ଆସିଲାନି ଆମ୍ବୁଲାନ୍ସ, ପାହାଡ଼ ତଳେ ପ୍ରସବ

Get real time updates directly on you device, subscribe now.

ଖଡ଼ିଆଳ ଏନଏସି,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଦୁର୍ଗମ ପାହାଡ଼ିଆ ଅଞ୍ଚଳ ସମାଡ଼ପଦରରେ ଖଟିଆରେ ୪ କିମି ବୁହାହେଲେ ଜଣେ ଆସନ୍ନପ୍ରସବା । ଆମ୍ବୁଲାନ୍ସ ନଆସିବାରୁ ପାହାଡ଼ ତଳେ ହିଁ ବିନା କୌଣସି ଡାକ୍ତରୀ ସୁବିଧାରେ ଜନ୍ମଦେଲେ ଏକ ଶିଶୁକନ୍ୟାକୁ । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଉଭୟ ମାଁ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ସୂଚନାମତେ, ଖଡ଼ିଆଳ ବ୍ଲକ ସମାଡ଼ପଦର ଗାଁର ମୁକେଶ ମାଝୀଙ୍କ ସ୍ତ୍ରୀ ପ୍ରମିଳା ମାଝୀଙ୍କ ମଙ୍ଗଳବାର ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ସକାଳ ୮ଟାରେ ଗାଁରୁ ୪ କିମି ରାସ୍ତା ଖଟିଆରେ ବୋହି ପାହାଡ଼ ତଳକୁ ଆଣିବା ସହ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରାଯାଇଥିଲା । ସମୁଦ୍ର ପତ୍ତନରୁ ୭୦୦ ଫୁଟ୍ ଉଚ୍ଚରେ ଥିବା ସମାଡ଼ପଦରରୁ ଗର୍ଭବତୀଙ୍କୁ ପାହାଡ଼ ତଳକୁ ଆଣିବା ପରେ ମଧ୍ୟ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଆସି ନଥିଲା । ଇତିମଧ୍ୟରେ ପ୍ରମିଳାଙ୍କ ପ୍ରସବ ବେଦନା ବଢ଼ିବା ସହ ପାହାଡ଼ ତଳେ ହିଁ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସୁସ୍ଥ ଭାବେ ପିଲାଟି ଜନ୍ମ ନେବା ପରେ ଉଭୟ ମାଁ ଏବଂ ଶିଶୁକୁ ଖଟିଆରେ ବୋହି ପରିବାର ଲୋକେ ପୁଣି ଘରକୁ ନେଇ ଆସିଥିଲେ ।
ପ୍ରକାଶ ଯେ, ପାହାଡ଼ିଆ ଅଞ୍ଚଳ ସମାଡ଼ପଦର ଗାଁରେ ୭୦ ପରିବାର ବସବାସ କରନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁକୁ ରାସ୍ତାଟିଏ ମଧ୍ୟ ନାହିଁ । ରୋଗୀ, ଗର୍ଭବତୀଙ୍କୁ ଖଟିଆରେ ବୋହିବା ଏଠାରେ ଏକ ସାଧାରଣ ଘଟଣା । ଆଉ ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିଲେ କଥା ସରିଲା । ଆମ୍ବୁଲାନ୍ସ ଆସିପାରୁନଥିବାରୁ ଅନେକ ରୋଗୀ ପହାଡ଼ ତଳେ ପ୍ରାଣ ହରାଇଥିବା ମଧ୍ୟ ନଜିର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons