ଆମ୍ଫାନ ପାଇଁ ଆଲର୍ଟ:୧୮-୧୯ ପ୍ରବଳ ବର୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦ ତାରିଖରେ ଉତ୍ତର ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହୋଇପାରେ । ଏପରିକି ବାତ୍ୟା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଛୁଇଁବା ସମ୍ଭାବନା ମଧ୍ୟ ଅଛି । ଚିତ୍ର ଏଯାଏଁ ଅସ୍ପଷ୍ଟ ଥିଲେ ମଧ୍ୟ ଉପକୂଳ ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି । ୧୮ରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୧୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୬୫-୭୫ କିମି ବେଗରେ ପବନ ମାଡ଼ ହେବ ଉପକୂଳରେ । ପବନର ଧକ୍କା ୮୫ କିମି ପର୍ଯ୍ୟନ୍ତ ରହିପାରେ ।
ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୂରା ସଜାଗ ହୋଇ ପଡ଼ିଛନ୍ତି । ୧୨ ଜିଲ୍ଲାକୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଜାରି ହୋଇଛି । ଉତ୍ତର ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଉପରେ ଅଧିକ ବିପଦ ସମ୍ଭାବନା ଥିବାରୁ ଏହା ଉପରେ ଅଧିକ ନଜର ରଖାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଦେ୍ର୍ଧଶ ଦେଇଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଶ୍ରୀ ତ୍ରିପାଠୀ କହିଛନ୍ତି, ପାଣିପାଗର ପୂର୍ବାନୁମାନ, ସମ୍ଭାବ୍ୟ ବାତ୍ୟାର ଗତିପଥ ଯାହା ବି ହେଉ, ଆମକୁ ପୂରା ସଜାଗ ରହିବାକୁ ପଡ଼ିବ । ଏପରିକି ଖରାପରୁ ଅତି ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପାଣିପାଗ ବିଭାଗ (ଆଇଏମଡି) କହିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହେଉଛି । ଏହା ଆଜି ରାତିରେ ଅବପାତ (ଡିପ୍ରେସନ୍) ହେବ । ଶନିବାର ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ । ଏହାର ନାଁ ହେବ ଆମ୍ପାନ । ୧୭ ତାରିଖ ପର୍ଯ୍ୟନ୍ତ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ଏହା ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ବୁଲି ଉତ୍ତର ବଙ୍ଗୋପସାଗରକୁ ଗତି କରିବ । ୧୯ ତାରିଖରେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ଅଧିକ ପାଖରେ ରହିବ । ୨୦ରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ପାଖାପାଖି ରହିବା ସମ୍ଭାବନା ଅଛି ।
ଏହା ପ୍ରଭାବରେ ୧୮ ଓ ୧୯ରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା, ପବନ ହେବ । ୧୮ରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହା ସହ ୪୫ରୁ ୬୫ କିମି ପବନ ବହିପାରେ । ୧୯ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ୬୦-୮୫ କିମି ଯାଏଁ ପବନ ମାଡ଼ ହୋଇପାରେ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରି ଆସିବାକୁ କୁହାଯାଇଛି ।
ଶନିବାର ସକାଳ ସୁଦ୍ଧା ଭୀଷଣ ଅବପାତ ହେବ । ସନ୍ଧ୍ୟାକୁ ଏହା ବାତ୍ୟା ରୂପ ନେବ । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଶକ୍ତିଶାଳୀ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ୧୯ ତାରିଖ ରାତିରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଖୁବ ପାଖରେ ଥିବ । ୨୦ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ମଝିରେ କିମ୍ବା ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
୧୮ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ଗଞ୍ଜାମ, ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୧୯ରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୦ରେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝରରେ ୧୯ ଓ ୨୦ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ତେବେ ୧୯ ରାତିରୁ ୨୦ ତାରିଖ ରାତି ପର୍ଯ୍ୟନ୍ତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ପବନ ମାଡ଼ ହୋଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons