କଙ୍ଗାରୁ କୋର୍ଟ ନିଷ୍ପତ୍ତିକୁ ବିରୋଧରୁ ରକ୍ତପାତ : ୫ ଆହତ, ୨ ଗୁରୁତର

Get real time updates directly on you device, subscribe now.

ନୟାଗଡ଼/ରାଜସୁନାଖଳା, (ବି.ବି.ନ୍ୟୁଜ୍): କଙ୍ଗାରୁକୋର୍ଟ ନିଷ୍ପତ୍ତିକୁ ବିରୋଧ କରିବାରୁ ଦୁଇ ପରିବାର ମଧ୍ୟରେ ମାରପିଟ ଘଟି ୫ ଜଣ ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ପଠାଯାଇଛି । କୋଟଗଡ଼ ଗାଁରେ ଖଟ ବୁଲାଯିବା ସହ କଙ୍ଗାରୁ କୋର୍ଟ ବସି ଜଣେ ମହିଳାଙ୍କୁ ଜବରଦସ୍ତ ଚୋର ବୋଲି ସାବ୍ୟସ୍ତ କରାଯାଇଛି । ଖାଲି ସେତିକି ନୁହେଁ କଙ୍ଗାରୁ କୋର୍ଟରେ ସଂପୃକ୍ତ ମହିଳାଙ୍କୁ ଖଟ ବୁଲିବା ବାବଦ ୭୫ ହଜାର ଟଙ୍କା ଓ ଚୋରି ଯାଇଥିବା ଟଙ୍କା ଓ ସୁନା ଅଳଙ୍କାର ଦେବା ଲାଗି ବାଧ୍ୟ କରାଯାଇଥିଲା । ମହିଳା ଜଣକ ଏଥିରେ ଅରାଜି ହେବାରୁ ତାଙ୍କ ପରିବାରକୁ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିବାଦରେ ସଂପୃକ୍ତ ମହିଳାଙ୍କ ପରିବାର ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ଆକ୍ରମଣରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହିି ଘଟଣା ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟଗଡ଼ ଗ୍ରାମରେ ଘଟିଛି । ଉଭୟ ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ହୋଇଛି ।
ଖବରରୁ ପ୍ରକାଶ ଯେ, ଗତ ମାସ ୧୮ ତାରିଖରେ କୋଟଗଡ଼ ଗ୍ରାମର ଭାସ୍କର ଦୋରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା । ଏନେଇ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ଭାସ୍କର । ଚୋରି ଘଟଣାକୁ ୨୩ ଦିନ ବିତିଥିଲେ ସୁଦ୍ଧା ପୁଲିସ୍ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ଭାସ୍କର ଗାଁରେ ଖଟ ବୁଲାଇବେ ବୋଲି ପୁଲିସକୁ ମୌଖିକ ଭାବେ ଜଣାଇଥିଲେ । ଏପରିକି ଏ ସମ୍ପର୍କରେ ଭାସ୍କର ଗ୍ରାମବାସୀଙ୍କୁ ବି ଜଣାଇଥିଲେ । ଗ୍ରାମବାସୀଙ୍କ ସମ୍ମତି କ୍ରମେ ସୋମବାର ଅପରାହ୍ନରେ ଜଣେ ତାନ୍ତ୍ରିକଙ୍କ ତତ୍ତ୍ୱାବଧାନରେ ଗାଁରେ ଖଟ ବୁଲିଥିଲା । ଏହି ଖଟ ଗ୍ରାମର ଗୀତାଞ୍ଜଳି ଦୋରାଙ୍କ ନିକଟରେ ପହଞ୍ôଚଥିଲା । ତାନ୍ତ୍ରିକ ଗୀତାଞ୍ଜଳିଙ୍କୁ ଚୋର ବୋଲି କହିବା ପରେ ଆରମ୍ଭ ହୋଇଥିଲା ସନ୍ଦେହ । ଗୀତାଞଳିଙ୍କୁ ଚୋରି ହୋଇଥିବା ସମସ୍ତ ଟଙ୍କା, ସୁନା ଅଳଙ୍କାର ଓ ତାନ୍ତ୍ରିକଙ୍କ ଖଟ ବୁଲାଇବା ବାବଦ ୭୫ ହଜାର ଟଙ୍କା ଦେବା ପାଇଁ କୁହାଯାଇଥିଲା । ହେଲେ ଗୀତାଞ୍ଜଳି ଚୋରି କରିନାହାନ୍ତି ବୋଲି ଯେତେ କହିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ଏହାକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା । ଗୀତାଞ୍ଜଳିଙ୍କୁ ସଭାକୁ ଡକାଯିବା ସହ ଭାସ୍କରଙ୍କ ଘରୁ ଚୋରି ହୋଇଥିବା ଟଙ୍କା, ସୁନା ଅଳଙ୍କାର ଓ ଖଟ ବୁଲାଇବା ବାବଦ ୭୫ ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା । ଏଥିରେ ଗୀତାଞ୍ଜଳିଙ୍କ ପରିବାର ଅରାଜି ହେବାରୁ ଭାସ୍କରଙ୍କ ପରିବାର ଲୋକେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାସ୍କରଙ୍କ ପରିବାର ଲୋକେ ପ୍ରଥମେ ଗୀତାଞ୍ଜଳିଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗୀତାଞ୍ଜଳି, ତାଙ୍କ ଶାଶୂ ସୁକାନ୍ତି ଆହତ ହୋଇଥିଲେ । ୨ ଜଣଙ୍କୁ ବିଳମ୍ବିତ ରାତିରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରାତିରେ ଗୀତାଞ୍ଜଳିଙ୍କ ପରିବାର ଲୋକେ ଲୁହା ରଡ୍ରେ ଭାସ୍କରଙ୍କ ପରିବାର ଲୋକଙ୍କୁ ପାଲଟା ଆକ୍ରମଣ କରିଥିଲେ । ଏଥିରେ ଭାସ୍କରଙ୍କ ସ୍ତ୍ରୀ ଦମୟନ୍ତୀ, ମା’ କୁନି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଗୀତାଞ୍ଜଳିଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଗ୍ରାମର କୁସୁନି ଦୋରା ମଧ୍ୟ ଆହତ ହୋଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ରାଜସୁନାଖଳା ଫାଣ୍ଡିରେ ଉଭୟ ପରିବାର ଅଭିଯୋଗ କରିବା ପରେ ରଣପୁର ଥାନା ଅଧିକାରୀ ବୈଦ୍ୟନାରାୟଣ ଭୋଇ,ଏସ୍ଡିପିଓ ଏସ୍. ଟପ୍ପୋ, ଫାଣ୍ଡି ଅଧିକାରୀ ସୁବାସ ଚମ୍ପତି ଅଧିକ ତଦନ୍ତ ଚଳାଇଛନ୍ତି । ମାରପିଟ ଖବର ପାଇ ତାନ୍ତ୍ରିକ ଫେରାର ହୋଇ ଯାଇଛି । ଖବର ଲେଖାଯିବା ବେଳକୁ କାହାରିକୁ ଗିରଫ କରାଯାଇ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons