୍ପଷ୍ଟୀକରଣ ମାଗିଥିଲା ପୁଲିସ୍ । ଏହାର ଉତ୍ତରରେ ଆକାଶ କୌଣସି ସମୟରେ ହେଲେ ବି ଟାଟା କମ୍ପାନୀର କର୍ମଚାରୀ ନଥିଲେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ତଦନ୍ତ ସମୟରେ ଟାଟାକୁ ଏ ବାବଦରେ ପ୍ରଶ୍ନ କରା ଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଆଗକୁ ଆକାଶଙ୍କ ଦସ୍ତଖତ ନମୁନା ଗ୍ରହଣ କରାଯିବ । ଏହାକୁ ଯାଞ୍ଚ କରିବା ଲାଗି ହ୍ୟାଣ୍ଡ୍ରାଇଟିଂ ବୁ୍ୟରୋର ସହାୟତା ନିଆଯିବ ବାଲି ସେ କହିଛନ୍ତି ।
ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍ର ଅଧିକାରୀ ପ୍ରଭାସ ଚୌଧୁରୀ ଗତ ୧ ତାରିଖରେ ଆକାଶ ଠକେଇ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ୍ ମାମଲା ରଜୁ କରି ୨ ତାରିଖ ଦିନ ପହଞ୍ଚିଥିଲା ସ୍କାଏ କିଙ୍ଗ୍ ଅଫିସ୍ରେ । ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଥିଲା । ଏହି ସମୟରେ ଜଣା ପଡ଼ିଥିଲା ଆକାଶ ଟାଟା କମ୍ପାନୀର ଏମ୍ଡି ପରିଚୟ ଦେଇ ଚାର୍ଟର ଫ୍ଲାଇଟ୍ ବୁକ୍ କରୁଥିଲେ । ଏମିତିକି ଟାଟାର ଜାଲ୍ ଲେଟର ପ୍ୟାଡ୍ରେ ସେ ନିଜେ ଚିଠି ଲେଖି ସ୍କାଏ କିଙ୍ଗ୍ କମ୍ପାନୀକୁ ଦେଉଥିଲେ । ଆକାଶ ଏଭଳି ବାରମ୍ବାର କରିଛନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଛି । ଅନ୍ୟ ପଟେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବା ପରେ ତାଙ୍କ ଟଙ୍କା ମାଗିବାରୁ ଧମକ ମଧ୍ୟ ଦେଉଥିଲେ ଆକାଶ । ଏବେ ୬୫ ଲକ୍ଷ ଟଙ୍କା ବାକି ଥିବା ଜଣାପଡିଛି । ଏ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିିସ୍ ତାଙ୍କୁ ରିମାଣ୍ଡରେ ଆଣିବ ।
Comments are closed, but trackbacks and pingbacks are open.