କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ଭିନ୍ନମୋଡ଼ ନେଇଛି ଇନ୍ଦୁପୁର ବଧୂହତ୍ୟା ମାମଲା । ମୃତ ପାର୍ବତୀ ମଲିକଙ୍କୁ ହତ୍ୟା କରାଯାଇଛି ନା ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତା’ର ପର୍ଦ୍ଦାଫାସ କରିବାକୁ ମାଟି ଖୋଳି ଶବ ବାହାର କରିଛି ପୁଲିସ । ପାର୍ବତୀଙ୍କ ମୃତ୍ୟୁର ୪ ଦିନ ପରେ ପୁଲିସ ଆଜି ସକାଳେ ମାଜିଷ୍ଟ୍ରେଟ୍ ହେମଲତା ବାହାଲିଆଙ୍କ ଉପସ୍ଥିତିରେ ଶ୍ମଶାନରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାକୁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତ ଅଧିକାରୀ ତଥା ନିକିରାଇ ଥାନା ଏସ୍ଆଇ ଶ୍ରୀଧର ମାହାଳିକ । ଏହି ଘଟଣାରେ ପୁଲିସ ମୃତା ପାର୍ବତୀଙ୍କ ସ୍ୱାମୀ ଚିତ୍ରସେନ ମଲିକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା କେନ୍ଦ୍ରାପଡ଼ା ବ୍ଲକ୍ ପଳସିଂହା ଗ୍ରାମର ଭରତ ଚନ୍ଦ୍ର ମଲିକଙ୍କ ଝିଅ ପାର୍ବତୀ ମଲିକ ୧୨ ବର୍ଷ ତଳେ ଇନ୍ଦୁପୁର ନିବାସୀ ତ୍ରିନାଥ ମଲିକଙ୍କ ପୁଅ ଚିତ୍ରସେନ ମଲିକଙ୍କୁ ବିବାହ କରିଥିଲେ । ଚିତ୍ରସେନ ପେସାରେ ଟ୍ରାକ୍ଟର ଡ୍ରାଇଭର । ସେମାନଙ୍କର ୧୦ ବର୍ଷର ଝିଅ, ୭ ବର୍ଷର ପୁଅଟିଏ ଅଛି । ମାତ୍ର ଅଭିଯୋଗ ଅନୁସାରେ, ବାହାଘର ପରେ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକେ ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ । ଏହି ଘଟଣାର ସମାଧାନ ପାଇଁ ବାପଘର ଲୋକ ବହୁବାର ସମାଧାନ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇନଥିଲା । ସେମାନେ ୫୦ ହଜାର ଟଙ୍କା ଯୌତୁକ ଦାବି କରି ପାବର୍ତୀଙ୍କୁ ମାରଧର କରିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ପାର୍ବତୀଙ୍କ ଭାଇ ରାଜନ ମଲିକ । ମାଡ଼ଖାଇ ଗୁରୁତର ଆହତ ପାର୍ବତୀ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁନ୍ ୮ ତାରିଖରେ ସବୁଦିନ ଲାଗି ଆଖି ବୁଜି ଦେଇଥିଲେ । ତେବେ ଯୌତୁକ ଦାବିରେ ତାଙ୍କୁ ହତ୍ୟା କରାଯାଇଥିବା ପାର୍ବତୀଙ୍କ ଭାଇ ଥାନାରେ ଅଭିଯୋଗ କରିଥିବାବେଳେ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଶାଶୂଘର ଲୋକେ କହିଥିଲେ । ଅପରପକ୍ଷେ ପାର୍ବତୀଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନକରାଇ ତାକୁ ତରିବରିଆ ଭାବେ ପୋତି ଦେଇଥିବା ମଧ୍ୟ ଅଭିଯୋଗ ଆଣିଥିଲେ ପାର୍ବତୀଙ୍କ ଭାଇ । ପୁଲିସ ରାଜନଙ୍କ ଅଭିଯୋଗକୁ ଭିତ୍ତିକରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ତେଣୁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଲାଗି ରହିବାରୁ ପୁଲିସ ଏହାର ପର୍ଦ୍ଦାଫାସ କରିବାକୁ ଯାଇ ଆଜି ମାଟି ଖୋଳି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Comments are closed, but trackbacks and pingbacks are open.