ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖାଇବା ପରଷିବା ନାମରେ ହୁକ୍କା ବେପାର କରୁଥିବା ରେସ୍ତୋରାଁ ଉପରେ ଏଥର ଲଗାମ ଲାଗିବ । ବିଳମ୍ବରେ ହେଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ନିକୋଟିନ୍ ଯୁକ୍ତ ହୁକ୍କା ଓ ଇ ସିଗାରେଟ୍କୁ ବ୍ୟାନ୍ କରିଛି । ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ହୁକ୍କା ବ୍ୟାନ୍ ପରେ ଏଣିକି ଡ୍ରଗ୍ ଇନ୍ସପେକ୍ଟର ହୁକ୍କାବାର ଉପରେ ରେଡ୍ କରିପାରିବେ । ଖାଲି ହୁକ୍କା ବାର୍ କାହିଁକି, ଯେଉଁଠି ନିକୋଟିନ୍ ହୁକ୍କା ବ୍ୟବହାର ହେଉଥି, ଡ୍ରଗ୍ ଇନ୍ସପେକ୍ଟର ଚଢ଼ଉ କରିବେ । ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆଇନ୍ ୧୯୪୦ ଏବଂ ରୁଲ୍ ୧୯୪୫ ଅନୁସାରେ ଏଥର ବେଆଇନ୍ ହୁକ୍କା ବେପାର କରୁଥିବା ରେସ୍ତୋରାଁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।
ରାଜଧାନୀରେ ଚାଲୁଥିବା ବେଆଇନ୍ ହୁକ୍କା ବାର୍ରେ କେମିତି ନିକୋଟିନ୍ ଫ୍ଲେବର ଦେଇ ଯୁବକ/ଯୁବତୀଙ୍କୁ ନିଶା ଆଡ଼କୁ ଟଣାଯାଉଥିଲା, ସେ ନେଇ ପ୍ରମେୟରେ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ପୁଲିସ୍ କିଛି ହୁକ୍କା ବାର ଉପରେ ଚଢ଼ଉ କରିଥିଲା । ସେତେବେଳେ ଅନେକ ରେସ୍ତୋରାଁ ହୁକ୍କା ବାର ବନ୍ଦ କରି ଦେଇଥିଲେ । ହେଲେ ସରକାରୀ କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଣି ଖୁଲମ୍ଖୁଲା ଆରମ୍ଭ ହୋଇଥିଲା ହୁକ୍କା ବେପାର । ଏବେ ରାଜଧାନୀର ସହିଦ ନଗର, ଖଣ୍ଡଗିରି, ଚନ୍ଦ୍ରଶେଖରପୁରରେ ଥିବା ବଡ଼ ବଡ଼ ରେସ୍ତୋରାଁରେ ୧୦୦ରୁ ଅଧିକ ହୁକ୍କାବାର୍ ଚାଲିଛି ।
ଏ ନେଇ ସୂଚନା ଦେଇ ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର୍ ମାମୀନା ପଟ୍ଟନାୟକ କହିଛନ୍ତି, ଦିଲ୍ଲୀ, ଗୁଜରାଟ ଓ ପଞ୍ଜାବ ଭଳି ରାଜ୍ୟରେ ପୂର୍ବରୁ ହୁକ୍କା ସହିତ ଇ ସିଗାରେଟ୍ ବ୍ୟାନ୍ ଥିଲା । ଏବେ ଆମ ରାଜ୍ୟରେ ମଧ୍ୟ ହୁକ୍କା ଓ ଇ ସିଗାରେଟକୁ ବ୍ୟାନ୍ କରାଯାଇଛି । ଖୁବ୍ଶୀଘ୍ର ଡ୍ରଗ୍ ଇନ୍ସପେକ୍ଟରମାନେ ହୁକ୍କାବାରରେ ରେଡ୍ କରିବେ । ଯଦି ହୁକ୍କାରେ ନିକୋଟିନ୍ ମିଶାଯାଉଥିବା ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Comments are closed, but trackbacks and pingbacks are open.