ଏସ୍ଡିଜେଏମ୍ଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ ଏସ୍ପିଙ୍କ ନାମରେ ମାମଲା ରୁଜୁ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ହେମଗିର ଅଞ୍ଚଳରେ ଗତମାସ ୪ ତାରିଖରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ସେଠାରେ ଦେଖା ଦେଇଥିଲା ଉତ୍ତେଜନା । ଏହି ଘଟଣା ପରେ ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ଓ ସଶସ୍ତ୍ର ପୁଲିସ୍ ବାହିନୀ କନିକା ଗ୍ରାମରେ ପଶି ଲୋକଙ୍କୁ ପିଟାପିଟି କରିଥିଲେ । ଏପରିକି ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ଯୋଗୁଁ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ଏ ନେଇ ମହିଳା ଜଣଙ୍କ ହେମଗିର ଥାନାକୁ ଏତଲା ଦେବାକୁ ଯାଇଥିଲେ ହେଁ ପୁଲିସ୍ ଏତଲା ନେଇନଥିଲା । ଶେଷରେ ଅନ୍ୟ ଉପାୟ ନପାଇ ସେ ସୁନ୍ଦରଗଡ଼ ଏସ୍ଡିଜେମ୍ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ୍ଡିଜେଏମ୍ଙ୍କ ନିର୍ଦ୍ଦେଶ କ୍ରମେ ହେମଗିର ଥାନା ପୁଲିସ୍ ଏସ୍ପିଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି ।
କନିକାରେ ରହୁଥିବା ଲିପୁନ ନାଏକ (୧୯) ଗତ ମାସ ୩ ତାରିଖରେ କୌଣସି କାମରେ ବାଇକ୍ ଯୋଗେ ହେମଗିରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ତାଙ୍କୁ ପରିସ୍ରା ଲାଗିବାରୁ ସେ ରାସ୍ତା କଡ଼ରେ ଛିଡ଼ା ହୋଇ ପରିସ୍ରା କରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ କନିକାବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଦାବି କରିଥିଲେ । ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍ରେ ଅଟଳ ରହିବା ଯୋଗୁଁ ଉତ୍ତେଜନା ବୃଦ୍ଧି ପାଇଥିଲା ଓ ଲୋକେ ବଲିଙ୍ଗା ଫାଣ୍ଡି ଘେରାଉ କରିଥିଲେ । ଏହା ପରେ ପୁଲିସ୍ ଲାଠି ଚାଳନା କରିବା ଯୋଗୁଁ ଲୋକେ ଦୌଡ଼ି ପଳାଇଥିଲେ । ଏହି ଘଟଣା ପରେ ରାତିରେ ଏସ୍ପି ଅତିରିକ୍ତ ପୁଲିସ୍ ବାହିନୀ ନେଇ ସେଠାରେ ପହଞ୍ଚିଥିଲେ । କନିକାର ପ୍ରତ୍ୟେକ ଘରେ ପଶି ଏସ୍ପି ତଲାସୀ ଅଭିଯାନ ଚଳାଇବା ସହ ଲୋକଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ । ରାତି ପ୍ରାୟ ୧୨ଟା ସମୟରେ ଏସ୍ପି ନିଜେ ସେ ଅଞ୍ଚଳରେ ରହୁଥିବା ପ୍ରିୟା ଦେ ନାମ୍ନୀ ଜଣେ ମହିଳାଙ୍କ ଘରର କବାଟ ବାଡେଇ ଥିଲେ । ଏହା ପରେ ତାଙ୍କ ବିଧବା ଶାଶୁ କବାଟ ଖୋଲିବା କ୍ଷଣି ଏସ୍ପି ଓ ପୁଲିସ୍ ବାହିନୀ ଘର ଭିତରକୁ ପଶି ଯାଇ ଗୋପ କାହିଁ ବୋଲି ଖୋଜିଥିଲେ । ସେ ଘରେ ନଥିବା କଥା ତାଙ୍କ ପତ୍ନୀ କହିବା ପରେ ଏଥିରେ ରାଗିଯାଇ ଏସ୍ପି ତାଙ୍କ ଦୁଇ ହାତକୁ ଧରି ବେଲଣା ବାଡ଼ିରେ ପିଟିଥିଲେ । ଏହା ସହ ଶୋଇଥିବା ତାଙ୍କର ୪ ବର୍ଷର ଝିଅକୁ ଟେକି ଦେବାରୁ ସେ ତଳେ ପଡ଼ି ଯାଇଥିଲେ । ନିଜେ ଏସ୍ପି ଓ ପୁଲିସ୍ କର୍ମଚାରୀ ତାଙ୍କ ପେଟକୁ ବାଡେଇ ଥିଲେ । ଦୁଇ ମାସର ଗର୍ଭବତୀ ଥିବା ପ୍ରିୟାଙ୍କ ଗର୍ଭ ନଷ୍ଟ ହୋଇଥିଲା । ଏପରିକି ତାଙ୍କ ସ୍ୱାମୀଙ୍କ ଏକ ଇଟା ଫ୍ୟାକ୍ଟ୍ରି ଥିବା ବେଳେ ତାଙ୍କର ୫ଟି ଗାଡ଼ିର କାଚ ଓ ଇଟା ତିଆରି ମେସିନ୍କୁ ଭାଙ୍ଗି ଦେଇଥିଲେ । ଫଳରେ ପ୍ରାୟ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରିୟା ଅଭିଯୋଗ କରିଛନ୍ତି । କୌଣସି ମତେ ପ୍ରିୟାଙ୍କ ସ୍ୱାମୀ ଗୋପଙ୍କୁ ପୁଲିସ୍ ଧରି ନେବା ସହ ସଦର ଥାନାକୁ ନେଇ ଆମାନୁଷିକ ଭାବେ ଶାରୀରିକ ନିର୍ଯାତନା ଦେଇଥିଲେ । ଗୋଟିଏ ପଟେ ପ୍ରିୟାଙ୍କ ଗର୍ଭ ନଷ୍ଟ ହେବା ଓ ଅନ୍ୟ ପଟେ ନିର୍ଦ୍ଦୋଷ ଥିବା ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ନିର୍ଯାତନା ଦେଇଥିବା ନେଇ ପ୍ରିୟା ଏସ୍ଡିଜେଏମ୍ଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲା । ସମସ୍ତ ବିଷୟ ଶୁଣିବା ପରେ ଅଦାଲତ ଏସ୍ପିଙ୍କ ନାମରେ ହେମଗିର ଥାନାରେ ମାମଲା ରୁଜୁ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ହେମଗିର ପୁଲିସ୍ ଏସ୍ପିଙ୍କ ନାମରେ ଦଫା ୪୨୭/୩୪୧/୫୦୬/୪୫୭/୩୨୩/୨୯୪/୩୪୨/୩୧୩/୧୬୬/୧୬୭/୫୦୩/୫୦୪ ବଳରେ ମାମଲା (କେସ୍ ନଂ.୧୦୬/୧୯) ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons