ଆଖି ବୁଜିଲେ ଛାତି ଯୋଡ଼ା ଶିଶୁ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଜନ୍ମର ପ୍ରାୟ ୫ ଦିନ ପରେ ଛାତି ଯୋଡ଼ା ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି । କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ଭର୍ତ୍ତି ହେବା ଦିନଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେବାରେ ଲାଗିଥିଲା । ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଦୁଇ ଶିଶୁ ଆଖି ବୁଜିଛନ୍ତି । ଦୁଇ ଶିଶୁ କନ୍ୟାଙ୍କର ଗୋଟିଏ ହୃତପିଣ୍ଡ, ଗୋଟିଏ ଯକୃତ ଥିବାରୁ ସେମାନଙ୍କ ଚିକିତ୍ସା ନେଇ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା । ଆବଶ୍ୟକ ଚିକିତ୍ସା ସତ୍ତେ୍ୱ ଦୁଇ ଶିଶୁଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇପାରିନାହାନ୍ତି ଡାକ୍ତର ।
ଢେଙ୍କାନାଳର ଖାଲପାଲ ଗାଁର ଜଣେ ମହିଳା ଗତ ୧ ତାରିଖରେ ଏକ ନର୍ସିଂହୋମ୍ରେ ଛାତି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଦୁଇ ଶିଶୁଙ୍କୁ ଶିଶୁଭବନର ଆଡଭାନ୍ସ କେୟାର ରିସର୍ଚ୍ଚ ସେଣ୍ଟର(ଏସିଆରସି)ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସର୍ଜରୀ ବିଭାଗ ବିଶେଷଜ୍ଞ ପ୍ରଫେସର ହିରଣ୍ୟ ମହାନ୍ତିଙ୍କ ୟୁନିଟ୍ରେ ଶିଶୁଙ୍କୁ ଚିକିତ୍ସା କରାଯାଇଥିଲା । ମାତ୍ର ଶିଶୁ ଦ୍ୱୟଙ୍କ ଶରୀରରେ ବହୁ ତ୍ରୁଟି ରହିଥିବାରୁ ପ୍ରତିଦିନ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେଇଥିଲା । ଏପରିକି ଯାଞ୍ଚ ପରେ ଜଣାପଡ଼ିଥିଲା କି ଦୁଇ ଶିଶୁଙ୍କର ଗୋଟିଏ ହୃତ୍ପିଣ୍ଡ ରହିଛି । ତେଣୁ ଶିଶୁ ଦ୍ୱୟଙ୍କର ବଞ୍ଚିବା ନେଇ ଡାକ୍ତରମାନେ ପୂର୍ବରୁ ଆଶା ଆଶଙ୍କାରେ ରହିଥିଲେ । ଏହି କ୍ରମରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ଶିଶୁଦ୍ୱୟଙ୍କ ହୃତ୍ପିଣ୍ଡ ବନ୍ଦ ହୋଇଯାଇଥିଲା । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ୍ ଅଧୀକ୍ଷକ ଡା. ସରୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ଦୁଇ ବର୍ଷ ପୂର୍ବ ନୟାଗଡ଼ ଅଞ୍ଚଳର ଛାତି ଯୋଡ଼ା ଶିଶୁ ପୁତ୍ରଙ୍କର ମଧ୍ୟ ଶିଶୁ ଭବନରେ ଚିକିତ୍ସାଧୀନ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons