ଆସନ୍ତାକାଲି ପାଟକୁରାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

କେନ୍ଦ୍ରାପଡା : ଆସନ୍ତା ୨୦ରେ ଭୋଟ୍ ଦେବେ ପାଟକୁରାବାସୀ । ପ୍ରଚାର ପାଇଁ ମଝିରେ ଆଉ ମାତ୍ର ୨ ଦିନ । ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାଗିବେ ଭୋଟ୍ । ତେବେ ପାଟକୁରା ଭୋଟରଙ୍କ ଉପରେ ଏଥର କୌଣସି ମ୍ୟାଜିକ କାମ କରିବନି ବୋଲି ଦମ୍ଭର ସହ କହିଛନ୍ତି ବିଜେପି ଏବଂ କଂଗ୍ରେସ ।
କାଲି ପାଟକୁରା ଆସୁଛନ୍ତି ନବୀନ । ହାଇଟେକ୍ ବସ୍‌ରେ ବୁଲି ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବିଜେଡି ସୁପ୍ରିମୋ । ଲିଫ୍ଟ ଯୋଗେ ବସ୍ ଭିତରୁ ବାହାରି ଭୋଟରଙ୍କୁ ସମ୍ବୋଧନ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ପାଇଁ ଚଳଚଞ୍ଚଳ ବିଜେଡି କ୍ୟାମ୍ପ । କାଲି ସକାଳ ୧୦ଟାରେ କେନ୍ଦ୍ରାପଡା ବାରିମୂଳ ପଂଚାୟତ ପଡିଆରେ ହେଲିକାପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ବସ୍ ଯୋଗେ ବେଣୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ଡେରାବିଶ, ପଲେଇ, ଚାନ୍ଦୋଳ, ଖମୋଳ ଆଦି ପଞ୍ଚାୟତରେ ରୋଡ୍ ଶୋ କରିବେ । ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ଗରଦପୁର ବ୍ଲକ୍ ଗସ୍ତରେ ଯିବେ। ଗରଦପୁର ବ୍ଲକର ୧୦ ଗୋଟି ଏବଂ ମାର୍ଶ।ଘାଇ ବ୍ଲକର ସମସ୍ତ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ବୁଲିବାର କାର‌୍ୟ୍ୟକ୍ରମ ରହିଛି ।
ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ କେନ୍ଦ୍ରାପଡାରେ ରହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । କେନ୍ଦ୍ରାପଡାର ୪ଟି ଯାକ ବିଧାନସଭା ଏବଂ ଲୋକସଭା ଆସନ ବିଜେଡି ପକେଟକୁ ଯିବା ପରେ ସମୀକ୍ଷକମାନେ ଏହାକୁ ନବୀନ ମ୍ୟାଜିକ୍ ବୋଲି କହିଲେ । ଚଳିତଥର ମଧ୍ୟ ଭୋଟରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଭାବ ପଡିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ସଚେତନ ପାଟକୁରା ଭୋଟର ନିଜ ପ୍ରତିନିଧି ଚୟନ କରିବା ନେଇ ମନ ସ୍ଥିର କରି ସାରିଛନ୍ତି ବୋଲି ବିଜେପି କହିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିବ ନାହିଁ ବୋଲି କହିଛି କଂଗ୍ରେସ ।
ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତର ପ୍ରଭାବ ପ୍ରକୃତରେ ଭୋଟରଙ୍କ ଉପରେ କେତେ ପଡୁଛି ତାହା ଆସନ୍ତା ୨୪ରେ ହିଁ ଜଣା ପଡିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons