ଆଜି ଘୋଷଯାତ୍ରା: ସିଂହଦ୍ୱାରେ ତିନି ରଥ

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଘୋଷଯାତ୍ରା କରିବେ । ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ଶରଧାବାଲି ଜନ୍ମବେଦିକୁ ବିଜେ କରିବେ । ବୁଧବାର ପୂର୍ବାହ୍ନରେ ରଥଖଳାକୁ ଶ୍ରୀଜିଉଙ୍କଠାରୁ ଘୋଷଯାତ୍ରାର ଡାକରା ଆସିଥିଲା । ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ୱାର ପହଞ୍ଚିଛନ୍ତି । ଆଉ କିଛି ଘଣ୍ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ରଥାରୂଢ ବିଗ୍ରହଙ୍କ ଦର୍ଶନ କରି ଭକ୍ତର ମୋକ୍ଷ ପ୍ରାପ୍ତି ହେବ । ଦୁଲୁକିବ ଶ୍ରୀକ୍ଷେତ୍ର, ତିନି ରଥ ଗଡ଼ିଯିବ ଗୁଣ୍ଡିଚା ମନ୍ଦିରକୁ । ଭକ୍ତଙ୍କୁ ବିମୋହିତ କରିବେ ରଥାରୂଢ ବଡ଼ଠାକୁର ପ୍ରଭୁ ବଳଦେବ, ମା’ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ । ଘୋଷଯାତ୍ରା ବେଳେ ‘ରଥ କହିବ ମୁଁ ଦେବତା, ପଥ କହିବ ମୁଁ ଦେବତା’ । ଏହି ଦୁର୍ଲ୍ଲଭ ଦୃଶ୍ୟ ଦର୍ଶନ ପାଇଁ ଭକ୍ତ ଚାତକ ଭଳି ଚାହିଁ ବସିଛି ।
ଆଉ କିଛିସମୟ ପରେ ବଡ଼ଦେଉଳ ଭିତରୁ ବିଜେ କାହାଳି ବାଜିବ । ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରଥାରୂଢ଼ ହେବେ । ଡାହୁକ ବୋଲି ପଡ଼ିବ । ତିନି ରଥ ବଡ଼ଦାଣ୍ଡରେ ଗଡ଼ିଯିବ । ପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିଛନ୍ତି । ମହାପ୍ରଭୁଙ୍କ ସ୍ପର୍ଶ ଲାଭ ପାଇଁ ରଥ ଆଉ ପଥ ବି ପ୍ରତୀକ୍ଷାରତ । ଭକ୍ତ-ମହାପ୍ରଭୁଙ୍କ ଅପୂର୍ବ ମିଳନ ହେବ । ବଡ଼ଦାଣ୍ଡରେ ବିଶାଳ ଭକ୍ତ ସମାବେଶ । ଅପେକ୍ଷାର ବେଳ ସରି ସରି ଆସୁଛି । ଭକ୍ତ ମନରେ ଚଞ୍ଚଳତା । ବିଜେ କାହାଳିକୁ ଶୁଣିବାକୁ ତିନି ରଥ ସିଂହଦ୍ୱାରରେ କାନେଇ ରହିଛନ୍ତି ।ବଡ଼ଠାକୁର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥଙ୍କ ସହ ପ୍ରଭୁ ଶ୍ରୀସୁଦର୍ଶନ, ମଦନମୋହନ, ପ୍ରଭୁ ରାମକୃଷ୍ଣ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ।
ଅଗ୍ରଜ ବଡ଼ଠାକୁରଙ୍କ ପଛେ ପଛେ ଭଉଣୀ ସୁଭଦ୍ରା, ଆଉ ଭ୍ରାତା ଶ୍ରୀଜଗନ୍ନାଥ ରଥ ଯାତ୍ରା କରିବେ । ଭାବ ବିନୋଦିଆ ଠାକୁରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେବେ । ସାତପାହାଚରେ ଟାହିଆ ବାନ୍ଧିବେ । ବାଇଶି ପାହାଚରୁ ଓହ୍ଲାଇବା ବେଳେ, ରଥ ଉପରକୁ ଉଠିଲା ବେଳେ ଅଝଟ କରିବେ- ଏହି ଦୃଶ୍ୟ ଦେଖିବାକୁ ଭକ୍ତ ବ୍ୟାକୁଳ । ଜାତି,ଧର୍ମ ନିର୍ବିଶେଷରେ ଭକ୍ତଙ୍କ ମେଳରେ ତିନି ରଥ ବଡ଼ଦାଣ୍ଡ ହୋଇ ଗଡ଼ିଯିବ ଶରଧାବାଲି । ଦାରୁବ୍ରହ୍ମଙ୍କ ଘୋଷଯାତ୍ରାର ଆଉ ଏକ ଅଧ୍ୟାୟ ଇତିହାସ ପୃଷ୍ଠାରେ ଯୋଡ଼ିହେବ ।
ବୁଧଠାରୁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଜମିଲାଣି । ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ନିର୍ଘୋଷ ଶୁଭିଲାଣି । ଭକ୍ତଙ୍କ ଭକ୍ତି ନିବେଦନର ତାଳେତାଳେ ଦାରୁ ଦେବତା ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ । ବଡ଼ଦାଣ୍ଡରେ ଭକ୍ତଙ୍କ ଗଣସମୁଦ୍ରରେ ମିଶି ଯିବେ ଦାରୁବ୍ରହ୍ମ । ସର୍ବଧର୍ମ ସମନ୍ୱୟ ଧର୍ମ ଭାବନାକୁ ମହାପ୍ରଭୁ ପୁଣି ଥରେ ପ୍ରତିପାଦିତ କରିବେ । ଅଗଣିତ ଦର୍ଶନାର୍ଥୀ କୃତ୍ୟକୃତ୍ୟ ହୋଇଯିବେ । ପ୍ରଭୁଙ୍କ ଆଗମନରେ ସିଂହଦ୍ୱାର, ବଡ଼ଦାଣ୍ଡ, ଶରଧାବାଲି, ଆଉ ତିନି ରଥ ଧନ୍ୟ ହୋଇଯିବେ ।
ଘୋଷଯାତ୍ରାର ଅନ୍ତିମ ପ୍ରସ୍ତୁତି ଶେଷ ହୋଇଛି । ତିନି ରଥ ସଜା ହୋଇ ସିଂହଦ୍ୱାରରେ ଠିଆ ହୋଇଛନ୍ତି । ଦଶ ହଜାରରୁ ଅଧିକ ଆରକ୍ଷୀ ବାହିନୀ ରଥଯାତ୍ରାର ସଜାଗ ପ୍ରହରୀ ସାଜିଛନ୍ତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ପୂର୍ବରୁ ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ କରିବାକୁ ଦଇତାପତି ଅଣ୍ଟା ଭିଡ଼ିଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ଦଇତାପତି ମହାପ୍ରଭୁଙ୍କ ବାହୁଟ କଣ୍ଟ ନୀତି ଶେଷ କରିଛନ୍ତି । ଏହା ପରେ ଭୋର ୬ଟାର ପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ବଢ଼ିବ । ତା ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସରି ପ୍ରଭୁଙ୍କ ବେଶ ବଢ଼ିବା ପରେ ବଲ୍ଲଭ, ସକାଳ ଧୂପ ନୀତି ସରି ପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହେବ ।
ପରମ୍ପରା ମୁତାବକ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ରଥ ଦର୍ଶନ, ପୂଜାର୍ଚ୍ଚନା କରିବେ ବୋଲି ସୂଚନା ଦେଇଛନ୍ତି । ତା ପରେ ପରେ ତିନି ରଥରେ ଗଜପତି ମହାରାଜାଙ୍କ ରାଜନୀତି, ଛେରାପହଁରା ବିଧି ଶେଷ ହେବ । ଏହି ବିଧି ଶେଷ ହେବା କ୍ଷଣି ଗୋଟି ଗୋଟି କରି ତିନି ରଥର ଚାରମାଳ ଫିଟା ଯିବ । ଏହା ପରେ ପରେ ରଥଟଣା ବିଧି ମୁତାବକ ଘୋଡ଼ା ବନ୍ଧାଯିବ । ପାଗ ଅନୁକୂଳ ରହିଲେ ରଥଯାତ୍ରାରେ ଦର୍ଶନାର୍ଥୀଙ୍କ ସଂଖ୍ୟା ଦଶ ଲକ୍ଷ ଟପି ଯିବ ବୋଲି ପୁଲିସ ପ୍ରଶାସନ ଆକଳନ କରିଛି । ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons