
ପୁରୀ,(ବି.ବି.ନ୍ୟୁଜ୍): ମଙ୍ଗଳବାର ଦିନ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବ । ଅପରାହ୍ନରେ ମହାପ୍ରଭୁଙ୍କ ନବଯୌବନ ପ୍ରାପ୍ତି ହେବା ପରେ ଭକ୍ତଙ୍କୁ ଅଣସର ପିଣ୍ଡିରେ ଦର୍ଶନ ଦେବେ । ଦର୍ଶନ ବେଳେ ଠାକୁର ସ୍ପର୍ଶ ବାରଣ କରାଯାଇଛି ।
ଚଳିତ ବର୍ଷ ଅଣସର ନୀତି ସଂପାଦନ ପାଇଁ ଗୋଟିଏ ଦିନ କମିଯାଇଛି । ସମୟ ଅଭାବ କାରଣରୁ ନୀତି ବିଳମ୍ବରେ ଚାଲିଛି । ତଦ୍ଦ୍ୱାରା ନବଯୌବନ ଦର୍ଶନ ଅପରାହ୍ନ ସାଢ଼େ ଦୁଇଟା ସୁଦ୍ଧା ଆରମ୍ଭ ନହେବାର ଆଶଙ୍କା ଦେଖାଦେଇଛି । ଏହାବ୍ୟତୀତ ପୁରୀରେ ସୋମବାର ସନ୍ଧ୍ୟାରୁ ବର୍ଷା ଲାଗିରହିଛି । ଏହି କାରଣରୁ ନବଯୌବନ ଦର୍ଶନାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇପାରେ ।
ସୋମବାର ସନ୍ଧ୍ୟା ଅଣସର ନୀତିିକୁ ଦେଖିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି । ଏହା ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପ୍ରସ୍ତୁତି ଆରମ୍ଭ ହେବ ।
ମଙ୍ଗଳବାର ଭୋରରୁ ( ସୋମବାର ବିଳମ୍ବିତ ରାତିରେ)ଖଡ଼ି ଲାଗି ନିମନ୍ତେ ଦତ୍ତମହାପାତ୍ର ସେବକ ପ୍ରବେଶ କରିବେ । ଖଡ଼ି ଲାଗି ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗ।।ର ନୀତି କରିବେ । ଶ୍ରୀମୁଖ ସିଙ୍ଗାର ପରେ ଦତ୍ତମହାପାତ୍ର ଖଡି ପ୍ରସାଦ ଶ୍ରୀନଅରକୁ ବିଜେ କରାଇବେ । ତା ପରେ ମହାପ୍ରଭୁଙ୍କ ନବଯୌବନ ପ୍ରାପ୍ତି ହେବ । ଭକ୍ତଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ମିଳିବ ।
ଚଳିତ ବର୍ଷ ଉଭା ପଡିଥିବାରୁ ଅଣସର ନୀତିକୁ ଦଇତାପତି ଗୋଟିଏ ଦିନ କମ ପାଇଛନ୍ତି । ନବଯୌବନ ପ୍ରାପ୍ତିର ଗୋପନ ନୀତି ସଞ୍ଚାଳନରେ ଚାପ ପଡିଛି । ଏହି କାରଣରୁ ଦର୍ଶନ ପ୍ରକ୍ରିୟା ଏକ ଘଣ୍ଟାରୁ ଦେଢ଼ ଘଣ୍ଟା ବିଳମ୍ବ ହେବାର ଆଶଙ୍କା କରାଯାଉଛି । ସୋମବାର ସନ୍ଧ୍ୟା ସୁଦ୍ଧା ଶୁଦ୍ଧ ସୁଆରଙ୍କ ବାସଭବନରୁ ଆସିଥିବା ଖଳି ପ୍ରୟୋଗ ଏବଂ ଉଦର ଓଦା ନୀତି ଶେଷ ହୋଇଥିଲା । ଏହା ପରେ ମହାପ୍ରଭୁଙ୍କ ଶ୍ରୀପୟର ମୁଦା ଗୋପନ ନୀତି ସରିବା ବେଳକୁ ବିଳମ୍ବିତ ରାତି ହୋଇଥିଲା । ଗତକାଲିଠାରୁ ମହାପ୍ରଭୁ ଉପାସରେ ଥିଲେ । ଶ୍ରୀପୟର ମୁଦା ଗୁପ୍ତ ନୀତି ଶେଷ ହେବା ପରେ ଭୋଗ ଲାଗି ହୋଇଥିଲା ।
ପ୍ରଶାସନର ନୀତି ନିର୍ଘଣ୍ଟ ମୁତାବକ ଜୁଲାଇ ୨ ତାରିଖ ସକାଳ ୯ଟାରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଇବେ ଦତ୍ତମହାପାତ୍ର । ଏହା ପରେ ପ୍ରଭୁଙ୍କ ଶ୍ରୀମୁଖ ସିଂହାର ଆରମ୍ଭ ହୋଇ ମଧ୍ୟାହ୍ନ ସୁଦ୍ଧା ଶେଷ କରାଯିବ । ପୂର୍ବାହ୍ନ ସାଢ଼େ ନଅଟା ସୁଦ୍ଧା ସୁଦର୍ଶନ ଦେବଙ୍କ ବୁଣାଟ ନୀତି ସମ୍ପନ୍ନ କରାଯିବ । ଏହା ପରେ ପ୍ରଭୁଙ୍କ ଚକା ଅପସର ବଢ଼ିବ । ତା ପରେ ମଙ୍ଗଳ ଆଳତି ସରି ଅପରାହ୍ନ ୧୨ଟା ୪୦ମିନିଟରେ ଠାକୁରଙ୍କ ମଇଲମ, ଅବକାଶ ନୀତି ଶେଷ ହେବା ପରେ ଦଶ ଅବତାର ପଟ୍ଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ଶେଷ କରାଯିବ । ପଟ୍ଟି ଦିଅଁ ଫେରିବା ପରେ ଅପରାହ୍ନ ଦୁଇଟାରେ ଅଣସର ତାଟି ଫିଟିବା ଏହା ପରେ ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ଆରମ୍ଭ ହେବ । ଅପରାହ୍ନ ଅଢ଼େଇଟାରେ ପରିମାଣିକ ଦର୍ଶନ ଚାଲିବ । ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଦର୍ଶନାର୍ଥୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ପ୍ରବେଶ କରିବେ । ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ସମୟ ନିର୍ଦ୍ଧାରଣ ହୋଇଛି । ତା ପରେ ଆଉ ଏକ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ ସାଧାରଣ ଦର୍ଶନାର୍ଥୀ । ସାଢ଼େ ତିନିଟାରୁ ମହାପ୍ରଭଙ୍କୁ ଏକ ଘଣ୍ଟା ଧରି ସାଧାରଣ ଦର୍ଶନାର୍ଥୀ ଦର୍ଶନ କରିବେ । ସାଧାରଣ ଦର୍ଶନାର୍ଥୀ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ପ୍ରବେଶ କରିବେ । ଭିତର କାଠ ନିକଟରୁ ଠାକୁରଙ୍କ ନବଯୌବନ ଦର୍ଶନ ହେବ । କୌଣସି ପରିସ୍ଥିତିରେ ଶ୍ରୀବିଗ୍ରହଙ୍କୁ ଦର୍ଶନାର୍ଥୀ ସ୍ପର୍ଶ କରି ପାରିବେ ନାହିଁ । ଦର୍ଶନ ସରିବା ପରେ ଧୂଆହୋଇ ଚୂନ ପଡିବ । ଏହା ପରେ ଦଇତାପତି ସର୍ବାଙ୍ଗ ଆଉ ବନ୍ଦାପନା ନୀତି ସାରିବେ । ସନ୍ଧ୍ୟା ସାଢ଼େ ଛଅଟାରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ନୀତି ସମ୍ପାଦିତ ହେବ । ଏହା ପରେ ପୁଣି ଥରେ ଦତ୍ତମହାପାତ୍ର ସେବକ ଶ୍ରୀମୁଖ ସିଙ୍ଗାର କରିବେ ।
Comments are closed, but trackbacks and pingbacks are open.