ଆଜି ପାଟକୁରା ଭୋଟ

Get real time updates directly on you device, subscribe now.

ପାଟକୁରା,(ବି.ବି.ନ୍ୟୁଜ୍): ଆସନ୍ତାକାଲି (ଶନିବାର) ପାଟକୁରା ଆସନ ପାଇଁ ହେବ ମତଦାନ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ସମେତ ମଇଦାନରେ ଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପତିଆରା ଓ ସମ୍ମାନର ମହାଲଢ଼େଇ କୁହାଯାଉଥିବା ଏହି ନିର୍ବାଚନରେ ଭୋଟର୍ କାହା ଉପରେ କେତେ ଭରସା ରଖୁଛନ୍ତି ତାହା ଜଣାପଡ଼ିବ ଗଣତି ପରେ ।
ତେବେ ଗଲା ଏପ୍ରିଲ ୨୯ ତାରିଖରେ ସାଂସଦ ପାଇଁ ମତଦାନ ବେଳେ ଯେଉଁଭଳି ଭାବେ ଶତାଧିକ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ମେସିନ୍ରେ ତ୍ରୁଟି ଦେଖାଦେଇଥିଲା ସେଥିପ୍ରତି ଏଥର ସତର୍କ ନଜର ରଖିଛି ପ୍ରଶାସନ । ଏଥର ସେମିତି ହେବନି, ଯଦି ବି କୌଣସି ସ୍ଥାନରେ ଏଭଳି ଅଭିଯୋଗ ଆସେ ତା’ ହେଲେ ତକ୍ରାଳ ସମାଧାନ କରିବା ଲାଗି ପୂରା ଟିମ୍ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଡେପୁଟି କଲେକ୍ଟର(ନିର୍ବାଚନ) ସମ୍ୱିତ ଶତପଥୀ । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ପାଟକୁରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ମୋଟ ୩୦୯ଟି ବୁଥ୍ରେ ୨ ଲକ୍ଷ ୪୪ ହଜାର ୫୯୯ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୭ ହଜାର ୪୩୧ ପୁରୁଷ ଭୋଟର୍, ୧ଲକ୍ଷ ୧୭ ହଜାର ୩୦୬ ମହିଳା ଭୋଟର ଓ ୧୦ ଜଣ କିନ୍ନର ଭୋଟର । ୩୦୯ଟି ବୁଥ୍ ପାଇଁ ୩୦୯ ଜଣ ବୁଥ୍ ଲେବଲ୍ ଅଫିସର, ୩୧ ଜଣ ସୁପରଭାଇଜର, ୩୧ ଜଣ ସେକ୍ଟର ଅଫିସର, ସେକ୍ଟର ପୁଲିସ ଅଫିସର ନିଯୁକ୍ତି ପାଇଛନ୍ତି । ୬ ଜଣ ଜୋନାଲ୍ ଅଫିସର, ୨ ଏଆର୍ଓ ବି ନିଯୁକ୍ତି ପାଇଛନ୍ତି । ଭିନ୍ନକ୍ଷମ ଭୋଟରଙ୍କ ନିମନ୍ତେ ସ୍ୱତନ୍ତ୍ର ର‌୍ୟାମ୍ପ୍ ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଏଥର ନିର୍ବାଚନରେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ, ବିଜେପିରୁ ବିଜୟ ମହାପାତ୍ର, କଂଗ୍ରେସରୁ ଜୟନ୍ତ ମହାନ୍ତି, ସମାଜବାଦୀ ପାର୍ଟରୁ ପ୍ରଦୀପ କୁମାର ମିଶ୍ର, କୃପା ପାର୍ଟିରୁ ଶ୍ରୀକାନ୍ତ ସାମଲ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ରତିକାନ୍ତ କାନୁନ୍ଗୋ, ପରମାନନ୍ଦ ମହାରଣା, ଦିବ୍ୟସିଂହ ଦାସ, ପ୍ରଫୁଲ୍ଲ ବେହେରା, ସଞ୍ଜୟ କୁମାର ସ୍ୱାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମଇଦାନରେ ୧୦ ପ୍ରାର୍ଥୀ ଥିଲେ ବି କଡ଼ା ଟକ୍କର ହେଉଛି ବିଜେଡିର ସାବିତ୍ରୀ ଅଗ୍ରୱାଲ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ । ପାଟକୁରାର ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ନିର୍ବାଚନ ଏପ୍ରିଲ୍ ୨୯ରେ ସ୍ଥଗିତ ହୋଇ ପ୍ରଥମେ ମେ’ ୧୯କୁ ଘୁଞ୍ଚିଥିଲା । ପରେ ପୁଣି ପ୍ରଳୟଙ୍କରୀ ଫୋନି ବାତ୍ୟା ଯୋଗୁଁ ମେ’ ୧୯ରୁ ଏହାକୁ ଘୁଞ୍ଚାଇ ଦେଇଥିଲେ ନିର୍ବାଚନ କମିଶନ । ମତଦାନ ଲାଗି ପୁଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩୦୯ଟି ବୁଥ୍ରେ ଆନୁସଙ୍ଗିକ ସୁରକ୍ଷା ଲାଗି ମୋଟ ୬୫ ପ୍ଲାଟୁନ୍ ପୁଲିସ ଫୋର୍ସ, ୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଛନ୍ତି । ଏହା ବାଦ୍ ୩ ଜଣ ଏଏସ୍ପି, ୬ ଜଣ ଡିଏସ୍ପି, ୧୦ ଆଇଆଇସି, ୯୮ ଜଣ ଏସ୍ଆଇ/ଏଏସ୍ଆଇ, ୬୦ ହୋମ୍ଗାର୍ଡ, ୯୦ କନଷ୍ଟେବଳ, ୩୦ଟି ମୋବାଇଲ୍ ପାଟ୍ରୋଲିଂ ଟିମ୍, ୪ଟି ମୋଟର ସାଇକେଲ୍ ପାଟ୍ରୋଲିଂ ଟିମ୍ ମୁତୟନ ରହିବେ । ଏତଦ୍ ଭିନ୍ନ ଜୋନ୍, ସେକ୍ଟର ୱାରୀ ବଣ୍ଟାଯାଇ ଅଫିସର ନିଯୁକ୍ତ କରାଯାଇଛି । ୬ଟି ଜୋନ୍ରେ ଥିବା ୯ଟି ସେକ୍ଟରରେ ବାଣ୍ଟି ହୋଇ ଦାୟିତ୍ୱ ତୁଲାଇବେ ପୁଲିସ ଅଧିକାରୀ । ୩ ନୋଡାଲ୍ କେନ୍ଦ୍ରରେ ପ୍ରତି କେନ୍ଦ୍ର ପିଛା ଜଣେ ଅତିରିକ୍ତ ଏସ୍ପି ର‌୍ୟାଙ୍କ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ପୁଣି କେନ୍ଦ୍ରାପଡ଼ା ଜିଲ୍ଲାର କେବଳ ପାଟକୁରା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେଉଥିବାରୁ ପରିଚାଳନାରେ ସୁବିଧା ଦୃଷ୍ଟିରୁ ଏଠାରେ ୧୨ଟି ବର୍ଡର ରୁଟିଂ ପଏଣ୍ଟ ହୋଇଛି । ପ୍ରତି ବୁଥ୍ରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୫ ଜଣ କର୍ମଚାରୀ, ଅଧ ସେକ୍ସନ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରଶାସନ ତରଫରୁ ୬ ଜଣ ଜୋନାଲ୍ ଅଫିସର, ୨ ଏଆର୍ଓ ବି ନିଯୁକ୍ତି ପାଇଛନ୍ତି । ୩୦୦ରୁ ଅଧିକ ଅଧିକାରୀ, କର୍ମଚାରୀ ମୁତୟନ ଅଛନ୍ତି ନିର୍ବାଚନ ପରିଚାଳନାରେ । ସେହିପରି ୧୩୮ଟି ସମ୍ୱେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖିଛି ପୁଲିସ । ସେଥିରୁ ୬୦ଟି ଅତି ସମ୍ୱେଦନଶୀଳ ବୁଥ୍ ରହିଥିବା କୁହାଯାଉଛି । ସେହିପରି ପ୍ରଶାସନ ପକ୍ଷରୁ ୨୫ଟି ଆଦର୍ଶ ବୁଥ୍ କରାଯାଇଛି । ଯେଉଁଥିରୁ ୧୦ଟି ଲେଖାଏଁ ଡେରାବିଶ ଓ ଗରଦପୁରରେ ଥିବା ବେଳେ ମାର୍ଶାଘାଇରେ ରହିଛି ୫ଟି । କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons