ଓଡ଼ିଶାର ଅଧକିମି ଭିତରକୁ ପଶିଆସିଛି ଆନ୍ଧ୍ର

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ପୁଣି ଦାଦାଗିରି । କୋଟିଆ ପରେ ପଟ୍ଟାଙ୍ଗି ବ୍ଲକ ସମ୍ବାଇଗାଁରେ ଓଡ଼ିଶା ଜମି ନେବାକୁ ଆନ୍ଧ୍ର ଅଧିକାରୀ ଚକ୍ରାନ୍ତ କରିଛନ୍ତି । ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗାଁ ସୀମାରେ ୫୦୦ ମିଟର ଭିତରକୁ ଆନ୍ଧ୍ର ପଶିଆସି ରାସ୍ତାରେ ବୋଡର଼୍ ମାରିଛି । ଇଂରାଜୀ ଅକ୍ଷରରେ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା ଡମ୍ବ୍ରିଗୁଡ଼ା ମଣ୍ଡଳ ପକ୍ଷରୁ ଏହି ବେଡର଼୍ ମରାଯାଇଛି । ବୋଡର଼୍ରେ ଆନ୍ଧ୍ର ବଡର଼୍ର ବୋଲି ଉଲ୍ଲେଖ ରହିଛି । ଏହାକୁ ନେଇ ସୁନାବେଡାରେ ଉତ୍ତେଜନା ଦେଖାଦେବା ପରେ ସରପଞ୍ଚ ପିଲକ ଗୁଣ୍ଠା ପଟ୍ଟାଙ୍ଗି ଥାନାରେ ଆନ୍ଧ୍ର ବିରୋଧରେ ଏତଲା ଦେଇଛନ୍ତି । ତୁରନ୍ତ ସୀମା ବିବାଦର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ସୂଚନା ଥାଉ କି ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ସୀମାନ୍ତ ପର୍ଯ୍ୟନ୍ତ ୨୫କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି କରାଯାଇଛି । ୩ ବର୍ଷ ତଳେ ପଟ୍ଟାଙ୍ଗି, ପୁକାଲି, ସମ୍ବାଇ ଦେଇ ସୁନାବେଡ଼ା ସୀମା ପର୍ଯ୍ୟନ୍ତ ଏହି ରାସ୍ତା ପିଚୁ ହୋଇଥିଲା । କିନ୍ତୁ ଏବେ ଓଡ଼ିଶା ସୀମାନ୍ତରୁ ପ୍ରାୟ ୫୦୦ ମିଟର ଭିତରକୁ ଆନ୍ଧ୍ର ପଶିଆସି ବୋଡର଼୍ ମାରିଛି । ଓଡ଼ିଶାର ଏହି ରାସ୍ତା ସହିତ ଆନ୍ଧ୍ରର ଆର୍କୁ ଭ୍ୟାଲି ରାସ୍ତା ସଂଯୋଗ ହୋଇଛି । ଆନ୍ଧ୍ର ଅଧିକାରୀମାନେ ଓଡ଼ିଶା ଭୂମିରେ ବୋଡର଼୍ ମାରି ନିଜ କବ୍ଜାକୁ ନେବାକୁ ଉଦ୍ୟମ କରିଛନ୍ତି । ଏନେଇ କୋରାପୁଟ ଉପଜିଲ୍ଲାପାଳ ଲଳିତକୁମାର କହଁର କହିଛନ୍ତି, ସୀମାନ୍ତ ଗାଁକୁ ଦଶହରା ପୂର୍ବରୁ ପଟ୍ଟାଙ୍ଗି ତହସିଲଦାରଙ୍କ ସହିତ ସେ ଗସ୍ତ କରିଥିଲେ । ଆନ୍ଧ୍ର ପକ୍ଷରୁ ତାଙ୍କ ସୀମାନ୍ତରେ ରାସ୍ତା କାମ ଚାଲିଥିଲା । ଆମ ସୀମା ଭିତରେ ଆନ୍ଧ୍ର ଯେପରି କୌଣସି କାମ ନକରିବ, ସେନେଇ ଅଧିକାରୀମାନଙ୍କ ସହିତ ଆଲୋନା କରାଯାଇଥିଲା । ସେତେବେଳେ ଓଡ଼ିଶା ଜମିରେ ଆନ୍ଧ୍ରର କୌଣସି ବୋଡର଼୍ ଲଗାଯାଇ ନଥିଲା । ଏହାକୁ ଅତିଶୀଘ୍ର ଅନୁଧ୍ୟାନ କରାଯିବ । ଓଡ଼ିଶା ଜମିରୁ ଆନ୍ଧ୍ର ବୋଡର଼୍ ହଟାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ କହଁର କହିଛନ୍ତି । ଅନ୍ୟପକ୍ଷେ ସୁନାବେଡା ୱାର୍ଡମେମ୍ବର ମୁଷୁରୀ ତାଉଡୁ, ସରପଞ୍ଚ ପିଲକ ଗୁଣ୍ଠା କହିଛନ୍ତି, ଯଦି ସୀମାର ଜମିକୁ ଆନ୍ଧ୍ର ନିଜ ଆକ୍ତିଆରକୁ ନେବ ତାହେଲେ ସୁନାବେଡା ଅଞ୍ଚଳବାସୀ ଜମିହରା ହେବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ । ଉଭୟ ସରକାର ତୁରନ୍ତ ଏହାର ସମାଧାନ ବାଟ ବାହାର କରିିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ପ୍ରକାଶ ଥାଉକି ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗାଁକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଛି । ନିକଟରେ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡ଼ା ପଞ୍ଚାୟତର ଚିନାକରିଭଦ୍ରା ଗାଁ ସୀମାରେ ୫୦୦ ମିଟର ଭିତରକୁ ଆନ୍ଧ୍ର ପଶିଆସି ପଥର ପେତିଥିଲା । ଆନ୍ଧ୍ରଅଞ୍ଚଳ ଲୋକମାନଙ୍କୁ ପଟ୍ଟାଦେଇ ଜମି କବ୍ଜା କରିବା ପାଇଁ ଆନ୍ଧ୍ର ନୂଆ ଷଡ଼ଯନ୍ତ୍ର କରିଥିଲା । ଖବରପାଇ କୋରାପୁଟ ଜିଲ୍ଲାପାଳଙ୍କ ସହିତ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ ପାଇଁ ଗତ ନଭେମ୍ବର ୧ ତାରିଖରେ ଉକ୍ତ ଅଞ୍ଚଳ ଗସ୍ତ କରିଥିଲେ । ଅଧିକାରୀଙ୍କ ଆସିବା ଖବର ପାଇ ପୋତାଯାଇଥିବା ପଥରକୁ ଆନ୍ଧ୍ର ହଟାଇ ନେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons