ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ସହର ନିକଟବର୍ତ୍ତୀ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ବୁଧବାର ମିଡିୟମ ରେଞ୍ଜ ସରଫେସ୍ ଟୁ ଏୟାର ମିଶାଇଲ ବା ଏମ୍ଆର-ସାମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ଆଇଟିଆରର ୩ନଂ ଲଞ୍ଚପ୍ୟାଡ୍ରୁ ଅପରାହ୍ନ ୩.୫୫ ମିନିଟ୍ରେ ପରୀକ୍ଷଣ ହୋଇଥିଲା । ଏକ ଚଳନ୍ତା ଯାନରୁ ଏହି କ୍ଷେପଣାସ୍ତ୍ରଟି ଆକାଶମାର୍ଗରେ ବ୍ରିଟିଶ୍ ଡ୍ରୋନ୍ ‘ବଂଶୀ’କୁ ଲକ୍ଷ୍ୟଭେଦ କରିଥିଲା । ଏହି ପରୀକ୍ଷା ପରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି ।
ପୂର୍ବରୁ ବହୁବାର ଭାରତର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆର୍ଡିଓ) ଓ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟି୍ର (ଏଆଇଏଆଇ) ମିଳିତ ସହଯୋଗରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲେ ମଧ୍ୟ ବୁଧବାରର ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ପରୀକ୍ଷାରେ ଏମ୍ଆର-ସାମ୍ର ବିକଶିତ ଟେକ୍ନୋଲୋଜିର ପରୀକ୍ଷଣ ହୋଇଥିଲା । ଏଥିରେ ଲକ୍ଷ୍ୟଭେଦ କ୍ଷମତା, ଦିଗ, ବେଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଥମ ଥର ପାଇଁ ପରୀକ୍ଷଣରେ ସ୍ୱଦେଶୀ ଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା । ଏଥିରେ ବ୍ୟବହୃତ ଇଞ୍ଜିନ୍ ସମେତ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ କେତେକ ଯନ୍ତ୍ରାଂଶ ବ୍ୟବହୃତ ହୋଇଥିଲା ।
ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏମଆର-ସାମ୍ କ୍ଷେପଣାସ୍ତ୍ରକୁ ଯୁଦ୍ଧ ଜାହାଜ, ହେଲିକପ୍ଟର, ନୌଜାହାଜ, ବାଲାଷ୍ଟିକ୍ ମିସାଇଲକୁ ଟାର୍ଗେଟ୍ କରାଯାଇ ପାରିବ । ଏହାର ଓଜନ ୨୭୫ କିଗ୍ରା, ଲମ୍ବ ୪.୫ ମିଟର ଥିବା ବେଳେ ଏହାର ୬୦ କିଗ୍ରା ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ପୂର୍ବରୁ ଏମ୍ଆର-ସାମ୍ର ଲକ୍ଷ୍ୟଭେଦ କ୍ଷମତା ଥିଲା ୭୦ କିମି । ମାତ୍ର ଏଥର ଏହାର ଲକ୍ଷଭେଦ କ୍ଷମତା ୧୦୦ କିମି ଯାଏ ବୃଦ୍ଧି କରାଯାଇଛି । ପରୀକ୍ଷଣ ବେଳେ ଡିଆର୍ଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀଙ୍କ ସମେତ ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଗୃହମନ୍ତ୍ରଣାଳୟ ପରାମର୍ଶକ୍ରମେ ଏହି ପରୀକ୍ଷଣ ପାଇଁ ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ୨.୫ କିମି ଦୂରତା ଭିତରେ ଥିବା ୮ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ବାରଣ କରାଯାଇଥିଲା ।


Comments are closed, but trackbacks and pingbacks are open.