ଆର୍ମି ଡେଣ୍ଟାଲ ସର୍ଭିସ୍ ଡିଜି ପଦରେ ପ୍ରଥମ ଓଡ଼ିଆ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କେନ୍ଦ୍ରର ପ୍ରଶାସନିକ ତଥା ସାମ୍ବିଧାନିକ ପଦ ପରେ ଏବେ ସାମରିକ ବାହିନୀର ଏକ ପ୍ରମୁଖ ପଦରେ ଓଡ଼ିଆ ସେନା ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଡାଇରେକ୍ଟର ଜେନେରାଲ୍ (ଡିଜି) ଡେଣ୍ଟାଲ୍ ସର୍ଭିସ୍ ଓ ଆର୍ମି ଡେଣ୍ଟାଲ୍ ବାହିନୀର କର୍ଣ୍ଣଲ କମାଣ୍ଡେଣ୍ଟ ଭାବେ ଲୁ୍ୟଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କୁ ନିଯୁକ୍ତି ମିଳିଛି । ଗତ ଅକ୍ଟୋବର ୧୨ରେ ସେ ନିଜର ନୂଆ ପଦବିରେ ଯୋଗ ଦେଇଛନ୍ତି । ‘ଦେଶ ପ୍ରଥମ’ ନୀତିକୁ ସର୍ବାଗ୍ରେ ରଖିବା ସହ ପାରଦର୍ଶିତା ହାସଲ କରିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବାକୁ ସେ ନୂତନ ଦାୟିତ୍ୱ ଗ୍ରହଣ ଅବସରରେ ଆହ୍ୱାନ ଦେଇଛନ୍ତି ।
ନିଜର ୩୭ ବର୍ଷର ମିଲିଟାରି କ୍ୟାରିୟରରେ କାଶ୍ମୀର ଉପତ୍ୟକାରେ ଏକ ୟୁନିଟ୍ କମାଣ୍ଡଣ୍ଟ, ପଶ୍ଚିମାଞ୍ଚଳ, କେନ୍ଦ୍ରୀୟ ଓ ଦକ୍ଷିଣାଞ୍ଚଳ କମାଣ୍ଡ ଉପଦେଷ୍ଟା ଭାବେ ବିଭିନ୍ନ ପଦ ପଦବିରେ ରହିଛନ୍ତି ସେ । ପ୍ରଥମ ଓଡ଼ିଆ ଭାବେ ଡିଜି ଡେଣ୍ଟାଲ୍ ସର୍ଭିସ୍ ଓ ଆର୍ମି ଡେଣ୍ଟାଲ୍ ବାହିନୀର କର୍ଣ୍ଣଲ କମାଣ୍ଡେଣ୍ଟ ପଦବିରେ ନିଯୁକ୍ତି ପାଇ ଇତିହାସ ରଚିଛନ୍ତି ସେ । ପଦୋନ୍ନତି ନିମନ୍ତେ ଚୟନ ବୋର୍ଡର ସମସ୍ତ ର୍ୟାଙ୍କ୍ ଉତ୍ତୀର୍ଣ୍ଣ ହୋଇଥିଲେ । ଭଦ୍ରକ ଜିଲ୍ଲା କାସ୍ପା ଗ୍ରାମର ସୁଢଳ ସାହୁ ଓ ସ୍ୱର୍ଗତ ବାବାଜୀ ସାହୁଙ୍କ ପୁତ୍ର ନନ୍ଦ କିଶୋର ସାହୁ ଆହିୟାସ ସ୍କୁଲ ଓ ଭଦ୍ରକ କଲେଜରେ ପଢ଼ିଥିଲେ । କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ ସ୍ନାତକ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଓରାଲ୍ ଏଣ୍ଡ ମ୍ୟାକ୍ସିଲଅଫୋସିଏଲ୍ ବିଶେଷଜ୍ଞ ଭାବେ ପିଜି ଡିଗ୍ରୀ ହାସଲ କରିଛନ୍ତି । ପୁନେ ଆର୍ମଡ ଫୋର୍ସେସ୍ ମେଡିକାଲ କଲେଜ ଓ ଦିଲ୍ଲୀ ଆର୍ମି ହସପିଟାଲ୍ (ରିସର୍ଚ୍ଚ ଓ ରେଫେରାଲ୍) ଦନ୍ତ ଚିକିତ୍ସା ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱ ସମ୍ପାଦନ କରି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । କ୍ୟାରିୟର୍ରେ ଉତ୍ତମ କାର୍ଯ୍ୟ ହେତୁ ତାଙ୍କୁ ବିଶିଷ୍ଟ ସେବା ମେଡାଲ୍ (ଭିଏସ୍ଏମ୍) ମଧ୍ୟ ମିଳିଛି । ଏହାବ୍ୟତୀତ ରାଷ୍ଟ୍ରପତି ପୁରସ୍କାର, ୫ଟି କମେଣ୍ଡେସନ୍ ସାଙ୍ଗକୁ କେ.ଏସ୍. ମାଷ୍ଟର୍ ସିଲ୍ଭର୍ ମେଡାଲ୍ ମଧ୍ୟ ଲାଭ କରିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଭାବେ ମଧ୍ୟ ସେ ପରିଚିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons