ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ବ୍ରହ୍ମପୁର ଡିଏଫ୍ଓ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): କୋଟିପତି ଡିଏଫ୍ଓ ଆଶିଷ କୁମାର ବେହେରା ଗିରଫ । ଦୁଇ ଦିନ କାଳ କଟକ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ଡିଏଫ୍ଓ ବେହେରାଙ୍କ ବାସଭବନ, ଅଫିସ୍ ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିବା ପରେ ଠାବ କରିଛି ୨,୧୯,୩୭,୧୬୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ସେଥିରୁ ୧ କୋଟି ୬୦ ଲକ୍ଷ ଟଙ୍କାର ହିସାବ ମିଳିନାହିଁ । ହିସାବ ମିଳିନଥିବା ଟଙ୍କା ଆୟ ବହିର୍ଭୂତ ବୋଲି ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛି କଟକ ଭିଜିଲାନ୍ସ । ଡିଏଫ୍ଓ ଆଶିଷ କୁମାର ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରେସ୍ ବିବୃତିରେ ପ୍ରକାଶ ।
ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରଣ୍ଟ ଜାରି କରିବା ପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଆଶିଷ କୁମାର ବେହେରାଙ୍କ ଘର ସମେତ ୯ଟି ସ୍ଥାନରେ ଗତ ୧୯ ତାରିଖରେ ଚଢ଼ଉ କରିଥିଲା କଟକ ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ମଣିତ୍ରିଭୁବନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବ୍ରହ୍ମପୁରରେ ଥିବା ସରକାରୀ ବାସଭବନ, ଡିଏଫ୍ଓଙ୍କ ଅଫିସ୍ ରୁମ୍, ଭଞ୍ଜନଗରରେ ଥିବା ପୈତୃକ ଘର, ଆମ୍ବପୁଆରେ ଥିବା ଶ୍ୱଶୁର ଘରେ ଖାନତଲାସ କରାଯାଇ ଥିଲା । ଏଥିସହ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କ ଅଫିସ୍ ଓ ବ୍ରହ୍ମପୁର ଜୟଶ୍ରୀ ଏନ୍କ୍ଲେଭ୍ରେ ଥିବା ବାସଭବନ, ଖଲ୍ଲିକୋଟ ରେଞ୍ଜର୍ ଦିଲ୍ଲୀପ କୁମାର ମାର୍ଥାଙ୍କ କାର୍ଯ୍ୟାଳୟ ଓ ବ୍ରହ୍ମପୁର କୋର୍ଟପେଟାରେ ଥିବା ବାସଭବନରେ ଯାଞ୍ଚ କରାଯାଇ ଥିଲା ।
ଭୁବନେଶ୍ୱରରେ ଥିବା ଥ୍ରି-ବିଏଚ୍କେ ଫ୍ଲାଟ୍ ଯାହାର ମୂଲ୍ୟ ୬୩,୬୭,୫୦୦ ଟଙ୍କା, ଭୁବନେଶ୍ୱର, ବ୍ରହ୍ମପୁର ଓ ଭଞ୍ଜନଗରରେ ଥିବା ୬୮,୫୦,୦୦୦ ଟଙ୍କା ମୂଲ୍ୟର ଚାରୋଟି ପ୍ଲଟ୍, ବିଭିନ୍ନ ଇନ୍ସ୍ୟୁରାନ୍ସ ପଲିସିରେ ୪୫,୪୪,୪୦୫ ଟଙ୍କାର ଜମା, ପୋଷ୍ଟ ଅଫିସ୍ ଓ ବିଭିନ୍ନ ବ୍ୟାଙ୍କ୍ରେ ୯,୩୫,୦୫୯ ଟଙ୍କା ଜମା, ୬,୫୦,୭୦୦ ଟଙ୍କା ମୂଲ୍ୟର ଗୋଟିଏ କାର୍, ୫୦ ହଜାର ଟଙ୍କାର ଗୋଟିଏ ମୋପେଡ୍, ୧୨,୯୮,୬୪୦ ଟଙ୍କାର ସୁନା ଓ ରୂପା ଅଳଙ୍କାର, ନଗଦ ୮୨,୦୨୦ ଟଙ୍କା ଏବଂ ୧୧,୫୮,୮୪୧ ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ମିଳିଥିଲା । ଠାବ କରାଯାଇଥିବା ସମସ୍ତ ସମ୍ପତ୍ତିର ମୋଟ ମୂଲ୍ୟ ୨,୧୯,୩୭,୧୬୫ ଟଙ୍କା ବୋଲି ଆକଳନ କରିଥିଲା ଭିଜିଲାନ୍ସ । ଡିଏଫ୍ଓଙ୍କ ରୋଜଗାର, ଖର୍ଚ୍ଚକୁ ବାଦ୍ ଦେବା ପରେ ୧ କୋଟି ୬୦ ଲକ୍ଷ ଟଙ୍କାର ହିସାବ ମିଳିନଥିଲା । ଏହା ଆୟ ବହିର୍ଭୁତ ସମ୍ପତ୍ତି ବୋଲି ଭିଜିଲାନ୍ସ ପ୍ରକାଶ କରିଛି । ଆୟବହର୍ଭୁତ ସମ୍ପତ୍ତି ମିଳିବା ପରେ ଆଶିଷ ବେହେରାଙ୍କୁ ରବିବାର ଗିରଫ କରାଯାଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଡିଏଫ୍ଓଙ୍କୁ ବିଚାର ବିଭାଗୀୟ ହାଜତରେ ରଖିବାକୁ ଆଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ- ଗତବର୍ଷ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିଜୟ କେତନ ଆଚାର୍ଯ୍ୟ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଏହାପୂର୍ବରୁ ବ୍ରହ୍ମପୁର ଡିଏଫ୍ଓ ଥିବା ସୁଧାଂଶୁ ଶେଖର ମିଶ୍ର ଆଠଗଡ଼ ଡିଭିଜନ୍କୁ ବଦଳି ହେବା ପରେ ଭିଜିଲାନ୍ସରେ ଧରା ପଡ଼ିଥିଲେ । ଆୟବହିର୍ଭୂତ ସମ୍ପତ୍ତି ମିଳିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons