ନୀଳଗିରି,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ଜଡ଼ିବାଲି ଅଞ୍ଚଳର ଏକ ଇଟାଭାଟିରେ ଜଣେ ନାବାଳିକା ଶ୍ରମିକ ଗତ ସୋମବାର ବିଷ ପିଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ପରେ ଶ୍ରମ ବିଭାଗର ନିଦ ଭାଙ୍ଗିଛି । ମୃତୁ୍ୟ ପୂର୍ବରୁ ମୃତକ ମା’ଙ୍କ ବୟାନରେ ଝିଅ ପ୍ରେମ ବ୍ୟାପାର ପାଇଁ ବିଷ ପିଇଥିବା କଥା ସ୍ୱୀକାର କରିଥିବା ବେଳେ ମୃତକଙ୍କ ଦାଦା ଝିଆରୀକୁ ବଳାକ୍ରାର ପରେ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏଣୁ ପୁଲିସ ମାମଲା ରୁଜୁ କରି ୨ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ, ନୀଳଗିରି ତହସିଲ ଅଧୀନ ଭଉଁରିଆବାଡ଼ ପଞ୍ଚାୟତ ଜଡ଼ିବାଲି ଅଞ୍ଚଳ ସ୍ଥିତ ଜୟଦୁର୍ଗା ଇଟାଭାଟିରେ ବାଘମରା ଗ୍ରାମର ମଧୁ ସିଂଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ଇନ୍ଦ୍ରାଣୀ କାମ କରି ଆସୁଥିଲେ । ଭାଟି ପରିସରସ୍ଥ ଏକ କୁଡ଼ିଆ ଘରେ ଦୁହେଁ ରହୁଥିଲେ । ସୋମବାର ଇନ୍ଦ୍ରାଣୀ ବିଷ ପିଇଥିଲେ । ତାଙ୍କ ମା’ଙ୍କୁ ଜଣେ ଯୁବକଙ୍କ ପାଇଁ ବିଷ ପିଇଥିବା କଥା କହିବା ପରେ ଗୁରୁତର ଅବସ୍ଥାରେ ଇନ୍ଦ୍ରାଣୀଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପୁଣି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଇନ୍ଦ୍ରାଣୀଙ୍କ ମୃତୁ୍ୟ ହୋଇଥିଲା । ମୃତକଙ୍କ ଦାଦା କାର୍ତ୍ତିକ ସିଂ ଇଟାଭାଟି ମାଲିକ ଓ ଅନ୍ୟ ସହଯୋଗୀମାନେ ତାଙ୍କ ଝିଆରୀଙ୍କୁ ବଳାକ୍ରାର ପରେ ବିଷ ପିଆଇ ମାରିଦେଇଥିବା ଅଭିଯୋଗ କରିଥିଲେ । ମୃତକଙ୍କ ମାଆଙ୍କର ଗୋଟିଏ କଥା ଓ ଦାଦାଙ୍କ ଅନ୍ୟ ଗୋଟିଏ କଥା ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଥିଲା । ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର, ଆଇଆଇସି ପ୍ରଭଞ୍ଜନ ମଲ୍ଲିକ, ଏସଆଇ ବାସୁଦେବ ଜୟସିଂ ଓ ପୁଲିସ କର୍ମଚାରୀ ରାତିସାରା ଇଟାଭାଟି, ବାଲେଶ୍ୱର ହସ୍ପିଟାଲରେ ତଦନ୍ତ ପ୍ରକ୍ରିୟା ଚଳାଇଥିଲେ । ମଙ୍ଗଳବାର ସକାଳେ ମଧ୍ୟ ଫରେନସିକ ଟିମ୍ ମଧ୍ୟ ତଦନ୍ତ କରିଥିଲେ । ଅଭିଯୋଗ ମୂଳେ ଧାରା ୩୨୮, ୩୦୨, ୩୭୬(ଡିଏ), ଆଇପିସି ୬ ପୋକ୍ସ ଆକ୍ଟ ୩୯୫ ନଂର ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଇଟାଭାଟି ମାଲିକ ଲୁଲୁ ବେହେରା ଓ କୁଡୁମିପାଳ ଅଞ୍ଚଳର ଫକୀରା ସିଂ ଓରଫ ଚଗୁଲୁକୁ ପୁଲିସ ଅଟକ ରଖିଛି । ଘଟଣାର ତଦନ୍ତ ଭାର ନୀଳଗିରି ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ନେଇଛନ୍ତି । ସେହିପରି ନାବାଳିକା ଜଣକ ଇଟାଭାଟିରେ କାର୍ଯ୍ୟ କରିବା ଓ ମୃତୁ୍ୟବରଣ ପରେ ହଠାତ ଚେଇଁ ଉଠିଛି ଶ୍ରମ ବିଭାଗ । ନୀଳଗିରି ଶ୍ରମବିଭାଗ ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଇଟାଭାଟିକୁ ଯାଇ ତଦନ୍ତ ସାରି ଫେରିଛନ୍ତି । କେବଳ ଏହି ଭାଟି ନୁହଁ³ ନୀଳଗିରିରେ ବହୁ ବେଆଇନ ଇଟାଭାଟିରେ ଏଭଳି ଶିଶୁ ଶ୍ରମିକ କାମ କରୁଥିବା ବେଳେ ଶ୍ରମ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୁଲିସ ଗୁରୁତ୍ୱ ଦେଇ ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ନୀଳଗିରି ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.