ମୟୁରଭଞ୍ଜ,(ବି.ବି.ନୁ୍ୟଜ): କାରରେ ଯାଉଥିବା ଏକ ପରିବାରକୁ ବନ୍ଧୁକ ଦେଖାଇ ଆକ୍ରମଣ କରି ଦିନ ଦ୍ୱିପ୍ରହରରେ ୫ଲକ୍ଷରୁ ଅଧିକ ମୂଲ୍ୟର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଏକ ସଂଗୀନ ଘଟଣା ଗୁରୁବାର ଦିନ ଗୋଟାଏରୁ ଦେଢଟା ମଧ୍ୟରେ ଘଟିବା ପରେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଭାରବାଡି ଗାଁର ଦୀନକୃଷ୍ଣ ମହାରଣାଙ୍କ ପରିବାର ଗୁରୁବାର ବାରିପଦାରୁ (ଏଚ୍ଆର ୨୬ସି୦୭୯୬୩) ନଂ ବିଶିଷ୍ଟ ଏକ କାରରେ ବାଲିଆପାଳ ଅଭିମୁଖେ ଯାଉଥିଲେ । ତେବେ ଗୁଞ୍ଜୁସାହି ଠାରେ ପରିସ୍ରା କରିବା ପାଇଁ ରାସ୍ତାଧାରରେ କାର ରଖି ଓହ୍ଲାଇଥିବା ବେଳେ ହଠାତ୍ ପଛବଟୁ ୨ଟି ବାଇକ୍ରେ ୪ଜଣ ଲୁଟେରା ଆସି ବନ୍ଧୁକ ମୁନରେ ଦୀନକୃଷ୍ଣଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇଦେବା ସହିତ ସମସ୍ତ ସୁନାଗହଣା ଲୁଟିନେଇ ଥିଲେ । ସମସ୍ତ ଲୁଟେରା ହେଲମେଟ୍ ଓ ମାସ୍କ ପିନ୍ଧିଥିବା ବେଳେ ସେମାନେ ହିନ୍ଦୀ ଓ ବଙ୍ଗଳାରେ କଥାବାର୍ତ୍ତା କରୁଥିଲେ । ତିନିଜଣଙ୍କ ହାତରେ ୩ଟି ବନ୍ଧୁକ ଥିଲା । କାରରେ ଯାଉଥିବା ସମସ୍ତ ସଦସ୍ୟଙ୍କ ପାଖରେ ଯାହାକିଛି ସୁନା ଅଳଙ୍କାର ଥିଲା ପ୍ରାଣବିକଳରେ ଗୋଟି ଗୋଟି କରି କାଢିଦେଇ ଲୁଟେରାଙ୍କ ହାତକୁ ବଢାଇବା ପରେ ଲୁଟେରାମାନେ ସୁନା ଅଳଙ୍କାର ଧରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ଦୁଇଟି ଯାକ ବାଇକ୍ରେ ପଶ୍ଚିମବଙ୍ଗର ନମ୍ବର ପ୍ଲେଟ ଲାଗିଥିବା ଲୁଟର ଶିକାର ହୋଇଥିବା ଦୀନକୃଷ୍ଣଙ୍କ ପରିବାର କହିଛନ୍ତି ।
ଖବର ପାଇ ସଙ୍ଗେ ସଙ୍ଗେ ବାରିପଦା ସଦରଥାନା ଆଇଆଇସି ପ୍ରେମଦା ନାଏକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ସଶସ୍ତ୍ର ଲୁଟ୍ ସଂପର୍କରେ ଦୀନକୃଷ୍ଣ ମାହାନ୍ନାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୁଲିସ ୩/୨୧ରେ ଏକ ମାମଲା ରୁଜୁ କରିବା ସହ ୩୯୪ଆଇପିସି ସହ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ୍ ୨୫/୨୭ ଦଫା ଲଗାଇ ତଦନ୍ତ ଜାରି ରଖିଛି । କିଛିଦିନ ପୂର୍ବରୁ ମଧ୍ୟ ସଦର ଥାନା ଇଲାକାରେ ବନ୍ଧୁକ ମୁନରେ ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବେଳେ ଗୁରୁବାର ସ୍ପଷ୍ଟ ଦିବାଲୋକରେ ରାସ୍ତା ମଝିରେ ଏଭଳି ଲୁଟ୍ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଜନସାଧାରଣ ଭୟ ଓ ଶଙ୍କା ମଧ୍ୟରେ ରହିଛନ୍ତି । ଦିନକୁ ଦିନ ଅପରାଧର ହାର ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଅପରାଧୀଙ୍କ ଚରାଭୂଇଁ ପାଲଟି ଯାଉଥିବାରୁ ପୁଲିସ ଅଧିକ ସକ୍ରିୟ ହୋଇ ଅପରାଧୀଙ୍କୁ ଧରିବାକୁ ଜାଲ ବିଛାଇବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି ।
Comments are closed, but trackbacks and pingbacks are open.